୨୭% ସଂରକ୍ଷଣରୁ ପଛୁଆ ବର୍ଗଙ୍କୁ ବଞ୍ଚିତ କରାଯାଇଛି: ବିଜେପି

ଭୁବନେଶ୍ବର : ଦୁଇ ଦିନ ତଳେ ରାଜ୍ୟ କ୍ୟା‌ବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୧୯୯୬ ମସିହାରୁ ୫ଟି ପଞ୍ଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୮ ମସିହାରେ ପୌର ନିର୍ବାଚନ ପାଇଁ ୬୫% ସଂରକ୍ଷଣ ବିରୁଦ୍ଧରେ ହାଇକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏହାକୁ ୫୦% ରଖିବାକୁ କହିଥିଲେ। ପଛୁଆ ବର୍ଗ ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅଣଦେଖା ଓ ଅସୁୟା ମନୋଭାବ କାରଣରୁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପକ୍ଷ ରଖାଯାଇନଥିଲା। ଯେଉଁଥିପାଇଁ କୋର୍ଟ ଏହିଭଳି ରାୟ ଦେଲେ ବୋଲି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି।

ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ଅନୁସୂଚିତ ଅଞ୍ଚଳ ଥିବାବେଳେ ପଛୁଆ ବର୍ଗଙ୍କ ସଂଖ୍ୟା ୫୨ ପ୍ରତିଶତ। ରାଜ୍ୟ ସରକାର ଏହି ତଥ୍ୟକୁ କୋର୍ଟରେ ଉପସ୍ଥାପିତ କାହିଁକି କରିଲେ ନାହିଁ ? ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଯାଇଥିବା ରାଜ୍ୟ ସରକାର ପଛୁଆ ବର୍ଗ ସଂରକ୍ଷଣ ସପକ୍ଷରେ ପକ୍ଷ ରଖିବା ପାଇଁ କେଉଁ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥିଲେ ? ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ କ’ଣ ତଥ୍ୟପ୍ରମାଣ ଉପସ୍ଥାପିତ କରାଯାଇଥିଲା ତାହା ରାଜ୍ୟର ୨.୫କୋଟି ପଛୁଆ ବର୍ଗ ଲୋକଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ।

ଅପରପକ୍ଷେ ଗତକାଲିଠୁ ବିଜେଡି ପକ୍ଷରୁ ପଛୁଆ ବର୍ଗଙ୍କ ଉଦ୍ଦେଶ୍ୟରେ ‘କ୍ରିମି ଲେୟାର’ର ବାହାନା କରି ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା ଆରମ୍ଭ ହୋଇଛି । ପରିବାର ସଦସ୍ୟଙ୍କ ଦରମା, କୃଷିଭିତ୍ତିକ ଆୟ ସମେତ ବିଭିନ୍ନ ଆଳ ଓ ବାହନା ଦର୍ଶାଇ ଅଧିକାଂଶ ପଛୁଆ ବର୍ଗ ଲୋକଙ୍କୁ ସାର୍ଟିଫିକେଟ ନଦେବାର ଷଡ଼ଯନ୍ତ୍ର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମଣ୍ଡଳ କମିସନ ସୁପାରିଶର ଏହା ପରିପନ୍ଥୀ। କେଉଁ କେଉଁ ନୂତନ ଜାତି ଓ ଉପଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ସେ ଦାୟିତ୍ୱ ହେଲା ରାଜ୍ୟ ସରକାରଙ୍କର। କିନ୍ତୁ ରାଜ୍ୟରେ ଓବିସି କମିସନ ଗଠନ ହେବାର ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ନୂତନ ତାଲିକା ପ୍ରସ୍ତୁତ କରାଯାଇପାରିଲା ନାହିଁ। ୫୨ ପ୍ରତିଶତ ପଛୁଆ ବର୍ଗ ଜନସଂଖ୍ୟା ବିଶିଷ୍ଟ ଓଡିଶାରେ ପଛୁଆ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଶାସକ ବିଜେଡି ସବୁବେଳେ ପଛଘୁଞ୍ଚା ଦେଇଆସୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି।

ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ଜାତୀୟ ପଛୁଆ ବର୍ଗ କମିସନଙ୍କୁ ରାଜ୍ୟ ସରକାର ଅଭ୍ୟାସଗତ ଭାବେ ‘ନିରୀକ୍ଷଣ କରି ଦେଖିବୁ’ ବୋଲି ବାରମ୍ବାର କହି ଆସୁଛନ୍ତି। ଶାସକ ବିଜେଡିର ଆନ୍ତରିକତା ଅଭାବ କାରଣରୁ ପଛୁଆ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉନାହିଁ। ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଥିବାର ଶାସକ ବିଜେଡି ମିଛ କହୁଛି। ବାସ୍ତବରେ ଏହା ୨ ପ୍ରତିଶତରୁ ମଧ୍ୟ କମ୍। ପଛୁଆ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କ ସମସ୍ୟାର ସମାଧାନ କରିବା ପରିବର୍ତେ ସମସ୍ୟାକୁ ଜଟିଳ କରିଦେବା ରାଜ୍ୟ ସରକାରଙ୍କ ଚିରାଚରିତ ଅଭ୍ୟାସ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ୨୭% ସଂରକ୍ଷଣ ଘୋଷଣାରେ ବିଜେପି ଭୟଭୀତ: ବିଜେଡି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ଲାଗି ୨୭% ସଂରକ୍ଷଣ ଘୋଷଣା କରିବା ପରେ ଓଡିଶା ବିଜେପି ଭୟଭୀତ ଓ ଚିନ୍ତିତ ଜଣାପଡୁଛି ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ, ଲୋକଙ୍କୁ ମିଛ କହିବା ବଦଳରେ ଓଡିଶା ବିଜେପି ନିଜ ଦଳକୁ ୫୦% ସଂରକ୍ଷଣର ସୀମା ହଟାଇବା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାକୁ କହିବା ଉଚିତ। ଯାହାଦ୍ୱାରା ଓଡିଶା ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିପାରିବ। ଏନେଇ ବିଜେଡି ବାରମ୍ବାର ଦାବି କରିଆସୁଛି।

ଓଡ଼ିଶା ବିଜେପି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଜାତିଭିତ୍ତିକ ଜନଗଣନା କଥା ପଚାରିବା ଉଚିତ। ବିହାର ବିଜେପି ମୁର୍ଖ ନୁହେଁ ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧି ଦଳ ସହିତ ଯାଇ ଜାତି ଭିତ୍ତିକ ଜନଗଣନା ସହିତ ସଂରକ୍ଷଣ ସୀମା ହଟାଇବାକୁ ଦାବି କରିଥିଲେ। ଓଡିଶାର ଲୋକମାନେ, ବିଶେଷ କରି ଓବିସି ସମ୍ପ୍ରଦାୟ ଓଡିଶା ବିଜେପିର ଏପରି ମିଥ୍ୟା, ଭିତ୍ତିହୀନ ତଥା ଭ୍ରମିତ କରିବା ଭଳି ବିବୃତ୍ତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଏବଂ ଆଗାମୀ ଦିନରେ ଏହାର କଡା ଜବାବ ଦେବେ ବୋଲି ଇପ୍ସିତା କହିଛନ୍ତି ।

ସମ୍ବନ୍ଧିତ ଖବର