ଉଦ୍‌ଯାପିତ ହେଲା ବାଲେଶ୍ବର ପଲ୍ଲିଶ୍ରୀ ମେଳା: ‘ମା’ମାନଙ୍କୁ ଆଗକୁ ବଢ଼ିବାରେ ଏହି ମେଳା ସୁଯୋଗ ଦେଇଛି’

‘ଆସନ୍ତା ବର୍ଷଠୁ ଆୟୋଜିତ ହେବ ପଲ୍ଲିଶ୍ରୀ ସହ କୋଶମ୍ବ ମହୋତ୍ସବ’

ବାଲେଶ୍ବର: ଜିଲ୍ଲା ପ୍ରଶାସନ ଓ ଓରମାସ୍‌ ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ପାଞ୍ଚ ଦିନ ଧରି ଚାଲିଥିବା ବାଲେଶ୍ବର ପଲ୍ଲିଶ୍ରୀ ମେଳା-୨୦୨୨ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ମିଶନ ଶକ୍ତି ମା’ମାନେ ସେମାନଙ୍କ ପ୍ରତିଭାକୁ ଦେଖାଇବା ପାଇଁ ଏହି ମେଳା ହିଁ ତାଙ୍କୁ ସୁଯୋଗ ଦେଇଛି। ମା’ମାନେ ଆଜି ସ୍ବାବଲମ୍ବୀ ହେବା ସହିତ ଦେଶ ଚଳାଇବାର ସାମର୍ଥ୍ୟ ହାସଲ କରିପାରିଛନ୍ତି। ରାଜ୍ୟ ତଥା ଦେଶର ଅଗ୍ରଗତି ‌କ୍ଷେତ୍ରରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ମା’ମାନେ ଆହୁରି ଆଗକୁ ଯାଆନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ। ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ନୀଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର, ରେମୁଣା ଥାନା ଓଆଇସି ରବିନାରାୟଣ ଭୂୟାଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳର ଭେକ୍ସିନେଟର ସମୁନି ନାୟକ, କୁପାରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭେକ୍ସିନେଟର ମଧୁସ୍ମିତା ଜେନା, ଜାତୀୟସ୍ତର ଖୋ ଖୋ ଖେଳାଳି ଜଗନ୍ନାଥ ମୁର୍ମୁ, ସିମୁଳିଆ ଏଡବ୍ଲୁସି ଜାନକୀ ଦାସ, ଜାମୁଝାଡ଼ିର ବାଉଁଶ କାରିଗରି ସରୋଜିନୀ ଦାସ, ଷ୍ଟୋନ୍‌ କାରିଗରି ଗୋଲକ ପାତ୍ର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳାମାନଙ୍କ ନିମନ୍ତେ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ସମସ୍ତ ଅତିଥିଙ୍କୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ବାରା ନିର୍ମିତ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅତିଥିମାନେ ଏକ ବଡ଼ ଘୋଷଣା କରିଥିଲେ। ଆସନ୍ତା ବର୍ଷଠୁ ବାଲେଶ୍ବର ଜିଲ୍ଲାସ୍ତରୀୟ ମହୋତ୍ସବ ଆୟୋଜିତ ହେବ। ଯାହାକୁ କୋଶମ୍ବ ମହୋତ୍ସବ ଭାବେ ନାମିତ କରାଯାଇଥିଲା। ଏଥିସହ ପଲ୍ଲିଶ୍ରୀ ମେଳା ମଧ୍ୟ ସାମିଲ କରାଯିବ। ଏନେଇ ଅତିଥିମାନେ କୋଶମ୍ବ ମହୋତ୍ସବ ଲଗୋକୁ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉନ୍ମୋଚନ କରିଥିଲେ।

ଆଜି ଉଦ୍‌ଯାପନୀ ଦିବସ ଥିବାରୁ ମେଳାରେ ଜନସମାଗମ ଅଧିକ ହୋଇଥିଲା। ଏମିତିକି ପୁଲିସ ପ୍ରଶାସନକୁ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା। ସେହିପରି ସବୁ ଷ୍ଟଲରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଖାଇବା ଷ୍ଟଲରେ ଖାସ୍‌ କରି ଆଇସ୍‌କ୍ରିମ, ଗୁପ୍‌ଚୁପ୍‌, ଚାଟ୍‌, ଚାଓମିନ୍‌, ପାଠଭାଜି ଆଦି ସ୍ଥାନରେ ପ୍ରବଳ ଭିଡ଼ ଜମିଥିଲା। ‌ସେହିପରି ଛୋଟପିଲାମାନଙ୍କ ପାଇଁ ପଡ଼ିଥିବା ଦୋଳି ପାଖରେ ବେଶ୍‌ ଭିଡ଼ ଜମିଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଇଥିଲେ ଲୋକେ। ଜିଲ୍ଲା ତଥା‌ ଜିଲ୍ଲା ବାହାରୁ ଆସିଥିବା ବହୁ କଳାକାର ନୃତ୍ୟ ଓ ସଂଗୀତରେ ଦର୍ଶକଙ୍କୁ ଝୁମେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି  ମନୋରଂଜନକୁ ଲୋକେ ଶେଷ ପର୍ଯ୍ୟନ୍ତ ରହି ମନଭରି ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର