ବିଧାନସଭାରେ ଉଠିଲା ବସନ୍ତପୁର ଚାଷୀ ସମସ୍ୟା

ସମ୍ବଲପୁର: ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଅଧିଗୃହିତ ହୋଇଥିବା ଜମିରୁ ଉପଯୋଗ ହୋଇନଥିବା ଜମିକୁ ଲୋକଙ୍କୁ ଫେରେଇ ଦେବା ପାଇଁ ବିଧାନସଭାରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଦାବି ଉପସ୍ଥାପନ କରିଛନ୍ତି।

ହୀରାକୁଦ ନଦୀବନ୍ଧ ଯୋଜନାରେ ହୀରାକୁଦ ଜଳଭଣ୍ଡାରର ନିର୍ମାଣ କାର୍ଯ୍ୟ ସମୟରେ ସରକାର ୧୯୪୬ ମସିହାରେ ପ୍ରସ୍ତାବିତ ଚିପିଲିମା ସବ୍‌ସିଡ଼ିଆରି ରିଜର୍ଭର ସ୍ଥାପନ ପାଇଁ ବସନ୍ତପୁର ପଞ୍ଚାୟତର ୬ଟି ମୌଜାର ୭୫୦୦ ଏକର ଜମି ଚାଷୀମାନଙ୍କଠାରୁ ଅଧିଗ୍ରହଣ କରିଥିଲେ । କେବଳ ବସନ୍ତପୁର ମୌଜାରୁ ୨୭ଶହ ଏକର ଜମି ଅଧିଗୃହିତ ହୋଇଥିଲା। ତେବେ ୧୯୫୨ମସିହାରେ ନିଷ୍ପତ୍ତି ପରିବର୍ତ୍ତନକରି ସରକାର ବନ୍ଧ ବଦଳରେ ଚିପିଲିମାରେ ୫ ଶହ ଏକର ଜମିରେ ପାୱାର କେନାଲ ନିର୍ମାଣ କରିଥିଲେ। ବିହାର ଓ ଓଡ଼ିଶା ଜମି ଅଧିଗ୍ରହଣ ମେନୁଆଲ୍‌ ୧୯୨୯ ଅନୁସାରେ ଅବ୍ୟବୃହୃତ ଅବଶିଷ୍ଟ ୭ ହଜାର ଏକର ଜମି ସରକାର ଚାଷୀମାନଙ୍କୁ ଫେରସ୍ତ କରିବା କଥା। କିନ୍ତୁ, ତାହା ଏପର୍ଯ୍ୟନ୍ତ କରାଯାଇନାହିଁ। ଉକ୍ତ ଜମିରୁ ଏସ୍‌ଏଲ୍‌ବି ଫାର୍ମକୁ ୩୫୦୦ ଏକର, କେନ୍ଦ୍ରୀୟ ଗୋପ୍ରଜନନ ଫାର୍ମକୁ ୧୪୦୦ ଏକର, କୃଷି ଗବେଷଣା କେନ୍ଦ୍ର ଓ କୃଷି ମହାବିଦ୍ୟାଳୟକୁ ୮୦୦ ଏକର, ମତ୍ସ୍ୟ ଜାଅଁଳା ଉତ୍ପାଦନ କେନ୍ଦ୍ରକୁ ୫ ଏକର ଦିଆଯାଇଥିଲା । ଏହା ପରେ ମଧ୍ୟ ବହୁଜମି ଅବ୍ୟବହୃତ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ବସନ୍ତପୁର ପଞ୍ଚାୟତର ଗଡ଼ମୁଣ୍ଡା, ରେଙ୍ଗାଲିପାଲି, ସତୀଯୋର ଓ ତାଳପଦର ଗ୍ରାମର ସମୁଦାୟ ଚାଷୀମାନେ ମିଶି ପ୍ରାୟ ୮ଶହ ଏକରରୁ ଉର୍ଦ୍ଧ ଜମି ଦଖଲ କରି ଚାଷ କରିଆସୁଛନ୍ତି।

କିନ୍ତୁ, ରାଜସ୍ବ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରତି ୬ ମାସରେ ଥରେ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜରିମାନା ଆଦାୟ କରାଯାଉଛି। ସମସ୍ୟାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ବାଧା ସୃଷ୍ଟି ଓ ଟୋକନ୍ ସମସ୍ୟା ଏହି ଅଞ୍ଚଳରେ ଲାଗିରହିଛି। ଆଜି ବିଧାନସଭାରେ ବିଧାୟକ ଶ୍ରୀ ନାୟକ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଅଧିଗୃହିତ ହୋଇଥିବା ଜମିରୁ ଉପଯୋଗ ହୋଇନଥିବା ଜମିକୁ ଲୋକଙ୍କୁ ଫେରେଇ ଦେବାକୁ ଦାବି କରିଥିଲେ। ଶ୍ରୀ ନାୟକ କହିଲେ, ସେ ଆଗରୁ ବି ଏହି ପ୍ରସଙ୍ଗ ବିଧାନସଭାରେ ଉତ୍‌ଥାପନ କରିଛନ୍ତି। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଯଥାଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ  ସେ ଦାବି କରିଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ଏଠାକାର ଚାଷୀଙ୍କ ଉତ୍ପାଦିତ ଧାନ କିଣିବା ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ନାୟକ କହିଥିଲେ ‌ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର