ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ କୋମନା ବ୍ଲକ୍‌ ଦେଇ ସୁନ୍ଦର ନଦୀ ପ୍ରବାହିତ ହେଉଛି। ଦିନ ଥିଲା ଏହି ନଦୀର ଶଯ୍ୟା ବାଲିରେ ଭର୍ତ୍ତି ରହିଥିଲା। ହେଲେ ବର୍ତ୍ତମାନ ନଦୀଶଯ୍ୟା ଲତାବୁଦାରେ ଭର୍ତ୍ତି ହୋଇରହିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ବାଲି ଚୋରାଚାଲାଣ ଯୋଗୁଁ ଏପରି ସ୍ଥିତି ହୋଇଥିବା ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ସୁନ୍ଦର ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରି ୧୦୦ କିମିରୁ ଅଧିକ ବାଟ ଅତିକ୍ରମ କରିବା ପରେ ଶେଷରେ ଏହା ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ସୀମାନ୍ତ ତୁକଲାଠାରେ ଇନ୍ଦ୍ର ନଦୀରେ ମିଶିଛି। ୨୦୦୧ ମସିହାରେ ସୁନ୍ଦର ନଦୀର ଜଳକୁ କୋମନା ବ୍ଲକ୍‌ ଓ ଖଡ଼ିଆଳ ବ୍ଲକ୍‌ର ମଧ୍ୟବର୍ତ୍ତୀ ଅଞ୍ଚଳ ସାନମହେଶ୍ୱର ପଞ୍ଚାୟତର ତିଖାଲି ଗ୍ରାମଠାରେ ଅଟକାଯାଇ ସେଠାରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପକ୍ଷରୁ ତିଖାଲି ଡ୍ୟାମ୍‌ ନିର୍ମାଣ କରାଯାଇଛି। 

Advertisment

ବର୍ତ୍ତମାନ ସୁନ୍ଦରନଦୀ ନୂଆପଡ଼‌ା ଓ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ଜୀବନରେଖା ପାଲଟିଛି। ନଦୀକୂଳରେ ବସବାସ କରୁଥିବା ଗ୍ରାମବାସୀ ସ୍ନାନଶୌଚ, ପାନୀୟଜଳ, ଜଳସେଚନ ଇତ୍ୟାଦି କାର୍ଯ୍ୟ ପାଇଁ ସୁନ୍ଦରନଦୀ ଉପରେ ନିର୍ଭରଶୀଳ। ହେଲେ ଗତ କିଛିବର୍ଷ ଧରି ନଦୀରୁ ବେଆଇନ ବାଲି ଚାଲାଣ ଯୋଗୁଁ ନଦୀର ଅବସ୍ଥା ଶୋଚନୀୟ ହୋଇଗଲାଣି। ପୁଣି ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ନଦୀ ଉପରେ ପଡ଼ିଛି। ନଦୀଶଯ୍ୟାରେ ଏବେ ବାଲି ବଦଳରେ ଅନାବନା ଲତାବୁଦାର ଜଙ୍ଗଲ ସୃଷ୍ଟି ହେଲାଣି। ଫଳରେ ନଦୀ ତା’ର ଅସ୍ତିତ୍ବ ହରାଇବାକୁ ବସିଛି।