ଜନ୍ମଦିନରେ ଚାଲିଗଲା ଶିଶୁର ଜୀବନ, ନଦୀରେ ବୁଡ଼ି ମୃତ

କଣ୍ଟିଗଡ଼ିଆ : ଜନ୍ମଦିନରେ ଚାଲିଗଲା ୫ ବର୍ଷର ଶିଶୁର ଜୀବନ। କିଛି ଘଣ୍ଟା ପରେ ପାଳନ ହୋଇଥାନ୍ତା ଜନ୍ମଦିନ ଉତ୍ସବ। ପ୍ରସ୍ତୁତି ସରିଥିଲା। ଭୋଜିଭାତର ଆସର ମଧ୍ୟରେ କେକ୍‌ କାଟି କୁନିପୁଅକୁ ଶୁଭେଚ୍ଛା ଜଣାଇବାକୁ ସମସ୍ତେ ପ୍ରସ୍ତୁତ ଥିଲେ। କିନ୍ତୁ ହଠାତ ସବୁ ଖୁସି ମିଳେଇଗଲା। କୁନିପୁଅ ନଦୀରେ ବୁଡ଼ି ଜୀବନ ହରାଇଲା। ଏଭଳି ଘଟଣା ଆଜି ବଡ଼ଚଣା ଥାନା ପଟୁଣିଆ ପଞ୍ଚାୟତ ବଡ଼ନଛିପୁର ଗାଁ’ରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତ ଶିଶୁ ଗ୍ରାମର ଦୁର୍ଯ୍ୟୋଧନ ଦଳାଇଙ୍କ ନାତି ବିଘ୍ନେଶ୍ୱର ଓରଫ ପ୍ରିନ୍ସ। ଆଜି ନିକଟସ୍ଥ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିଲା। ସମସ୍ତଙ୍କ ଅଲକ୍ଷ୍ୟରେ ଶିଶୁଟି ପାଖ ବଡ଼ଗେଙ୍ଗୁଟି ନଦୀକୁ ଏକୁଟିଆ ଯାଇ ଆଉ ଫେରି ନ ଥିଲା।

ବରୀ ଥାନା ମଲିଆଘାଇ ଗ୍ରାମର ରମାକାନ୍ତ ରାଉତଙ୍କ ପୁଅ ପ୍ରିନ୍ସ ମାମୁଘର ବଡ଼ନଛିପୁରକୁ ୧୫ ଦିନ ତଳେ ଆସିଥିଲା। ବାପା ରମାକାନ୍ତ ବାହାରେ ଚାକିରି କରୁଥିବା ବେଳେ ପ୍ରିନ୍ସର ମା’ କଟକ ବଡ଼ମେଡିକାଲରେ ଷ୍ଟାଫ୍ ନର୍ସ। ଆଜି ପୁଅର ଜନ୍ମଦିନ ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିଲେ। ସକାଳ ୧୦ ଟା ଭିତରେ ଜନ୍ମଦିନର ପ୍ରସ୍ତୁତି ସମୟରେ ପ୍ରିନ୍ସ ନଦୀକୁ ଯାଇ ବୁଡ଼ି ଯାଇଥିଲା। ଅଜା ଦୁର୍ଯ୍ୟୋଧନ ନାତିକୁ ନପାଇ ଖୋଜି ଖୋଜି ନଦୀ କୂଳରେ ପହଞ୍ଚି ଜୋତା ଥିବା ଦେଖିଥିଲେ। ସନ୍ଦେହ ହେବାରୁ ପାଣି ମଧ୍ୟରେ ଖୋଜାଖୋଜି କରିବାରୁ ବୁଡି ରହିଥିବା ନାତିକୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ତାକୁ କଟକ ବଡ଼ମେଡିକାଲ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର