ବାଲେଶ୍ବର: ଡାକ୍ତର ଲେଖିଥିଲେ ୦.୫ ଏମ୍ଜି (ମିଲିଗ୍ରାମ୍)ର ମେଡିସିନ୍। ହେଲେ ଔଷଧ ଦୋକାନୀ ଦେଲେ ୫ ଏମ୍ଜିର ଔଷଧ। ଭୁଲ୍ ଔଷଧ ଖାଇ ଜଣେ ଶିଶୁ ଗୁରୁତର ହୋଇପଡ଼ିବାରୁ ତାକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଆଜି ବାଲେଶ୍ବର ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଔଷଧ ଦୋକାନୀଙ୍କୁ ଡାକ୍ତରଖାନା ଫାଣ୍ଡିରେ ଅଟକ ରଖି ପୁଲିସ ପଚରାଉଚରା କରିଥିଲା।
ରେମୁଣା ବ୍ଲକ ଖାନ୍ନଗର ଅଞ୍ଚଳର ପ୍ରଭାକର ଲେଙ୍କା ତାଙ୍କ ୪ ବର୍ଷର ଶିଶୁପୁତ୍ର ଜୟସକୁ ନେଇ ଗତ ୧୨ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ଔଷଧ ଦୋକାନକୁ ଡାକ୍ତର ଦେଖାଇବାକୁ ଆସିଥିଲେ। ସେଠାରେ କଟକରୁ ଆସିଥିବା ଜଣେ ସ୍ନାୟୁରୋଗ ଶିଶୁ ବିଶେଷଜ୍ଞଙ୍କୁ ଦେଖାଇ ଔଷଧ ମଧ୍ୟ ନେଇଥିଲେ। ତେବେ ଡାକ୍ତର ଲେଖିଥିବା ୦.୫ ଏମ୍ଜି ଔଷଧ ବଦଳରେ ୫.୦ ଏମ୍ଜିର ଔଷଧ ଦେଇଥିଲେ ସଂପୃକ୍ତ ଦୋକାନୀ। ଏହି ଔଷଧ ଖାଇବା ପରେ ଜୟସଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚିଠା ଅନୁଧାନ ପରେ ଜୟସଙ୍କୁ ଭୁଲ୍ ଔଷଧ ଦିଆଯାଇଥିବା ଜଣାପଡ଼ିଥିଲା। ପଚରାଉଚୁରା ସମୟରେ ଔଷଧ ଦୋକାନୀ ନିଜ ଭୁଲ ମଧ୍ୟ ସ୍ୱୀକାର କରିଥିଲେ। ଜୟସଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ବହନ କରିବେ ବୋଲି ଫାଣ୍ଡିରେ ଲିଖିତ ପ୍ରତିଶ୍ରୁତି ଦେବା ପରେ କଥା ଆଉ ଆଗକୁ ବଢ଼ିନଥିଲା।