ବାଲେଶ୍ବର: ରେମୁଣା ଥାନା ତେନ୍ତୁଳିଦା ପଞ୍ଚାୟତର ବୋଇତବାଙ୍କଠାରେ ପୋଲ ନିର୍ମାଣ ସରିଛି। ହେଲେ ସଂଯୋଗ ରାସ୍ତା କରାଯାଇ ନଥିବାରୁ ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ସହଯୋଗରେ ଏକ ବାଉଁଶ ରାସ୍ତା ନିର୍ମାଣ ହୋଇଥିଲା। ତେବେ ଏହା ଭାଙ୍ଗିରୁଜି ଯାଇଥିବ‌ା  ବେଳେ ଶୁକ୍ରବାର ସ୍ଥାନୀୟ ଲୋକମାନେ ନିଜ ଖର୍ଚ୍ଚରେ ତାକୁ ସଜାଡ଼ିଥିଲେ। ହେଲେ ଗତକାଲି ରାତିରେ କେତେକ ଦୁର୍ବୃତ୍ତ ବାଉଁଶ ପୋଲରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଏପରି ସମୟରେ ତେନ୍ତୁଳିଦା ପଞ୍ଚାୟତର ସରପଞ୍ଚ ସଞ୍ଜୀବ କର ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି  ତୁରନ୍ତ ସ୍ଥାୟୀ ସଂଯୋଗ ରାସ୍ତା ନିର୍ମାଣ ପାଇଁ ବ୍ଲକ୍‌ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Advertisment

ଉଲ୍ଲେଖ ଥାଉକି କିଛିଦିନ ତଳେ ବାଲେଶ୍ବର ସାଂସଦ ଓ ରେମୁଣା ବିଧାୟକ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସଂଯୋଗ ରାସ୍ତା ନିର୍ମାଣ ପାଇଁ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଥାଉକି ପ୍ରତିଦିନ ତେନ୍ତୁଳିଦା, ଦୁର୍ଗାଦେବୀ ଓ ପତ୍ରିପାଳ ପଞ୍ଚାୟତର ପାଖାପାଖି ୪୦ରୁ ଉର୍ଦ୍ଧ୍ବ ଗ୍ରାମର ହଜାର ହଜାର ଲୋକ ନଦୀ ପାର ହୋଇ ବାଲେଶ୍ବର, ରେମୁଣା, ମିତ୍ରପୁର ଓ ନୀଳଗିରିକୁ ଆସିଥା’ନ୍ତି। ମାତ୍ର ଭଲ ସଂଯୋଗ ରାସ୍ତା ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ୨୦୧୮ ମସିହାରେ ୧୩ କୋଟି ଟଙ୍କା ବ୍ୟୟରେ ଏଠାରେ ବିଜୁ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ପୋଲ ନିର୍ମାଣ ସରିଥିବା ବେଳେ ଠିକାଦାର ସଂଯୋଗୀକରଣ ରାସ୍ତା ନିର୍ମାଣ କରି ନଥିବାରୁ ବାଧ୍ୟହୋଇ ଲୋକେ ଏବେ ବି ବାଉଁଶ ପୋଲ ଦେଇ  ଯାତାୟାତ କରୁଛନ୍ତି।