ହାଇକୋର୍ଟରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଜାମିନ୍‌ ଶୁଣାଣି ଶେଷ

କଟକ : ହାଇକୋର୍ଟରେ ଶୁକ୍ରବାର ଦିନ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ‌ଶେଷ ହୋଇଛି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୦୯ ନୂଆବଜାର ଡବଲ୍‌ ମର୍ଡର ଘଟଣାରେ ସୁଶାନ୍ତର ନିୟମିତ ଜାମିନ୍‌ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ଏଥି ସହିତ ମର୍କତନଗର ଥାନାରେ ୨୦୧୬ରେ ଦାଦାବଟି ଘଟଣାକୁ ନେଇ ହୋଇଥିବା ଅଭିଯୋଗ ସହିତ ଚାଉଳିଆଗଞ୍ଜ ଥାନାରେ ଟେଣ୍ଡର୍‌ ଫିକ୍ସିଂ, ଦାଦାବଟି, ଷଡ଼୍‌ଯନ୍ତ୍ର, ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ନେଇ ରୁଜୁ ମାମଲାରେ ଜାମିନ୍‌ ଲୋଡ଼ି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଦାୟର କରିଥିବା ଆବେଦନର ମଧ୍ୟ ହାଇକୋର୍ଟରେ ଆଜି ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ଏହି ଦୁଇ ମାମଲାରେ ଅନ୍ୟ କେତେକ ଅଭିଯୁକ୍ତ ହାଇକୋର୍ଟରୁ ଜାମିନ୍‌ ପାଇ ସାରିଛନ୍ତି। ଏହି ସବୁ ମାମଲାରେ ନିମ୍ନ ଅଦାଲତରେ ଜାମିନ୍‌ ଖାରଜ ହେବା ପରେ ଧଳସାମନ୍ତ ଦୁଇ ଭାଇ ୨୦୨୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାମଲାର ବିବରଣରୀରୁ ପ୍ରକାଶ ଯେ ୨୦୦୯, ଡିସେମ୍ବର ୧୧ ସକାଳ ୯ଟା ୫୦ରେ ଚାଉଳିଅଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ମାଛ ମାର୍କେଟ୍‌ରେ ଟିଟୁଆ ଓରଫ୍‌ ଅନିରୁଦ୍ଧ ସେଠୀ ଓ ଲିଚୁଆ ଓରଫ କାମେଶ୍ବର ସେଠୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ତ ପଛରେ ଧଳସାମନ୍ତଙ୍କ ହାତ ଥିବାର ଅଭିଯୋଗ ହୋଇଥିଲା। ଦାଦାବଟି, ଟେଣ୍ତର ଫିକ୍ସି˚ ଓ ଅନ୍ୟାନ୍ୟ କେତେକ ପ୍ରସ˚ଗକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧୢରେ କନ୍ଦଳ ଲାଗି ରହିଥିବା ବେଳେ ଏହି ଡବଲ୍‌ ମର୍ଡର୍‌ ଘଟଣା ଘଟିଥିବା କୁହାଯାଇଥିଲା। ସରକାରଙ୍କ ତରଫରୁ ଏଏସ୍‌ସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର