ଋଣ ପରିଶୋଧ ନକରିବାରୁ ଘର ସିଲ କଲା ବ୍ୟାଙ୍କ

ଚଣ୍ଡିଖୋଲ : ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଏକ ଘର ସିଲ୍‌ କରିଛନ୍ତି। ବଡ଼ଚଣା ଥାନା ସୁଙ୍ଗୁଡ଼ା ଗ୍ରାମର ଜଣେ ମହିଳା ସୌଦାମିନୀ ସାମଲ ଘର ନିର୍ମାଣ ପାଇଁ ନିଜର ଜମିକୁ ଚଣ୍ଡିଖୋଲ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ବନ୍ଧାରଖି ୬ ଲକ୍ଷ ୧୦ ହଜାର ୫ ଶହ ଟଙ୍କା ଋଣ ନେଇଥିଲେ। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ ନକରିବାରୁ ସୁଧ ବାବଦକୁ ୮ ଲକ୍ଷ ୭୦ ହଜାର ଟଙ୍କା ହୋଇଯାଇଥିଲା। ବ୍ୟାଙ୍କ ପକ୍ଷରୁ ମହିଳାଙ୍କୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଉ ନଥିଲେ।

ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ବନ୍ଧାଜମିକୁ ନିଜ ଅଧୀନକୁ ନେବାକୁ ଚିଠି କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୨୩ ତାରିଖ ଦିନ ଘର ଖାଲି କରିବାକୁ ଚିଠି ମାଧ୍ୟମରେ ମହିଳାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେ ଘର ଖାଲି କରି ନଥିଲେ। ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଦର୍ପଣର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କ ଉପସ୍ଥିତିରେ ଥାନାଧିକାରୀ ସୁଶୀଲ ନାୟକ ପୁଲିସ ଫୋର୍ସ ସହ ପହଞ୍ଚି ମହିଳାଙ୍କ ଘରର ସମସ୍ତ ଜିନିଷପତ୍ର ବାହାର କରିଥିଲେ। ପରେ ସେହି ଘରେ ତାଲା ପକାଇ ଜଉମୁଦ ଦିଆ ଯାଇଥିଲା। ସମସ୍ତ ଋଣ ଓ ସୁଧ ଅର୍ଥ ପୈଠ କଲେ ତାଙ୍କ ଗୃହକୁ ଫେରାଇ ଦିଆଯିବ ବୋଲି ବ୍ୟାଙ୍କ ଶାଖା ପରିଚାଳକ ସୂଚନା ଦେଇଛନ୍ତି। ନଚେତ ଏହି ଗୃହକୁ ନିଲାମ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର