କେନ୍ଦୁଝର: କେନ୍ଦୁଝରର ଜୀବନଧାରା ବୈତରଣୀ। ଦିନକୁ ଦିନ ପୁଣ୍ୟତୋୟା ଅସୁସ୍ଥ ହେବାରେ ଲାଗିଛି। ପାରିପାର୍ଶ୍ବିକ ପରିବେଶ, ଦ୍ରୁତ ଶିଳ୍ପାୟନ, ଚାଷଜମିରେ ବିପୁଳ ପରିମାଣର ରାସାୟନିକ ସାର ପ୍ରୟୋଗ କାରଣରୁ ବୈତରଣୀ ଜଳ ପିଇବାପାଇଁ ଉପଯୁକ୍ତ ନୁହେଁ କି ଜଳଜୀବମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ଜଣାପଡ଼ିଛି।
କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ପ୍ରାୟ ୩୬୦ କିମି ଦୂର ଭଦ୍ରକ ଜିଲ୍ଲାର ଧାମରାଠାରେ ବଙ୍ଗୋପସାଗରରେ ମିଶିଛି। କେନ୍ଦ୍ର ସରକାରଙ୍କ ଇଣ୍ଡିଆ ୱାଟର୍ ରିସୋର୍ସେସ ଇନ୍ଫର୍ମେସନ୍ ସିଷ୍ଟମ (ଇଣ୍ଡିଆ ୱାରିସ)ର ତଥ୍ୟ ଅନୁସାରେ, ବୈତରଣୀର ଉପନଦୀ ମୂଷଳ, କୁଶେଇ ସମେତ କେନ୍ଦୁଆପଦା, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ଆଦି ସ୍ଥାନରୁ ସଂଗ୍ରହ କରାଯାଇଥିବା ଜଳରେ ଦ୍ରବୀଭୂତ ଅମ୍ଳଜାନ ବା ଡିଜଲ୍ଭଡ ଅକ୍ସିଜେନ୍ (ଡିଓ) ମାତ୍ରା ପ୍ରତି ଲିଟର ପିଛା ୪ ମିଲିଗ୍ରାମରୁ କମ୍ ରହିଛି। ଯାହା ୪ ମିଲିଗ୍ରାମରୁ ଅଧିକ ରହିବା କଥା। ସେହିପରି ବାୟୋଲଜିକାଲ୍ ଅକ୍ସିଜେନ୍ ଡିମାଣ୍ଡ (ବିଓଡି) ବା ଜୈବିକ ଅମ୍ଳଜାନର ଆବଶ୍ୟକତା ପ୍ରତି ଲିଟରରେ ତିନି ମିଲିଗ୍ରାମରୁ କମ୍ ରହିବା କଥା। ବୈତରଣୀର ଆନନ୍ଦପୁରଠାରେ ଏହା ପ୍ରତି ଲିଟରରେ ୭.୧ ମିଲିଗ୍ରାମ ରହିଛି। କେନ୍ଦୁଆପଦାଠାରେ ପ୍ରତି ଲିଟରରେ ୬.୩୮ ମିଲିଗ୍ରାମ୍ ରହିଛି। ଆମୋନିଆ ପରିମାଣ ପ୍ରତି ଲିଟର ପିଛା ୦.୦୨ ମିଲିଗ୍ରାମ୍ ରହିବା କଥା। ଚମ୍ପୁଆ, କେନ୍ଦୁଝରଠାରେ ସଂଗୃହୀତ ଜଳ ନମୁନାରେ ଏହା ଯଥାକ୍ରମେ ୩୮.୭ ମିଲିଗ୍ରାମ ଏବଂ ୬.୭ ମିଲିଗ୍ରାମ ରହିଛି। ତେଣୁ ଏହା ପିଇବାପାଇଁ କିମ୍ବା ଜଳଜୀବଙ୍କ ପାଇଁ ଉପଯୁକ୍ତ ନୁହେଁ। ବୈତରଣୀ ଜଳରେ ଇଲେକ୍ଟ୍ରି କଣ୍ଡକ୍ଟିଭିଟି (ଇସି)ର ମାତ୍ରା ୭୫୦-୩୦୦ ସିମେନ୍ସ ପର୍ ସେଣ୍ଟିମିଟର ରହିବା କଥା। ଏହାର ମାତ୍ରା ଧାମରା ଓ ଚାନ୍ଦବାଲିଠାରେ ଯଥାକ୍ରମେ ୩୪୫୧୦, ୭୯୮୦ ସିମେନ୍ସ ପର୍ ସେଣ୍ଟିମିଟର ରହିଛି। ଅର୍ଥାତ ଚାଷପାଇଁ ଧାମରା, ଚାନ୍ଦବାଲିଠାରେ ବୈତରଣୀ ଜଳ ଅନୁପଯୋଗୀ।
ଉପରମୁଣ୍ଡରେ ବୈତରଣୀ ଜଳର ମାନ ଅପେକ୍ଷାକୃତ ଭଲ ରହିଛି। ତଳମୁଣ୍ଡରେ ଏହା ଅତ୍ୟନ୍ତ ପ୍ରଦୂଷିତ। ଉପରମୁଣ୍ଡରେ ଏକାଧିକ ଶିଳ୍ପ ଓ ଖଣି ଥିବା ସତ୍ତ୍ବେ ନଦୀର ସ୍ରୋତ ପ୍ରଖର ରହୁଛି। ଯାହା ଉପରମୁଣ୍ଡର ଆବର୍ଜନାକୁ ଠେଲି ନେଉଛି। ତଳମୁଣ୍ଡରେ ଜଳ ସ୍ଥିର ରହୁଥିବାରୁ ଏହା ଅଧିକ ପ୍ରଦୂଷିତ ହେଉଛି। ବୈତରଣୀର ମଧ୍ୟ ଓ ତଳମୁଣ୍ଡରେ ଦ୍ରବୀଭୂତ ଅମ୍ଳଜାନ, ବାୟୋଲଜିକାଲ୍ ଅକ୍ସିଜେନ୍ ଡିମାଣ୍ଡ, ଟିଡିଏସ୍ ଓ ଗୋଳିଆପଣ (ଟର୍ବିଡିଟି) ଅଧିକ ରହୁଛି।
ଏ ସମ୍ପର୍କରେ ବୈତରଣୀ ନଦୀର ପ୍ରଦୂଷଣ ଉପରେ ଗବେଷଣା କରୁଥିବା ଆସିଷ୍ଟାଣ୍ଟ ପ୍ରଫେସର ଭକ୍ତିଶ୍ରୀ ନାୟକ କହିଛନ୍ତି, ଉପରମୁଣ୍ଡରେ ଥିବା କଳକାରଖାନାରୁ ନିର୍ଗତ ଦୂଷିତ ଜଳକୁ ବିଶୋଧନ କରାଯାଇ ବୈତରଣୀକୁ ଛଡ଼ାଗଲେ ତଳମୁଣ୍ଡରେ ନଦୀ ପାଣି ବ୍ୟବହାର ଉପଯୋଗୀ ହୋଇପାରିବ। ଡିଜଲ୍ଭଡ ଅକ୍ସିଜେନ୍, ବାୟୋଲଜିକାଲ ଅକ୍ସିଜେନ୍ ଡିମାଣ୍ଡ, ଟିଡିଏସ୍ ଠିକ୍ ରହିବ। ସେହିପରି ଚାଷରେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କଲେ ଆମୋନିଆ ପରିମାଣ ହ୍ରାସ ପାଇବ। ଜଳଜୀବ ବଞ୍ଚି ରହିବା ସହିତ ବୈତରଣୀ ପାଣି ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/untitled-2-2025-10-31-08-00-54.jpg)
