କୋଣାର୍କ: ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦିଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ କରିଛି। ବାଲି କାଢ଼ିବା ସମୟରେ ମନ୍ଦିର ପିଢ଼ ଯେଭଳି ସୁରକ୍ଷିତ ରହିବ, ସେଥିପାଇଁ ଗତ ରବିବାର ମନ୍ଦିରର ହାତୀଦ୍ବାର ଓ ଘୋଡ଼ାଦ୍ବାରର ବିଭିନ୍ନ ସ୍ଥାନରେ ବିମ୍ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। ମନ୍ଦିର ପରିସରରେ ଦୀର୍ଘ ମାସ ଧରି ପଡ଼ି ରହିଥିବା ଲୁହା ବିମ୍କୁ କ୍ରେନ୍ ମାଧ୍ୟମରେ ମନ୍ଦିର ପିଢ଼କୁ ସୁରକ୍ଷିତ ରଖିବା ପାଇଁ ଲଗାଯାଉଛି। କିନ୍ତୁ ଏହି ଲୁହା ବିମ୍ ସୂର୍ଯ୍ୟମନ୍ଦିରକୁ ଦୁର୍ବଳ କରିବ ବୋଲି କିଛି ମହଲରୁ ଆଶଙ୍କା ପ୍ରକାଶ ପାଇଛି। ବ୍ୟବହୃତ ହେଉଥିବା ଲୁହା ବିମ୍ ଓ କ୍ରେନ୍ ସଂସ୍ପର୍ଶରେ ଆସି ମନ୍ଦିର କାରୁକାର୍ଯ୍ୟର କ୍ଷତି ଘଟିବ ବୋଲି ସେମାନେ ମତ ଦେଇଛନ୍ତି।
୨୦୨୦ ଫେବ୍ରୁଆରିରେ ସୂର୍ଯ୍ୟମନ୍ଦିର ସଂପର୍କିତ ଏକ ଉଚ୍ଚସ୍ତରୀୟ ଆଲୋଚନା ପରେ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।
ତେବେ ମନ୍ଦିରରୁ ବାଲି କଢ଼ାଯିବା ପାଇଁ ଯେଉଁ ସବୁ ଯନ୍ତ୍ରାଂଶ ଲାଗିବ, ତାହା କଳଙ୍କିବିହୀନ ହୋଇଥିବା ଆବଶ୍ୟକ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରି କହିଥିଲେ। ମାତ୍ର ଏବେ ତାହାର ଓଲଟା ଚିତ୍ର ଦେଖାଯାଉଛି। କଳଙ୍କିବିହୀନ ଷ୍ଟିଲ୍ ବିମ୍ ବଦଳରେ ଏବେ ଲୁହା ବିମ୍ ଲଗାଯାଉଛି ବୋଲି ଅଭିଯୋଗ ହୋଇଛି। ବାଲି କଢ଼ାଯିବା ସମୟରେ କାଳେ ମନ୍ଦିରର ଦୁର୍ବଳ ଅଂଶ ଭୁଶୁଡ଼ି ପଡ଼ିବ, ସେହି ଭୟରେ କଳଙ୍କି ବିହୀନ ଷ୍ଟିଲ୍ ବିମ୍ ସ୍ଥାନରେ ଲୁହା ବିମ୍ ଦିଆଯାଉଛି। କିନ୍ତୁ ଏହି ପ୍ରକ୍ରିୟାରେ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିକୁ ବିମ୍ ଲାଗି ରହିବାର ମଧ୍ୟ ଦେଖିବାକୁ ମିଳିଛି। ଏହା ଏହି ମୂର୍ତ୍ତିଗୁଡ଼ିକୁ କ୍ଷତି ଘଟାଇବାର ଆଶଙ୍କା ଥିବା ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଏନ୍ଏସିର କାଉନସିଲର ସୌମ୍ୟସୌରଭ ଦାଶ, କୋଣାର୍କ ଏନ୍ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ସୁରକ୍ଷା ସମିତିର ସଂପାଦକ ରାମକୃଷ୍ଣ ମହାନ୍ତି, ଆଇନଜୀବୀ ମାଧବାନନ୍ଦ ପତି, କୋଣାର୍କ ବିଶ୍ବ ହିନ୍ଦୁ ପରିଷଦ ସଭାପତି ଭାଗିରଥୀ ସ୍ବାଇଁ ପ୍ରମୁଖ କହିଛନ୍ତି। ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ କେତେ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି, ତାହାର ମଧ୍ୟ କୌଣସି କୌଣସି ସୂଚନା ଫଳକ ନାହିଁ କିମ୍ବା ତାହା ସାର୍ବଜନୀନ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ସେହିପରି ବିମ୍ ଲାଗାଯିବା କାର୍ଯ୍ୟରେ ସଂପୃକ୍ତ ଠିକାଦାର ଅଣକୁଶଳୀ ଶ୍ରମିକ ନିୟୋଜିତ କରିଥିବାର ମଧ୍ୟ ଅଭିଯୋଗ ଉଠୁଛି।