ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚୌହଦିର ବିକାଶ କରୁଛନ୍ତି ରାଜ୍ୟ ସରକାର। ନୂଆରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ଶ୍ରୀକ୍ଷେତ୍ରର କଳେବର। ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ନିର୍ବିଘ୍ନ ଶ୍ରୀମନ୍ଦିର ପରିକ୍ରମା ସହ ସାଧନାର ମୂଳପୀଠ ପାଲଟିବାକୁ ଯାଉଛି ଶ୍ରୀମନ୍ଦିର। ଏହି ପ୍ରକଳ୍ପ ସହ ନୂଆ ଜୀବନ ପାଇଛନ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠ, ମନ୍ଦିର। ପୂର୍ବରୁ ଜବରଦଖଲ ଓ ଦୋକାନବଜାରର ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇପଡ଼ୁଥିବା ଏହି ମଠ, ମନ୍ଦିର ଏବେ ମୁକ୍ତନିଃଶ୍ବାସ ଛାଡ଼ିବା ସହ ଝଲସିବା ଆରମ୍ଭ କରିଛନ୍ତି। ନୂଆ ଜୀବନ ପାଇଛି ମଠ, ମନ୍ଦିରର ପୁରୁଣା ଐତିହ୍ୟ। ଜୀବନ୍ତ ରୂପ ପାଇଛନ୍ତି କାରୁକାର୍ଯ୍ୟ। ପୁରୁଣା ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ୧୭ଟି ମଠ ଓ ୩ଟି ମନ୍ଦିରର ଚାଲିଛି ନବକଳେବର। ଯାହା ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭୂତି ପରସିବାକୁ ଯାଉଛି। ଯେଉଁଭଳି କାମ ହୋଇଛି, ତାହା ଆଗାମୀ ୧ହଜାର ବର୍ଷକୁ ଆଖି ଆଗରେ ରଖି କରାଯାଇଛି।
ପୁରୁଣା ଐତିହ୍ୟକୁ ନୂଆ ଜୀବନ
୧୭ ମଠ ଓ ୩ ମନ୍ଦିର ପୁନରୁଦ୍ଧାର
ମଠ, ମନ୍ଦିରର ଏହି ପୁନରୁଦ୍ଧାର ଓ ନବକଳେବର ପଛରେ ଯାହାର ଯୁଗୋପଯୋଗୀ ପରାମର୍ଶ ଓ ପ୍ରତ୍ୟକ୍ଷ ଅବଦାନ ରହିଛି, ସେ ହେଉଛନ୍ତି ବିଶିଷ୍ଟ ସ୍ଥପତି ଭବାନୀ ଶଙ୍କର ମିଶ୍ର। ଶ୍ରୀ ମିଶ୍ର ୧୫ ବର୍ଷ ହେଲାଣି ମହାପ୍ରଭୁଙ୍କ ସେବାରେ ଅଛନ୍ତି। ଶ୍ରୀମନ୍ଦିର ବୈଷୟିକ କମିଟିର ଉପକମିଟିରେ ରହି ସ୍ଥପତିର ରୂପରେଖ ଉପରେ ଦେଇ ଆସୁଛନ୍ତି ଆବଶ୍ୟକ ପରାମର୍ଶ। ଶ୍ରୀ ମିଶ୍ର କହିଛନ୍ତି, ଏତେ ବର୍ଷ ମହାପ୍ରଭୁଙ୍କ ପାଖରେ ସେବା କରିବା ସୌଭାଗ୍ୟର ବିଷୟ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଏତେ ବର୍ଷ ସେବା କରିବାର ଫଳସ୍ବରୂପ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ମଠ, ମନ୍ଦିର କାମ କରିବାର ସୌଭାଗ୍ୟ ମିଳିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ବାବେଙ୍ଗାଲୁର ଭୂମିପୂତ୍ର ସଂସ୍ଥା ପ୍ରସ୍ତୁତ କରିଥିଲା। ଦେଶର ବିଭିନ୍ନ ରାଜ୍ୟର ବହୁ ସ୍ଥପତିଙ୍କୁ ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା। ଦେଶର ସ୍ଥପତିଙ୍କ ଭିତରେ ଓଡ଼ିଶାରୁ ସେ ପରିକ୍ରମା ପ୍ରକଳ୍ପ ପାଇଁ କାମ କରିବାର ସୁଯୋଗ ପାଇଥିଲେ। ପ୍ରଥମେ ଓବିସିସି ଓ ପରେ ଟାଟା ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ଆଗେଇ ନେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମାଟି ତଳେ ଯେଉଁଭଳି କାମ ହୋଇଛି, ତାହା ଆଖିରେ ଦେଖିଲେ ବିଶ୍ବାସ କରିହେବନି। ଏଥିପାଇଁ ବହୁ କଷ୍ଟ ବି କରିବାକୁ ପଡ଼ିଛି। ସ୍ବେରେଜ୍ କଥା ହେଉ କି ଇଲେକ୍ଟ୍ରି ଅବା ଅନ୍ୟାନ୍ୟ ବ୍ୟବସ୍ଥା, ଯେଉଁଭଳି ଢଙ୍ଗରେ ମାଟି ତଳେ କାମ କରାଯାଇଛି, ତାହା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ୧୭ଟି ମଠ ଓ ୩ଟି ମନ୍ଦିର ଉନ୍ନତୀକରଣରେ ସେ ପ୍ରତ୍ୟକ୍ଷ ଜଡ଼ିତ ଅଛି। ତାଙ୍କ ପରାମର୍ଶ ଆଧାରରେ ମଠ, ମନ୍ଦିରକୁ କଳିଙ୍ଗର କଳା ଓ ସ୍ଥାପତ୍ୟର ନିଖୁଣ ଛାପ ଦିଆଯାଉଛି। ଏନ୍ଏମ୍ଏଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲା, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠ, ମନ୍ଦିରର କାରୁକାର୍ଯ୍ୟ ଅକ୍ଷୁର୍ଣ୍ଣ ରହିବ। ମଠ, ମନ୍ଦିରର ନିର୍ମାଣ ଶୈଳୀରେ କୌଣସି ପରିବର୍ତ୍ତନ ହେବନି। ଆମେ ଅବିକଳ ପୂର୍ବଭଳି ମଠ, ମନ୍ଦିରର ପୁନରୁଦ୍ଧାର କରିଛୁ। ଯେଉଁଠି ଯେଉଁ କାରୁକାର୍ଯ୍ୟ ଥିଲା, ତାହା ଅକ୍ଷତ ରହିଛି। ଶ୍ରୀ ମିଶ୍ର କହିଛନ୍ତି, ପୁନରୁଦ୍ଧାର ପୂର୍ବରୁ ମଠ, ମନ୍ଦିର ବହୁ ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା। ଏହାକୁ ପୁନରୁଦ୍ଧାର କରିବାରେ ବହୁ ପରିଶ୍ରମ କରିବାକୁ ପଡ଼ିଛି। ମିସ୍ତ୍ରୀ ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ୧୦୦ଜଣ, ଏହି ପୁନରୁଦ୍ଧାର କାମକୁ ପୂର୍ଣ୍ଣରୂପ ଦେଇଛନ୍ତି। ଆଜି ଯାହା କିଛି ହୋଇଛି, ତାହା ମହାପ୍ରଭୁଙ୍କ ଆଶୀର୍ବାଦ। ମହାପ୍ରଭୁଙ୍କ ଅପାର କରୁଣାରୁ ଏତେ ବଡ଼ ବଡ଼ ବିକାଶ କାର୍ଯ୍ୟ ପୂର୍ଣ୍ଣରୂପ ନେଇଛି। ଏହି ବିକାଶ ୧୫ ବର୍ଷ ତଳର ସ୍ବପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଇଚ୍ଛାଶକ୍ତି ଦେଖାଇନଥିଲେ, ଆଜି ଏତେ ବଡ଼ ବଡ଼ କାମ କେବେ ବି ସମ୍ଭବପର ହୋଇପାରିନଥାନ୍ତା। ଶ୍ରୀ ମିଶ୍ର କହିଛନ୍ତି, ଯେଉଁ କାମ ହେଉଛି, ତାହା ଭବିଷ୍ୟତ ପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିବ।
ଓଡ଼ିଶାର ଧାର୍ମିକ ବିଭବ ‘ମଠ’
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମନ୍ବୟ ପାଇଁ ଶ୍ରୀକ୍ଷେତ୍ରରେ ପ୍ରାଚୀନ କାଳରୁ ଗଢ଼ି ଉଠିଛି ମଠ ସଂସ୍କୃତି। ମହାତ୍ମା, ସାଧୁ ସନ୍ଥମାନେ ପୁରୀରେ ମଠ ସ୍ଥାପନ କରି ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରାଇଥିଲେ। ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ମଠଗୁଡ଼ିକୁ ଧର୍ମ, ସଂସ୍କୃତି, ଶିକ୍ଷା ବ୍ୟବସ୍ଥାରେ ବିକାଶରେ ସହଯୋଗ କରି ଆସୁଥିଲେ। ନିରାଶ୍ରୟଙ୍କୁ ଆଶ୍ରୟ ଓ ଅନ୍ନଛତ୍ର ପ୍ରଦାନ କରି ମଠଗୁଡ଼ିକ ମହାନୁଭବର ପରିଚୟ ଦେଇ ଆସିଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ସିଦ୍ଧ, ସାଧୁ, ସନ୍ନ୍ୟାସୀମାନଙ୍କୁ ମଠ ଆତିଥେୟତା ଦେଉଥିଲେ। ଓଡ଼ିଶାର ଧାର୍ମିକ ବିଭବ ରୂପେ ମଠ ସଂସ୍କୃତିକୁ ବିବେଚନା କରାଯାଏ।
୧୧୪୮ ଖ୍ରୀଷ୍ଟାବ୍ଦର ଏମାର ମଠ
ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଶ୍ରୀରାମାନୁଜାଚାର୍ଯ୍ୟ ୧୧୪୮ ଖ୍ରୀଷ୍ଟାବ୍ଦରେ ଦକ୍ଷିଣରୁ ଆସି ପୁରୀରେ ପରମ୍ପରା ରକ୍ଷା କରିବାକୁ ‘ଏମାର ମଠ’ ସ୍ଥାପନ କରିଥିଲେ। ଏମାର ମଠ ବଡ଼ସିଂହାର ବେଶ ପାଇଁ ଫୁଲ ଚନ୍ଦ୍ରିକା ଓ ଚଉସରାମାଳ ଯୋଗାଇଥାଏ। ଏମାର ମଠ ପକ୍ଷରୁ ପ୍ରାଚୀନ ରଘୁନନ୍ଦନ ପାଠାଗାର ନିର୍ମିତ ହୋଇଥିଲା। ଏଠାରେ ଜଗନ୍ନାଥ ଚେତନା, ଉପାସନା ସମ୍ବନ୍ଧୀୟ ଅନେକ ପୁସ୍ତକ ଓ ତାଳପତ୍ର ପୋଥି ରଖାଯାଇଥିଲା। ବହୁ ରାଜା ମହାରାଜାମାନେ ଏହି ମଠକୁ ଧନସମ୍ପତି ଦାନ କରିଥିଲେ। ୬ ତାଲା ବିଶିଷ୍ଟ ଏହି କୋଠାରେ ଖାଦ୍ୟ ଶସ୍ୟ ମହଜୁଦ ରହୁଥିଲା। ପୁରୀ ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଅବଢ଼ା ଓ ଖାଦ୍ୟପେୟର ବ୍ୟବସ୍ଥା ଏହି ମଠ ତରଫରୁ କରାଯାଉଥିଲା। ସେହିଭଳି ଚତୁର୍ଦ୍ଦଶ ଶତାବ୍ଦୀରେ ଶ୍ରୀରାମାନନ୍ଦାଚାର୍ଯ୍ୟ ମୁସଲମାନଙ୍କ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ‘ଛାଉଣି ମଠ’ ସ୍ଥାପନ କରି ହନୁମାନଙ୍କ ଉପାସକ ରୂପେ ମନ୍ଦିରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିଥିଲେ।
ପ୍ରଦକ୍ଷିଣ ମାର୍ଗରେ ସବୁଜ ବଳୟ
ପୁରୀ: ସବୁଜିମାମୟ ହେବ ପରିକ୍ରମା ମାର୍ଗ। ସବୁଜ ବଳୟରେ ଚକା ଆଖି ସଂଦର୍ଶନ କରିବେ ଭକ୍ତ। ପାହାଚ ଭଳି ସଜେଇ ହେବ ବୃକ୍ଷରାଜି। ଲ୍ୟାଣ୍ଡିସ୍କେପିଂ ଅଞ୍ଚଳରେ ଏଭଳି ନିଆରା ଅନୁଭବ ନେବେ ଭକ୍ତ। ସବୁଜିମାର ସୌନ୍ଦର୍ଯ୍ୟ ସହ ଫୁଲ ଓ ତୁଳସୀର ମହକ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରୁଥିବା ଭକ୍ତଙ୍କୁ ସମ୍ମୋହିତ କରିବ। ସମ୍ପୂର୍ଣ୍ଣ ପରିକ୍ରମା ମାର୍ଗରେ ପ୍ରାୟ ୧୨୦ କିସମର ୧ଲକ୍ଷ ଗଛ ଲଗାଯାଉଛି। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ରୋପଣ ହେଉଥିବା ବୃକ୍ଷରାଜି ଶ୍ରୀଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ। ବଫର୍ ଜୋନ, ବାହାର ପ୍ରଦକ୍ଷିଣ ଓ ଅନ୍ତଃ ପ୍ରଦକ୍ଷିଣ ମାର୍ଗ ପାର୍ଶ୍ବ ଫୁଲ ଓ ସାଜସଜ୍ଜା ଗଛରେ ସୁସଜ୍ଜିତ ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଭାଗରେ ଲ୍ୟାଣ୍ଡ୍ସ୍କେପିଂରେ ସୃଜନୀ ଛିଟା ଦେଖିବାକୁ ମିଳିବ। ଲ୍ୟାଣ୍ଡ୍ସ୍କେପିଂ ଦାୟିତ୍ବ ନେଇଛନ୍ତି ୨ଟି ଏଜେନ୍ସି। ଦୁଇ ସଂସ୍ଥା ଅଧୀନରେ ୧୫୦ରୁ ଅଧିକ ମାଳି ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯଦିଓ ବର୍ଷେ ତଳୁ ଖସଡ଼ା ପ୍ରସ୍ତୁତ ହୋଇଥିଲା, କିନ୍ତୁ ମାସେ ହେବ ନିରନ୍ତର ରାତି ଦିନ କାମ ଚାଲିଛି।
ତୁଳସୀରୁ କୁନ୍ଦମଲ୍ଲୀ...
ଲାଣ୍ଡ୍ସ୍କେପିଂ ଅଞ୍ଚଳରେ ଛୋଟଗଛ ମଧ୍ୟରେ ତୁଳସୀ, କାମିନୀ, ମଲ୍ଲୀ, ହେନା, ଜୁଇ, ଟଗର, ତରାଟ, ସୁଗନ୍ଧରାଜ, କୁନ୍ଦମଲ୍ଲୀ, ରେଡ୍ ଆଲ୍ଡର, ଗ୍ରିନ୍ ଆଲ୍ଡର, ପେଣ୍ଟାସ୍, ସିଜିୟମ୍, ଇକ୍ଜୋରା, ରୋଇଓ, ଆମାଜନ ବ୍ଲୁ ଓ ପାଣ୍ଡାନ୍ସ ଭଳି ଗଛ ଶୋଭା ପାଇବ। ଛୋଟ ଓ ବଡ଼ ପ୍ରଜାତିର ଗଛକୁ ମିଶାଇ ପ୍ରାୟ ୧୨୦ ପ୍ରଜାତିର ବୃକ୍ଷରାଜି ପରିକ୍ରମା ପ୍ରକଳ୍ପ ମଧ୍ୟରେ ଶୋଭା ବଢ଼ାଇବ। ଉତ୍ତର ଓ ପଶ୍ଚିମ ପାର୍ଶ୍ବ ଲ୍ୟାଣ୍ଡ୍ସ୍କେପିଂ ଦାୟିତ୍ବ ନିର୍ବାହ କରୁଥିବା ଗ୍ରିନ୍ ୱେ କ୍ରିଏସନ୍ସ ପ୍ରାଇଭେଟ ଲିମିଟେଡର ରଜନୀଶ କୁମାର ସିଂହ କହିଛନ୍ତି, ବଡ଼ ଓ ଛୋଟ ବୃକ୍ଷରାଜିଗୁଡ଼ିକୁ ସ୍ଥାନୀୟ ଓ ରାଜ୍ୟ ବାହାରୁ ସଂଗ୍ରହ କରାଯାଇଛି। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ସର୍ବାଧିକ ଗଛ ଆସିଥିବା ବେଳେ ଉତ୍ତରପ୍ରଦେଶ ସାହାରନପୁର, କୋଲକାତା, ବେଙ୍ଗାଲୁର, ଛତିଶଗଡ଼, ମହାରାଷ୍ଟ୍ରରୁ ଗଛ ମଗାଯାଇଛି। ବଡ଼ ଗଛଗୁଡ଼ିକୁ ଯତ୍ନର ସହ ଚେର ସହ ଅଣାଯାଇଛି। ଜଳବାୟୁର ସ୍ଥିତି ଓ ଉଚିତ ପରିଚାଳନା ଯୋଗୁ ଖୁବଶୀଘ୍ର ଗଛଗୁଡ଼ିକୁ ସୁସ୍ଥ ସବଳ ଗଛରେ ପରିଣତ ହୋଇଯିବେ।
ଚନ୍ଦନପୁରରୁ ଆସିଛି ମାଟି
ପରିକ୍ରମା ମାର୍ଗକୁ ସବୁଜ ବଳୟ ସୃଷ୍ଟି ପାଇଁ ଚନ୍ଦନପୁରରୁ ମାଟି ଅଣାଯାଇଛି। ମାଟିର ପ୍ରକ୍ରିୟାକରଣ କରାଯାଇଛି। ସ୍ଥାନୀୟ ମାଟି ଶୀଘ୍ର ଗଛଗୁଡ଼ିକୁ ବଢ଼ିବାରେ ସହାୟତା କରିବ। ସେଥିପାଇଁ ଚନ୍ଦନପୁରରୁ ମାଟି ସଂଗ୍ରହ କରିଛୁ େବାଲି ରଜନୀଶ ସିଂହ କହିଛନ୍ତି।
ଉତ୍ତର, ପଶ୍ଚିମ ଓ ଦକ୍ଷିଣ ପ୍ରଦକ୍ଷିଣ ମାର୍ଗରେ ପ୍ରାୟ ୧ଲକ୍ଷରୁ ଅଧିକ ବୃକ୍ଷରାଜି ଲଗାଯାଇଛି। ପୂର୍ବ ଦ୍ବାର ତଥା ସିଂହଦ୍ବାର ପାର୍ଶ୍ବ ପର୍ବପର୍ବାଣୀ ପାଇଁ ମୁକ୍ତ ରଖାଯାଇଥିଲେ ବି ଚଳମାନ ବାକ୍ସ ମଧ୍ୟରେ ଏହି ଗଛ ଲଗାଯାଉଛି। ବଫର୍ ଜୋନ୍ରେ ସ୍ଥାୟୀ ଭାବେ ବୃକ୍ଷରାଜି ଲଗାଯିବ। ଏହାବ୍ୟତୀତ କିଛି ଶୋଭାବର୍ଦ୍ଧନକାରୀ ଗଛ ବି ଚଳମାନ ବାକ୍ସ ମଧ୍ୟରେ ରଖାଯାଇ ସିଂହଦ୍ବାର ପ୍ରଦକ୍ଷିଣ ମାର୍ଗରେ ଶୋଭା ପାଇବ। ରଥଯାତ୍ରା କିମ୍ବା ଅନ୍ୟ ପର୍ବ ପର୍ବାଣୀରେ ଯେତେବେଳେ ଅଧିକ ଭିଡ଼ ହେବ, ସେତେବେଳେ ଏହାକୁ ସ୍ଥାନାନ୍ତର କରିବା ସହଜ ହେବ। ଗ୍ରିନ୍ ୱେ କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ ୫ ବର୍ଷ ପର୍ଯ୍ୟନ୍ତ ଏହି ପୁଲଗଛଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ବହନ କରିବ।
ବାସ ଚହଟାଇବ ସୁଗନ୍ଧରାଜ-ତୁଳସୀ
ପରିକ୍ରମା ମାର୍ଗରେ ସବୁଜିମା ପରିବେଶ ସହ ଫୁଲ ଓ ତୁଳସୀର ମହକ ପାଇବେ ଭକ୍ତ। ସାଜସଜା ପାଇଁ ପ୍ରାୟ ୯୦ ହଜାର ଗଛ ଲଗାଯାଇଛି। ମହକ ପାଇଁ ପ୍ରାୟ ୨୨ହଜାରରୁ ଅଧିକ ତୁଳସୀ ଗଛ ଲଗାଯାଉଛି। ଏହା ବ୍ୟତୀତ ସୁଗନ୍ଧରାଜ, ସ୍ବର୍ଣ୍ଣଚମ୍ପା, ମଲ୍ଲୀ, କୁନ୍ଦମଲ୍ଲୀ, ହେନା, ଜୁଇ, କାମିନୀ ଭଳି ଫୁଲ ଗଛ ମଧ୍ୟ ରହିଛି। ପରିକ୍ରମା ମାର୍ଗକୁ ସବୁଜ ବଳୟ ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଗଦର୍ଶନ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ତିଆନ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟଚାଲିଛି। ଫୁଲଗଛର ସୁଗନ୍ଧ ଓ ତୁଳସୀ ବାସ୍ନାର ମହକରେ ପରିକ୍ରମା ମାର୍ଗରେ ଭକ୍ତମାନେ ପ୍ରଦକ୍ଷିଣ କରିବା ବେଳେ ନିଶ୍ଚିତ ଭାବେ ଆନନ୍ଦିତ ହେବେ। ପରିକ୍ରମା ମାର୍ଗରେ ବୁଲିବା ବେଳେ ସେମାନେ କେବଳ ସେଲ୍ଫି ଉଠାଇବା ପାଇଁ ଅଟକିବେ ନାହିଁ, ବରଂ ସୁଗନ୍ଧରାଜ-ତୁଳସୀର ସୁଗନ୍ଧ ସେମାନଙ୍କୁ ଘଡ଼ିଏ ଠିଆହେବା ପାଇଁ ବାଧ୍ୟ କରିବ। ଏହା ନିକଟରେ ଥିବା ମୁକ୍ତାକାଶ ମଣ୍ଡପରେ ସମୟ ବିତାଇବାକୁ ଭକ୍ତମାନେ ନିଶ୍ଚିତ ଆଗ୍ରହ ପ୍ରକାଶ କରିବେ।
ଦଶନାମୀ ସନ୍ୟାସୀଙ୍କ ଲଙ୍ଗୁଳି ମଠ
ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଛି ଲଙ୍ଗୁଳି ମଠ। ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ଏହି ମଠ ୧୬୪୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ମଠ ଏକ ଧୂନୀ କୁଣ୍ଡ ମେଘନାଦ ପାଚେରି କଡ଼ରେ ରହିଛି। ଯେଉଁ କୁଣ୍ଡରେ ଲଙ୍ଗୁଳି ମଠର ଧୂନୀ ସର୍ବଦା ଜଳିଥାଏ। ମଠରେ ପ୍ରତିବର୍ଷ ରଥଯାତ୍ରା ସମୟରେ ବହୁସଂଖ୍ୟାରେ ନାଗାସାଧୁ ଆସି ରହିଥାନ୍ତି। ଦଶନାମୀ ସାଧୁଙ୍କ ମଧ୍ୟରେ ନାଗାସାଧୁ ଅନ୍ୟତମ। ସେମାନେ ମଠରେ ରହିବା ସହ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।
ଏହି ମଠ ପରିସରରେ ଚତୁଦ୍ଧାର୍ମୂର୍ତ୍ତି ପୂଜା ପାଉଛନ୍ତି। ପ୍ରଥମ କରି ଉଚ୍ଛେଦ ହୋଇଥିବା ଏହି ମଠର ପୁନରୁଦ୍ଧାର କାମ ବି ପ୍ରଥମେ ଶେଷ ହୋଇଛି।