ଭାସିଗଲା ବାଉଁଶ ପୋଲ

ଅଭିମନ୍ୟୁ ବାଲିଆ : ବରୀ ବ୍ଲକ୍‌ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ଏରଡ଼ା ଠାରେ ଥିବା ଚିଙ୍ଗୁଡ଼ିଆ ନାଳର ବାଉଁଶ ପୋଲ ଭାସିଯାଇଛି। ଫଳରେ ବରୀ ବ୍ଲକ୍‌ର ବୋଦୁଅ ଓ ଭଅଁରା ପଞ୍ଚାୟତର ଅଧିକାଂଶ ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି।

ପ୍ରକାଶ ଯେ, ଲଘୁଚାପ ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ହେବାରୁ ଗତ ମଙ୍ଗଳବାର ଖରସ୍ରୋତାର ଶାଖାନଦୀ ଚୀଙ୍ଗୁଡ଼ିଆରେ ଜଳସ୍ତର ବୃଦ୍ଧି ପାଇଥିଲା। ଏରଡ଼ା ଠାରେ ଥିବା ଚିଙ୍ଗୁଡ଼ିଆ ନାଳର ବାଉଁଶ ପୋଲ ବଢ଼ିପାଣିରେ ବୁଡ଼ିଯାଇଥିଲା। ପ୍ରଖର ସୁଅରେ ଘାଟିଆଙ୍କ ଦ୍ବାରା ନିର୍ମାଣ ହୋଇଥିବା ଏହି ବାଉଁଶ ପୋଲ ବୁଧବାର ରାତିରେ ଭାସି ଯାଇଥିଲା। ୭ ମାସ ତଳେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲ ଉପରେ ବୋଦୁଅ, କୁମ୍ଭକା, ପାଳସାହି, କନ୍ତିଆ, ସରବରା, ଭଅଁରା, ରଇପୁର ଇତ୍ୟାଦି ଗ୍ରାମର ଲୋକମାନେ ନଦୀ ପାରହୋଇ ବାହାରକୁ ଯାତାୟାତ କରୁଥ‌ିଲେ। ଉପରୋକ୍ତ ଗ୍ରାମର ଲୋକମାନେ ବରୀ ବ୍ଲକ୍‌, ବାଲିଆପାଳ ହାଟ, ବରୀ ତହସିଲ, ବରୀ ବ୍ୟାଙ୍କ ଓ ବାଲିଆପାଳ ବ୍ୟାଙ୍କ ଶାଖାକୁ ଯିବାପାଇଁ ଏହି ପୋଲ ଉପରେ ନିର୍ଭର କରୁଥିଲେ। ଗତ ଜାନୁଆରି ମାସରେ ଏହି ସେତୁ ନିର୍ମାଣ ହୋଇଥିଲା। ବର୍ଷର ୭ ମାସ ଏହି ସେତୁ ଉପ‌ରେ ଲୋକମାନେ ଚଳପ୍ରଚଳ କରୁଥିବା ବେଳେ ଅବଶିଷ୍ଟ ୫ ମାସ ଡଙ୍ଗାରେ ନାଳ ପାର ହେଉଥିଲେ। ଉପରୋକ୍ତ ଗ୍ରାମଗୁଡ଼ିକର ପିଲାମାନେ ଏରଡ଼ା ସ୍କୁଲ୍, ବାଲିଆପାଳ କଲେଜ୍‌, ରାମଚନ୍ଦ୍ରପୁର କଲେଜ୍‌, ବରୀଠାରେ ଥିବା ଅର୍କିଡ ଇଂଲିସ ମିଡିୟମ ସ୍କୁଲ୍‌, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳ ଇତ୍ୟାଦି ଶିକ୍ଷାନୁଷ୍ଠାନକୁ ମଧ୍ୟ ଏହି ସେତୁବାଟେ ଯାତାୟାତ କରୁଥିଲେ।

ସେତୁଟି ଭାସିଯିବା ପରେ ଲୋକମାନେ ଏକମାତ୍ର ବିକଳ୍ପ ଭାବେ ଡଙ୍ଗାକୁ ଭରସା କରିବେ। ଏହି ସେତୁରେ ମଧ୍ୟ ଲୋକମାନେ ବିଂଝାରପୁର ଥାନାକୁ ଯାତାୟାତ କରିଥାନ୍ତି। ସେତୁ ଭାସିଯିବା ଯୋଗୁଁ ବୋଦୁଅ ଓ ଭଅଁରା ପଞ୍ଚାୟତର ଅଧିକାଂଶ ଲୋକଙ୍କ ଯାତାୟାତରେ ନାହିଁନଥିବା ଅସୁବିଧା ହେବ। ପ୍ରକାଶ ଯେ, ଏଠାରେ ଥିବା ଚିଙ୍ଗୁଡ଼ିଆ ନାଳ ଉପରେ ଏକ ସ୍ଥାୟୀ ପୋଲ ପାଇଁ ବହୁ ଦିନ ହେଲା ଦାବି ହୋଇଆସୁଛି। ହେଲେ ଜଳସମ୍ପଦ ବିଭାଗ କିମ୍ବା ଗ୍ରାମ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବୋଦୁଅ ପଞ୍ଚାୟତରୁ ଘାଟ ନିଲାମ ନେଉଥିବା ଲୋକମାନେ ପ୍ରତିବର୍ଷ ଏଠାରେ ବାଉଁଶ ପୋଲ ନିର୍ମାଣ କରୁଛନ୍ତି। ଉପରୋକ୍ତ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀ ଏହି ‌ପୋଲ ଉପରେ ବିପଦ ସଂକୁଳ ଭାବେ ଯାତାୟାତ କରୁଛନ୍ତି। ବାଉଁଶ ପୋଲ ନିର୍ମାଣ କରୁଥିବା ବ୍ୟକ୍ତି ଯାତାୟାତ କରୁଥିବା ଲୋକଙ୍କ ଠାରୁ ମାହାସୁଲ ଆଦାୟ କରୁଛନ୍ତି। ପ୍ରତିଦିନ ପଇସା ଦେଇ ଲୋକମାନେ ଏହି ଘାଟ ପାର ହେଉଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଲୋକଙ୍କ ଗମନାଗମନ ପାଇଁ କିଛି କରାଯାଉନଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀପ୍ରସାଦ ମିଶ୍ରଙ୍କୁ ପଚାରିବାରୁ, ବାଉଁଶ ପୋଲ କିମ୍ବା ଡଙ୍ଗାରେ ଯାତାୟାତ ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହି ଘାଟରେ ଏକ ସ୍ଥାୟୀ ସେତୁ ନିର୍ମାଣ ପାଇଁ ସରପଞ୍ଚ ଶ୍ରୀ ମିଶ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର