ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ କ୍ଷୟ ଯୋଗୁଁ ଭାଲୁ-ମଣିଷ ମଧ୍ୟରେ ବଢ଼ିବାରେ ଲାଗିଛି ଲଢ଼େଇ। ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହେଉଥିବା ଭାଲୁ ଭୟଭୀତ ହୋଇ ମଣିଷକୁ ଆକ୍ରମଣ କରୁଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ମଣିଷ ମଧ୍ୟ ପାଲଟା ଆକ୍ରମଣ କରୁଛି। ଯାହାଫଳରେ ଗତ ୫ବର୍ଷ ମଧ୍ୟରେ ଭାଲୁଙ୍କ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଲୋକଙ୍କ ଆକ୍ରମଣ ତଥା ଅନ୍ୟାନ୍ୟ କାରଣରୁ ଗତ ୫ବର୍ଷରେ ୧୭ ଭାଲୁ ମିରିଛନ୍ତି।
ସରକାରୀ ରେକର୍ଡ ଅନୁସାରେ ୨୦୧୮-୧୯ ବର୍ଷରେ ଭାଲୁ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଥିଲେ। ସେହିଭଳି ୫ଟି ଭାଲୁର ମୃତ୍ୟୁ ହୋଇଛି। ୨୦୧୯-୨୦ରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା, ୧୨ଜଣ ଗୁରୁତର ହୋଇଥିଲେ ଏବଂ ୫ ଭାଲୁ ମରିଛନ୍ତି। ୨୦୨୦-୨୧ରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଏବଂ ୨ ଭାଲୁ ମରିଛନ୍ତି। ୨୦୨୧-୨୨ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ଜଣ ଆହତ ଏବଂ ୪ଭାଲୁ ମରିଛନ୍ତି। ୨୦୨୨-୨୩ରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି ଏବଂ ଗୋଟିଏ ଭାଲୁ ମରିଛି।
ଜିଲ୍ଲାରେ ସଂରକ୍ଷିତ ଓ ପ୍ରସ୍ତାବିତ ଜଙ୍ଗଲ ପରିମାଣ ୧୨୨୧ ବର୍ଗକିମି ହୋଇଥିବା ବେଳେ ରାଜସ୍ବ ବିଭାଗ ଅଧୀନରେ ୧୨୪୧ ବର୍ଗକିମି ଗ୍ରାମ୍ୟ ଜଙ୍ଗଲ ରହିଛି। ଜିଲ୍ଲାର ମୋଟ ଜଙ୍ଗଲରୁ ପ୍ରାୟ ୪୯ ପ୍ରତିଶତ ଗ୍ରାମ୍ୟ ଜଙ୍ଗଲ। ବନ ବିଭାଗ ଜଙ୍ଗଲର ସଂରକ୍ଷଣ ଓ ବନୀକରଣ ପାଇଁ ପଦକ୍ଷେପ ନେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲର କିନ୍ତୁ ସଂରକ୍ଷଣ କିମ୍ବା ବନୀକରଣ ହୋଇପାରୁନି। ପୂର୍ବେ ବିଭିନ୍ନ ଚାଷ ପାଇଁ ଜଙ୍ଗଲ କଟିବା ଏବଂ ଜଙ୍ଗଲରେ ନିଆଁ ଲଗାଇ ଲୋକେ ନଷ୍ଟ କରୁଥିଲେ। ଏବେ ମକା ଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଛି। ଯାହାଫଳରେ ଭାଲୁ ଏବେ ବାରମ୍ବାର ଜନବସତି ମୁହାଁ ହେଉଛନ୍ତି। ଏପରିକି ଭାଲୁ ପଲ ରାଜରାସ୍ତାରେ ବୁଲୁଥିବା ଏବଂ ରାତି ହେଲେ ଜନବସତିକୁ ଆସୁଥିବା ଦେଖିବାକୁ ମିଳୁଛି। କେତେବେଳେ କାହା ଘରେ ପଶୁଛନ୍ତି ତ ଆଉ କେତେବେଳେ ସ୍କୁଲ କିମ୍ବା ମନ୍ଦିରରେ ଆଶ୍ରୟ ନେଉଛନ୍ତି। ତେଣୁ ଭାଲୁ ଓ ମଣିଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।
ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପ୍ରତିବର୍ଷ ବନୀକରଣ କରାଯିବା ସହିତ ବନ୍ୟଜନ୍ତୁ ପାଣି ପିଇବା ପାଇଁ ଜଙ୍ଗଲ ମଧ୍ୟରେ ପୋଖରୀ ବି ଖୋଳାଯାଉଛି। ଜଙ୍ଗଲରେ ଭାଲୁ ରହିବା ପାଇଁ ପ୍ରାକୃତିକ ବାସସ୍ଥଳୀ ମଧ୍ୟ କରାଯାଉଛି। ଏଥି ସହିତ ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ସାଟେଲାଇଟ୍ ଦ୍ବାରା ନିଆଁକୁ ଚିହ୍ନଟ କରି ନିଆଁ ଲିଭାଇବା ବ୍ୟବସ୍ଥା ବି କରାଯାଇଛି। ଏବେ ଜିଲ୍ଲାରେ ପ୍ରାୟ ଶହେ ଭାଲୁ ରହିଥିବା ଅନୁମାନ କରାଯାଉଛି। ଯଦି ଜଙ୍ଗଲରେ ଅବାଧ ପ୍ରବେଶ ଲାଗି ରୁହେ ତାହେଲେ ଆଗାମୀ ଦିନରେ ଭାଲୁ ଓ ମଣିଷ ମୁହାଁମୁହିଁ ସଂଖ୍ୟା ଆହୁରି ବଢ଼ିବ। ଏମିତି ସଂଘର୍ଷ ଜାରି ରହିଲେ ହୁଏତ ଆଗକୁ ଭାଲୁବଂଶ ଲୋପ ପାଇଯିବ ବୋଲି ମତ ପ୍ରକାଶ ପାଇଛି।