ସମୁଦ୍ର କୂଳ ଲଂଘିଲା, ପୁରୀରେ ବି ମାଡ଼ି ଆସିଲାଣି

ସବୁ ଜାହାଜକୁ ଗଭୀର ସମୁଦ୍ରକୁ ପଠାଗଲା, ୨ହଜାର ଲୋକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଜଗତସିଂହପୁର/ଏରସମା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ଜଗତସିଂହପୁର ଜିଲ୍ଲାରେ ବଡ଼ ଧରଣର କ୍ଷତି କରିବାକୁ ଯାଉଛି। ସ୍ଥିତି ବିଗୁଡ଼ୁଥିବାରୁ ପାରାଦୀପ ବନ୍ଦରରେ ୧୦ ନମ୍ବର ବିପଦ ସଂକେତ ଦିଆଯାଇଛି। ବନ୍ଦର ଭିତରେ ଥିବା ସମସ୍ତ ୧୬ଟି ଜାହାଜକୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି। ସେପଟେ, ଏରସମାର ଶିଆଳିଠାରେ ସମୂଦ୍ର କୂଳ ଲଂଘୁଛି। ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମବାହିନୀ ବିପତ୍ତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି।

ଆଜି ପାରାଦୀପରେ ସର୍ବାଧିକ ୧୫୧ ମିମି ବର୍ଷା ରେକର୍ଡ କରାଯାଇଛିl ତୁହାକୁ ତୁହା ବର୍ଷାରେ ପାରାଦୀପର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ପାରାଦୀପ ବନ୍ଦରରୁ ୧୨ଟା ସୁଦ୍ଧା ବର୍ଥରେ ଥିବା ସମସ୍ତ ୧୬ଟି ଜାହାଜକୁ ଗତକାଲିଠାରୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି। ବନ୍ଦରରେ ୧୦ନମ୍ବର ବିପଦ ସଂକେତ ଦିଆଯାଇଛି। ବନ୍ଦର ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇ ବାତ୍ୟା ପରେ ଗଛ ଉପୁଡ଼ିଲେ ଅଥବା କୌଣସି କାରଣରୁ ଗମନାଗମନରେ ବାଧା ଉପୁଜିଲେ ତାହାକୁ ସଜାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି। ତଟରକ୍ଷୀବାହିନୀ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ‌ବନ୍ଦରର ଗେଟ୍-୪ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପାରାଦୀପରେ ମୋଟ୍ ୨୦ଟି ବାତ୍ୟା ଆଶ୍ରୟସ୍ଥଳରେ ବର୍ତ୍ତମାନ ସୁଦ୍ଧା ୨ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ପାରାଦୀପରେ ବର୍ତ୍ତମାନ ସୁଦ୍ଧା ୨୦ ଜଣିଆ ଓଡ୍ରାଫ୍ ଓ ୨୮ ଜଣିଆ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ପାରାଦୀପରେ ଥିବା ସାର କାରଖାନାଗୁଡ଼ିକରୁ ଯେପରି ଆମୋନିଆ ଗ୍ୟାସ୍ ଲିକ୍ ନ ହୁଏ, ସେଥିପାଇଁ ସତର୍କ ଓ ସଚେତନ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ, ଏରସମାର ଶିଆଳି ନିକଟରେ ସମୁଦ୍ର କୂଳ ଲଂଘୁଛି। ଶିଆଳି ଭ୍ୟୁ ଟାୱାର୍‌କୁ ସମୁଦ୍ରର ଉତ୍ତାଳ ତରଙ୍ଗ ମାଡ଼ କରୁଛି। ଯାହାକୁ ନେଇ ପଦ୍ମପୁର, ଗଡ଼ହରିଶପୁର, ଅମ୍ବିକି, ଗଡ଼ବିଶୁନପୁରର ନଳଭେଡ଼ି ଓ ଜପା ପଂଚାୟତର ଦହିବର ଗ୍ରାମବାସୀ, ନୋଳିଆସାହି ଓ ଗଡ଼କୁଜଙ୍ଗବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।

ପୁରୀରେ ବି ମାଡ଼ି ଆସିଲାଣି

ପୁରୀ: ବାତ୍ୟା ପ୍ରଭାବରେ ପୁରୀ ବେଳାଭୂମିରେ ସମୁଦ୍ର ଜୁଆର କୂଳ ଲଂଘିବା ଆରମ୍ଭ କରିଛି। ଉଚ୍ଚ ଜୁଆର ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି। ସ୍ବର୍ଗଦ୍ବାର ସମ୍ମୁଖରେ ସମୁଦ୍ର ଜୁଆର ବହୁ ଆଗକୁ ମାଡ଼ି ଆସିଥିବା ଦେଖିବାକୁ ମିଳିଛି। ପେଣ୍ଠକଟାରେ ବି ସମୁଦ୍ର ଜୁଆର ଆଗକୁ ଆସି ଲହଡ଼ି ଭାଙ୍ଗୁଥବା ଦେଖିବାକୁ ମିଳିଛି। ଅଘଟଣ ଆଶଙ୍କାରେ ପେଣ୍ଠକଟାବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

ଡାକବାଜି ଜରିଆରେ ସତର୍କ ସୂଚନା ଦିଆଯାଇଛି। ୨୦ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାରେ ବାରଣ କରାଯାଇଥିବାବେଳେ ପ୍ରାୟ ୧୩ଶହ ଡଙ୍ଗା ଏବେ ବି କୂଳରେ ବନ୍ଧା ହୋଇ ରହିଛି। ସ୍ବର୍ଗଦ୍ବାର ଓ ଆଖପାଖ ବେଳାଭୂମିରେ ଥିବା ଉଠା ଦୋକାନୀମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବେଳାମାର୍ଗ ରାସ୍ତାରେ ଉଠା ଦୋକାନୀମାନେ ସେମାନଙ୍କ ଦୋକାନ ଆଣି ସୁରକ୍ଷିତ ରଖିଛନ୍ତି। ଅନ୍ୟପଟେ ବାତ୍ୟା ଭୟରେ ପୂରା ସହର ଆଜି ଶୂନଶାନ୍‌ ରହିଛି। ଲଗାଣ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ଲୋକଙ୍କ ମନରେ ଭୟ ସଂଚାର କରିଛି।

ସମ୍ବନ୍ଧିତ ଖବର