ସ୍ବଚ୍ଛ ହେଉଛି ସହରର ବାୟୁ, ୧୪ଟି ସହରରେ ପ୍ରଦୂଷଣ ମାତ୍ରା ହ୍ରାସ

ଭଲ ସ୍ଥିତିରେ ଭୁବନେଶ୍ୱର, ବ୍ରହ୍ମପୁର ଓ ରାୟଗଡ଼ା, ଆଇଏମ୍‌ଏମ୍‌ଟିର ସର୍ଭେ: ଦ୍ବୈତ୍ୟ ନଗରୀରେ ଆଶାନୁରୂପ ହୋଇନି

ଭୁବନେଶ୍ୱର: ସହରରେ ବହୁଛି ସ୍ୱଚ୍ଛ ବାୟୁ। ଗତ ଦେଢ଼ ମାସ ହେଲା ରାଜ୍ୟର ସବୁ ସହରରେ ସ୍ୱଚ୍ଛ ଓ ନିର୍ମଳ ବାୟୁ ପ୍ରବାହିତ ହେଉଛି। କରୋନା ପାଇଁ ସାରା ଦେଶ ଲକ୍‌ଡାଉନ ଥିବାରୁ ବାୟୁ ପ୍ରଦୂଷଣ ଆଶାତୀତ ଭାବେ ହ୍ରାସ ପାଇଛି। ଓଡ଼ିଶାର ସମସ୍ତ ସହରର ପ୍ରଦୂଷଣ ମାତ୍ରା ବହୁ ପରିମାଣରେ କମିଛି, ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ କେବେ ବି ଦେଖିବାକୁ ମିଳି ନଥିଲା ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ବାୟୁ ପ୍ରଦୂଷଣର ସୂଚକାଙ୍କ ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପ୍ରଦୂଷଣର ମାତ୍ରା ୬୦ ପ୍ରତିଶତ କମିଛି। ମାର୍ଚ୍ଚ ୨୨ରେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ କରାଯାଇଥିଲା। ତେବେ ମାର୍ଚ୍ଚ ୩୧ ସୁଦ୍ଧା ତାହା ୪୧ ପିଏମ-୧୦କୁ ଖସିଆସିଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ପ୍ରମୁଖ ସହରର ପ୍ରଦୂଷଣସ୍ତର କଟକରେ ୯୫ ପିଏମ୍‌-୧୦ରୁ ୬୧ ପିଏମ୍‌-୧୦କୁ ହ୍ରାସ ପାଇଥିବା ବେଳେ ରାଉରକେଲାରେ ୧୦୬ ପିଏମ୍‌-୧୦ରୁ ୬୬ ପିଏମ୍‌-୧୦, ଅନୁଗୁଳରେ ୭୯ ପିଏମ୍‌-୧୦ରୁ ୫୬ ପିଏମ୍‌-୧୦, ତାଳଚେରରେ ୧୦୫ ପିଏମ୍‌-୧୦ରୁ ୭୮ ପିଏମ୍‌-୧୦, କଳଙ୍ଗନଗରରେ ୯୮ ପିଏମ୍‌-୧୦ରୁ ୬୨ ପିଏମ୍‌-୧୦, ବ୍ରହ୍ମପୁରରେ ୫୪ ପିଏମ୍‌-୧୦ରୁ ୨୨ ପିଏମ୍‌-୧୦, ଝାରସୁଗୁଡାରେ ୧୧୬ ପିଏମ୍‌-୧୦ରୁ ୫୫ ପିଏମ୍‌-୧୦, କେନ୍ଦୁଝରରେ ୭୦ ପିଏମ୍‌-୧୦ରୁ ୫୩ ପିଏମ୍‌-୧୦, ସମ୍ବଲପୁରରେ ୧୦୩ ପିଏମ୍‌-୧୦ରୁ ୭୩ ପିଏମ୍‌-୧୦, ପାରାଦ୍ୱୀପରେ ୧୦୩ ପିଏମ୍‌-୧୦ରୁ ୬୪ ପିଏମ୍‌-୧୦, ବାଲେଶ୍ବରରେ ୮୫ ପିଏମ୍‌-୧୦ ରୁ ୮୦ ପିଏମ୍‌-୧୦ କୁ ହ୍ରାସ ପାଇଛି। ଭୁବନେଶ୍ୱର, ବ୍ରହ୍ମପୁର ଓ ରାୟଗଡ଼ାରେ ବାୟୁର ଏୟାର କ୍ୱାଲିଟି ଇଣ୍ଡେକ୍ସ ଭଲ ସ୍ଥିତିରେ ଥିବା ବେଳେ ଅନ୍ୟ ସମସ୍ତ ସହରରେ ଆଶାନୁରୂପ ରହିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ ଲକ୍‌ଡାଉନ ପରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ଚଳାଚଳ କମିଛି। ଶିଳ୍ପ ସଂସ୍ଥା ବନ୍ଦ ହୋଇଥିବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଛି। ପରିବେଶବିତଙ୍କ କହିବାନୁଯାୟୀ, ଗାଡ଼ି ଚଳାଚଳ କଟକଣା ଯୋଗୁଁ ବ୍ୟସ୍ତବହୁଳ ଭୁବନେଶ୍ବର ଏବେ ଏକପ୍ରକାର ଶାନ୍ତ ପଡିଯାଇଛି। କେବଳ ଭୁବନେଶ୍ୱର ନୁହେଁ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରର ବାୟୁ ପ୍ରଦୂଷଣ ଏଥିପାଇଁ ହ୍ରାସ ପାଇଛି। ତାଳଚେର, ଅନୁଗୁଳ, କେନ୍ଦୁଝର, ପାରାଦ୍ୱୀପ, କଳିଙ୍ଗନଗର ଆଦି ଅଞ୍ଚଳରେ ଶିଳ୍ପ ସଂସ୍ଥା ବନ୍ଦ, ଟ୍ରକ ଚଳାଚଳ ବହୁ ପରିମାଣରେ ହ୍ରାସ ପାଇବା ଯୋଗୁଁ ପ୍ରଦୂଷଣ ମାତ୍ରା କମିଛି। ରାସ୍ତାରେ ଧୂଆଁ, ଧୂଳି ଆଉ ଅଗଭଳି ଉଡୁ ନ ଥିବାରୁ ପ୍ରଦୂଷଣ କମିଛି। ଯଦି ମେ’ ମାସରେ ଏଭଳି ସ୍ଥିତି ଜାରି ରୁହେ, ତେବେ ଗ୍ରୀଷ୍ମପ୍ରବାହ ଆଗ ଭଳି ହେବନାହିଁ।

ଅନ୍ୟପକ୍ଷରେ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ଏନଭାରନମେଣ୍ଟ ଆଣ୍ଡ ସସ୍‌ଟେନେବଲ ବିଭାଗର ମୁଖ୍ୟ ବୈଜ୍ଞାନିକ ଡ. ତୃପ୍ତି ଦାଶଙ୍କ କହିବାନୁଯାୟୀ ଲକ୍‌ଡାଉନ୍ ସମୟରେ ଭୁବନେଶ୍ୱର ଓ କଟକରେ ବାୟୁ ଗୁଣବତ୍ତାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଲକ୍‌ଡାଉନ୍‌ ବେଳେ ଏହି ଦୁଇ ସହରରେ ପ୍ରଦୂଷଣ ଯଦିବା ବୃଦ୍ଧି ହୋଇନାହିଁ, କିନ୍ତୁ ଏହା ଆଶାତୀତ ଭାବେ କମିନି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ଏନଭାଇରନମେଣ୍ଟ ଆଣ୍ଡ ସସ୍‌ଟେନେବଲ ବିଭାଗର ବୈଜ୍ଞାନିକଙ୍କ ବିଶ୍ଳେଷଣ ଅନୁଯାୟୀ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’ ଦିନ ବାୟୁ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ କମ୍ ଥିଲା। ମାତ୍ର ମାର୍ଚ୍ଚ ୨୪ରେ ତାଲାବନ୍ଦ ପରେ ବିଭିନ୍ନ ପ୍ରଦୂଷଣଯୁକ୍ତ ପଦାର୍ଥରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା ବୋଲି ଗବେଷଣାରୁ ଜଣାପଡ଼ିଛି। ଜନତା କର୍ଫ୍ୟୁ ଦିନ ୮ ମାଇକ୍ରୋଗ୍ରାମ ପର ମିଟର କିଉବ୍‌ ରହିଥିଲା। କିନ୍ତୁ ଲକ୍‌ଡାଉନ୍‌ ହେବା ପରେ ଏହା କ୍ରମଶଃ ବୃଦ୍ଧି ପାଇ ୩୦ରୁ ୩୪ ମାଇକ୍ରୋଗ୍ରାମ ପର ମିଟର କିଉବ୍‌ରେ ପହଞ୍ଚିଥିଲା। ୨୬ ତାରିଖରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଗାଡ଼ି ଚଳାଚଳ କରିବା ପରେ ଆହୁରି ବଢ଼ିଥିଲା।

ସମ୍ବନ୍ଧିତ ଖବର