ଓଡ଼ିଶା ବିକାଶ ପରିଷଦ ମୁଖ୍ୟଙ୍କ ଘରେ ଆକ୍ରମଣ ଘଟଣା: ବଜରଙ୍ଗଦଳ କର୍ମକର୍ତ୍ତାଙ୍କ ସମେତ ୩ ଗିରଫ

ମହାମାରୀ ଆଇନ ସମେତ ଲାଗିଲା ୧୨ ଦଫା

ଭୁବନେଶ୍ବର: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିବା ପ୍ରତିବାଦରେ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେମାନଙ୍କ ଭିତରେ ଜଣେ ବଜରଙ୍ଗ ଦଳର କର୍ମକର୍ତ୍ତା ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ, ଧଉଳି ଥାନା ସରଦେଇପୁର ଅଞ୍ଚଳର ପ୍ରକାଶ କାଳିଆ ଓରଫ୍ ପପୁ, ଭୀମଟାଙ୍ଗି ଅଞ୍ଚଳର ମନୋଜ ମହାପାତ୍ର ଓରଫ୍ ବାପି ଏବଂ ଖୋର୍ଦ୍ଧାର ଅଶୋକ ବେହେରା। ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୋଧରେ ଆଇପିସି ଦଫା ୧୩୭, ୧୪୭, ୧୪୮, ୩୨୩, ୨୯୪, ୩୪୧, ୪୨୭, ୪୫୨, ୫୦୬, ୨୬୯, ୨୭୦ ଏବଂ ମହାମାରୀ ଆଇନର ଦଫା ୩ ଅନୁସାରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ପ୍ରକାଶ କାଳିଆ ବଜରଙ୍ଗ ଦଳର ସହ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ବେଳେ ମନୋଜ ମହାପାତ୍ର ଗୋ-ସୁରକ୍ଷା କର୍ମକର୍ତ୍ତା। ଗତକାଲି ସେମାନେ ପ୍ରଥମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଏକ ଦାବିପତ୍ର ଦେଇଥିଲେ। ସେଠାରୁ ଫେରି ବମିଖାଲ କେନାଲ ରୋଡ୍ ସାଇବିହାର ନିକଟରେ ରହୁଥିବା ସୁଶାନ୍ତଙ୍କ ଘର ଆଗରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ଘର ଉପରକୁ ଅଣ୍ଡା ଓ ଢେଲାମାଡ଼ କରି ତାଙ୍କ କାର୍‌ କାଚ ଭାଙ୍ଗି ଦେଇଥିଲେ। ସୁଶାନ୍ତଙ୍କ ଆବେଦନ ଉପରେ ଗତ ୧୮ତାରିଖରେ ସୁପ୍ରିମ୍‌କୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପ୍ରକାଶ ପାଇବା ପରଠାରୁ ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ ରହିଥିଲେ। କିନ୍ତୁ ଆକ୍ରମଣକାରୀମାନେ ପୁଲିସକୁ ଖାତିର୍‌ କରି ନଥିଲେ। ଧସ୍ତାଧସ୍ତି କରି ପୁଲିସ କର୍ମଚାରୀଙ୍କୁ ଆହତ କରିଥିଲେ। ତେବେ ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୩ଜଣଙ୍କୁ କାବୁ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର