ସେଡ୍‌ ପଛରେ ଲୁଚିଯାଉଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ, ଦେଖାଯାଉନି ମେଘନାଦ ପ୍ରାଚୀର

ବର୍ଷେ ତଳୁ ଆପତ୍ତି ଉଠାଇଲାଣି ପ୍ରତ୍ନତତ୍ତ୍ବ ବିଭାଗ
ଜୋତାଷ୍ଟାଣ୍ଡ୍‌, ସେଡ୍‌ ବେଆଇନ୍‌ ବୋଲି ଦର୍ଶାଇ ଆସିଛି

ପୁରୀ : ଭକ୍ତଙ୍କୁ ସୁବିଧା ଆଳରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବହୁ ଉଚ୍ଚର ସେଡ୍‌ ନିର୍ମାଣ ଚାଲିଛି। ପ୍ରଥମେ ସିଂହଦ୍ବାର, ଏବେ ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ ଏହି ସେଡ୍‌ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଉନି, ମେଘନାଦ ପାଚେରି ବି ଏହାର ପୂର୍ଣ୍ଣ ଅଢ଼ୁଆଳକୁ ଚାଲି ଆସିଛି। ଏ ନେଇ ବର୍ଷକ ତଳୁ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇ ଆସିଥିଲେ ବି ଏହାକୁ ନା ଜିଲ୍ଲା ପ୍ରଶାସନ ନାଁ ଶ୍ରୀମନ୍ଦିର ପ୍ରଶାସନ, କେହି ବି କର୍ଣ୍ଣପାତ କରୁନାହାନ୍ତି। ଓଲଟା ପ୍ରତିବର୍ଷ ରଥଯାତ୍ରା ସମୟରେ ସିଂହଦ୍ବାର ସମ୍ମୁଖ ସେଡ୍‌ ଖୋଲା ଓ ଲଗାଇବାରେ ପ୍ରାୟ ୧୩ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଉଛି। ଏଣୁ ଏଭଳି କିଛି ନ କରି ଚାରିଦ୍ବାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ଦାବି ହୋଇ ଆସୁଥିଲେ ବି ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି। ଓଲଟା ଅଯଥା ଖର୍ଚ୍ଚର କେବଳ ବାଟ ଖୋଲି ଚାଲିଛନ୍ତି।

ଭକ୍ତଙ୍କ ଦର୍ଶନ ପାଇଁ ପୂର୍ବରୁ ମେଘନାଦ ପାଚେରିକୁ ଲାଗି ରାସ୍ତା କଡ଼କୁ ସେଡ୍‌ ନିର୍ମାଣ କରାଯାଇଥିଲା। ଏହା ସେତେ ଉଚ୍ଚ ବି ନ ଥିଲା। ଫଳରେ ଶ୍ରୀମନ୍ଦିରକୁ ଭକ୍ତମାନେ ସ୍ପଷ୍ଟ ଦେଖି ପାରୁଥିଲେ। ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ସାହିର ଲୋକେ ବି ସୁବିଧାରେ ଯା’ଆସ କରି ପାରୁଥିଲେ। ଘରୁ ବାହାରିଲେ ଓ ଫେରିବା ବେଳେ ପତିତପାବନଙ୍କୁ ଦେଖି ପାରୁଥିଲେ। କିନ୍ତୁ ଏବେ ବଡ଼ଦାଣ୍ଡ ମଝିରେ ଜାତୀୟ ରାଜପଥରେ ବିରାଟ ସେଡ୍‌ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଲୁଚାଇ ଦେଇନି, ସାହି ଲୋକେ ଯାଆସରେ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି। ଭିଡ଼ ଭିତରେ କଲବଲ ହେବାକୁ ପଡ଼ୁଛି। ପତିତପାବନଙ୍କୁ ଦର୍ଶନ କରିବା କାଠିକର ହୋଇଯାଇଛି।

ଏହାପରେ କିଛି ମାସ ତଳେ ପଶ୍ଚିମଦ୍ବାରରେ ସେଡ୍‌ ନିର୍ମାଣ କରାଯାଇଛି। ଚଳିତ ମାସରେ ଏହି ସେଡ୍‌କୁ ଦକ୍ଷିଣଦ୍ବାର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏଣୁ ଦକ୍ଷିଣପାର୍ଶ୍ବ ଓ ପଶ୍ଚିମପାର୍ଶ୍ବରୁ ସେଡ୍‌ ପଛରେ ମେଘନାଦ ପାଚେରି ଲୁଚିଯାଇଛି। ୨୦୨୧ ମସିହା ମେ’ ୧୮ରେ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ଏକ ୫ ଜଣିଆ ଦଳ ଏହାର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ରିପୋର୍ଟରେ ନୂଆ ସେଡ୍‌ ଓ ଜୋତାଷ୍ଟାଣ୍ଡ୍‌କୁ ନେଇ ଆପତ୍ତି ଉଠାଇଥିଲେ। ପ୍ରତ୍ନତତ୍ତ୍ବ ବିଭାଗର ବିନା ଅନୁମତିରେ ଆମସାର ଆଇନକୁ ଖୋଲା ଉଲ୍ଲଙ୍ଘନ କରି ଏହି ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଥିଲା। ଏହି ରିପୋର୍ଟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବି ପ୍ରଦାନ କରାଯାଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏ ସଂପର୍କରେ ଅବଗତ କରାଯାଇଥିଲା। ଏ ଭିତରେ ବର୍ଷେ ବିତିଥିଲେ ବି କୌଣସି ପଦକ୍ଷେପ ନିଆଯାଇନି। ଓଲଟା ବର୍ଷକୁ ବର୍ଷ ସେଡ୍‌ ଖୋଲା-ଲଗାଇବାରେ ଲକ୍ଷ ଲକ୍ଷ ଖର୍ଚ୍ଚ କରାଯାଉଛି। ଗତ ଦୁଇ ବର୍ଷ ଭିତରେ କେବଳ ସିଂହଦ୍ବାର ସେଡ୍‌ ଖୋଲା ଓ ଲଗାରେ ଓବିସିସି ଜରିଆରେ ପ୍ରାୟ ୨୩ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ସରିଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର