ପାଣି ବାଲ୍‌ଟିରେ ପଡ଼ି ଶିଶୁପୁତ୍ର ମୃତ

ହାଟଡିହି: ଘର ଆଗରେ ଥୁଆ ହୋଇଥିଲା ପାଣି ବାଲଟି। ପାଣିରେ ହାତ ବାଡ଼େଇ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ବାଲଟି ଭିତରକୁ ଖସିପଡ଼ି ପ୍ରାଣ ହରାଇଛି ଦେଢ଼ବର୍ଷର ଶିଶୁପୁତ୍ର। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ପନ୍ଦାଡ଼ୋ ପଞ୍ଚାୟତ ତେନ୍ତୁଲିପଦି ଗ୍ରାମରେ। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ଗ୍ରାମର ମନୋଜ ଜେନାଙ୍କ ପୁଅ ସତ୍ୟଜିତ।

ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ମନୋଜଙ୍କ ପତ୍ନୀ ଘରେ ରୋଷେଇ କରୁଥିଲେ। ଘର ବାରଣ୍ଡାରେ ଥିବା ପାଣି ବାଲଟିରେ ହାତ ବାଡ଼େଇ ସବୁଦିନ ପରି ଆଜି ମଧ୍ୟ ସତ୍‌ଜିତ ଖେଳୁଥିଲା। ତେବେ ଅସାବଧାନତା ଯୋଗୁଁ ସେ ପାଣି ବାଲଟିରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ ହୋଇଯାଇଥିଲା। କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତଙ୍କ ଏପରି ଆକସ୍ମିକ ମୃତ୍ୟୁରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି।

ସମ୍ବନ୍ଧିତ ଖବର