ବଦଳିବ ବମକୋଇ ପାଟ ବୁଣାକାରଙ୍କ ଭାଗ୍ୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପିଟିସନ୍‌ ହୋଇଥିଲା, ପଦକ୍ଷେପ ନେବ ବୟନଶିଳ୍ପ ନିର୍ଦ୍ଦେଶାଳୟ

ବ୍ରହ୍ମପୁର/ପାତ୍ରପୁର : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବମକୋଇ ପାଟ ଧୀରେ ଧୀରେ ତା’ର ପରିଚୟ ହରାଇବାକୁ ବସିଲାଣି। ସରକାରୀ ପ୍ରୋତ୍ସାହନ ଅଭାବରୁ ପାଟର ପ୍ରଚାରପ୍ରସାର ହୋଇପାରୁ ନାହିଁ। ହାତବୁଣା ପାଟରେ ଆଉ ପୂର୍ବଭଳି ଲାଭ ହେଉ ନଥିବାରୁ ବୁଣାକାରମାନେ ଏହି କୌଳିକ ବୃତ୍ତିରୁ ଧୀରେ ଧୀରେ ମୁହଁ ମୋଡ଼ିଲେଣି। ବୁଣାକାରଙ୍କ ସମସ୍ୟା ନେଇ ବିଗତ ଦିନରେ ବିଭିନ୍ନ ମହଲରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏପରିକି ଗତ ମାସରେ ଗଞ୍ଜାମ ଗସ୍ତରେ ଆସିଥିବା ବୟନଶିଳ୍ପ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ ପାତ୍ରପୁର ଯାଇ ବୁଣାକାରଙ୍କ ସହିତ ଆଲୋଚନା କରିଥିଲେ। ବୁଣାକାରଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ପିଟିସନ୍‌ ରୁଜୁ ହୋଇଥିଲା। ଏବେ ବୁଣାକରଙ୍କ ସମସ୍ୟା ବୁଝିବା ପାଇଁ ଓଡ଼ିଶା ସରକାରଙ୍କ ବୟନଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୧୪ତାରିଖରେ ବ୍ରହ୍ମପୁର ସ୍ଥିତ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ବମକୋଇ ଗ୍ରାମ ଗସ୍ତ କରି ବୁଣାକାରଙ୍କ ସମସ୍ୟା ବୁଝିବେ। ଫଳରେ ବୁଣାକାରଙ୍କ ଭାଗ୍ୟ ବଦଳିବା ନେଇ ଆଶା ଉଜ୍ବଳ ହୋଇଛି।

କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାରେ ବମକୋଇ ପାଟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ବମକୋଇ ଗ୍ରାମରେ ହାତଗଣତି କିଛି ବୁଣାକାର ପରିବାର ରହୁଛନ୍ତି। ଦିନରାତି ପରିଶ୍ରମ କରି ଏହି ପରିବାର ପାଟ ତିଆରି କରୁଛନ୍ତି। ହେଲେ ସେମାନେ ଆବଶ୍ୟକ ପ୍ରାପ୍ୟ ପାଉନାହାନ୍ତି। ଫଳରେ ବୁଣାକାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ପାଟର ବିକ୍ରି ଓ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଇବା ପାଇଁ ରହିଥିବା ସୋସାଇଟି ବନ୍ଦ ହୋଇଯିବା ପରେ ସରକାରଙ୍କ ସହାୟତା ନମିଳିବାରୁ ବୁଣାକାରମାନଙ୍କ ଜୀବନ ଦୁର୍ବିଷହ ହୋଇଯାଇଛି। ଏ ନେଇ ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ବୁଣାକାରଙ୍କ ସମସ୍ୟା ସମ୍ପର୍କରେ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସେହିପରି ବିଜେପି ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ମଧ୍ୟ ଗଞ୍ଜାମ ଜିଲ୍ଲାର ବୁଣାକାରଙ୍କ ସମସ୍ୟା ନେଇ ବୟନଶିଳ୍ପ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏବେ ରାଜ୍ୟ ସରକାରଙ୍କ ବୟନଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବୁଣାକାରଙ୍କ ସମସ୍ୟା ସମାଧାନ କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୧୪ତାରିଖରେ ବ୍ରହ୍ମପୁର ସ୍ଥିତ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଟିମ୍‌ ବମକୋଇ ଯାଇ ବୁଣାକାରଙ୍କ ସହିତ ଆଲୋଚନା କରିବେ। ବୁଣାକାରଙ୍କ ବିକାଶ ସହିତ ବମକୋଇ ପାଟର ପ୍ରଚାରପ୍ରସାର ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ଶ୍ରୀ ମିଶ୍ରଙ୍କୁ ଚିଠି କରାଯାଇଛି।

ସମ୍ବନ୍ଧିତ ଖବର