ସାତକୋଶିଆରୁ ଆସିଥିବା ହାତୀଛୁଆ ମୃତ

ଢେଙ୍କାନାଳ : କିଛିଦିନ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ହାତୀମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି ସାତକୋଶିଆରୁ କପିଳାସକୁ ଅଣାଯାଇଥିବା ଏକ ହାତୀଛୁଆର ମୃତ୍ୟୁ ଘଟିଛି। ସଂପୂର୍ଣ୍ଣ ଶରୀର ସଂକ୍ରମଣ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

ସୂଚନାଅନୁସାରେ, ସାତକୋଶିଆ ଅଭୟାରଣ୍ୟରେ ଗତ ୩୦ ତାରିଖରେ ମା’ ଓ ହାତୀ ଛୁଆ ଅସହ୍ୟ ଯନ୍ତ୍ରଣାରୁ ଛଟପଟ ହେଉଥିବା ଖବରପାଇ ସ୍ଥାନୀୟ ବନଖଣ୍ତ ଅଧିକାରୀ, ଚିକିତ୍ସକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏହାର କାରଣ ସଂପର୍କରେ ଜାଣିବା ପାଇଁ ମା’ ଓ ଛୁଆହାତୀକୁ ନିଶ୍ଚେତକ ଦେଇ ଚିକିତ୍ସା ଆରମ୍ଭ କରିଥିଲେ। ହାତୀଛୁଆର ପାଟିରେ ଘା’ ହୋଇଥିବାରୁ ଏପରି ଯନ୍ତ୍ରଣା ପାଉଥିବା ଜଣାପଡ଼ିଥିଲା। ହାତୀ ଛୁଆର ଅଧିକ ଚିକିତ୍ସା ଅବଶ୍ୟକ ପଡୁଥିବାରୁ ଗତ ୧ତାରିଖ ରାତିରେ ତାକୁ ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ପାଟିରେ ଘା’ ହୋଇଥିବାରୁ ସେ ଖାଦ୍ୟ ଖାଇପାରୁ ନଥିଲା। କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ଅନ୍ୟ ହାତୀଙ୍କଠାରୁ ତାକୁ ପୃଥକ୍‌ଭାବ ରଖାଯାଇ ଚିକିତ୍ସା କରାଯାଉଥିଲା। ରବିବାର ସଂଧ୍ୟା ୬ଟା ୧୦ ମିନିଟ୍ ସମୟରେ ଏହି ହାତୀଛୁଆର ମୃତ୍ୟୁ ହୋଇଯାଇଛି। ସୋମବାର ଦିନ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ସେହିଠାରେ ତାକୁ ପୋତି ଦିଆଯାଇଛି। ହାତୀଛୁଆର ନମୁନା ସଂଗ୍ରହ କରି ଭୁବନେଶ୍ବର ଓୟୁଏଟିକୁ ପଠାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର