ବୁଗୁଡ଼ା: ଗଞ୍ଜାମ ଜିଲ୍ଲାକୁ ନିମ୍ନମାନର ଓ ଅପମିଶ୍ରିତ ମାଣ୍ଡିଆ ଯୋଗାଣ ଅଭିଯୋଗ ହୋଇଛି। ଆଜି ବୁଗୁଡ଼ା ସହରରେ ହିତାଧିକାରୀମା‌ନେ ଏଭଳି ମାଣ୍ଡିଆକୁ ରାସ୍ତାରେ ଫିଙ୍ଗି ପ୍ରତିବାଦ ଜଣାଇବା ପରେ ସାରା ଜିଲ୍ଲାରେ ଏଭଳି ଅନିୟମିତତା ହୋଇଥିବା କୁହାଯାଉଛି। ଆବଶ୍ୟକସ୍ଥଳେ ଏହାର ତଦନ୍ତ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment

ସୂଚନା ଅନୁସାରେ ମାଗଣାରେ ପ୍ରତି ହିତାଧିକାରୀଙ୍କୁ ୩ କିଲୋ ୩୦୦ ଗ୍ରାମ ହିସାବରେ ମାଣ୍ଡିଆ ବାଣ୍ଟିବା ପାଇଁ ପାଇଁ ୩ ଦିନ ତଳେ ଗଞ୍ଜାମ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ୍ ଡିଲର୍‌ମାନଙ୍କ ପାଖକୁ ମାଣ୍ଡିଆ ଆସିଥିଲା। ଗତ ୨୭ ତାରିଖରୁ ଡିଲର୍‌ମାନେ ଏହାର ବଣ୍ଟନ ଆରମ୍ଭ କରିଛନ୍ତି। ବୁଗୁଡ଼ାର ଡିଲର୍ ପ୍ରକାଶ ଚନ୍ଦ୍ର ସାହୁ ଏନ୍‌ଏସିର ୧୧, ୧୨ ଓ ୧୩ ନମ୍ବର ୱାର୍ଡର ହିତାଧିକାରୀଙ୍କୁ ମାଣ୍ଡିଆ ବଣ୍ଟନ କରିଥିଲେ। ତେବେ ଏହି ମାଣ୍ଡିଆରେ ବାଲି ଓ ଅନ୍ୟାନ୍ୟ ଦାନା ମିଶାଯାଇଥିବା ଦେଖିବାକୁ ମିଳିଥିଲା। ୩ କିଲୋ ମାଣ୍ଡିଆ ନେଇ ତାକୁ ଧୋଇ ଛାଣିବା ବେଳକୁ ମାତ୍ର ଏକ କିଲୋ ମାଣ୍ଡିଆ ବାହାରିଥିଲା। ମାଣ୍ଡିଆ ଉତ୍ତମମାନର ହୋଇ ନଥିବାରୁ ତାହା ହିତାଧିକାରୀମାନେ ଖାଇ ପାରି ନଥିଲେ। 
ଏହି ଖବର ପ୍ରଚାର ହେବା ପରେ ଆଜି ମାଣ୍ଡିଆ ନେବାକୁ ଆସିଥିବା ଅନ୍ୟ ହିତାଧିକାରୀମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ନିମ୍ନମାନର ମାଣ୍ଡିଆ ଯୋଗାଣ ହେଉଥିବା ଅଭିଯୋଗ ଆଣି କଣ୍ଟ୍ରୋଲ୍ ଡିଲର୍‌ଙ୍କ ଦୋକାନ ଆଗ ରାସ୍ତାରେ ମାଣ୍ଡିଆ ସବୁ ‌ଫୋପାଡ଼ି ପ୍ରତିବାଦ ଜଣାଇଥିଲେ। ସଂପୃକ୍ତ ଡିଲର୍ ଜଣକ ଦୋକାନ ସମ୍ମୁଖରେ ବୋର୍ଡ ମାରୁ ନଥିବା, ସମୟ ନିର୍ଘଣ୍ଟ ଲେଖୁ ନଥିବା ଏବଂ ହିତାଧିକାରୀଙ୍କୁ ଠିକ୍ ବ୍ୟବହାର କରୁ ନଥିବା ସେମାନେ ଅଭିଯୋଗ କରିଥିଲେ। ଏହାସହ ବ୍ଲକ୍ ଯୋଗାଣ ଅଧିକାରୀ ହେମନ୍ତ ପ୍ରଧାନଙ୍କୁ ଫୋନ୍ କରି ଜଣାଇଥିଲେ। କିନ୍ତୁ ଅଧିକାରୀଜଣକ ଅନୁଧ୍ୟାନ କରିବାକୁ ନଆସି ‘ମାଣ୍ଡିଆ ଯଦି ଖରାପ ତା‌’ ହେଲେ ନିଅ ନାହିଁ। ଭଲ ମାଣ୍ଡିଆ ଆସିଲେ ନେବ’ ବୋଲି କହିଥିଲେ। 

ଭଞ୍ଜନଗର ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ ମହାନ୍ତି ଓ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା କହିଛନ୍ତି, ଗତ ଆର୍ଥିକବର୍ଷ ଜାନୁଆରି ମାସରେ ଗଞ୍ଜାମ ଜିଲ୍ଲାକୁ ମାଣ୍ଡିଆ ଯୋଗାଣ ହୋଇଥିଲା। ଆସିକା ନିକଟ କର୍ଣ୍ଣୋଳି ଡିପୋରୁ ୨୨ ହଜାର ମେଟ୍ରିକ୍ ଟନ୍ ଓ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଡିପୋରୁ ୩ ହଜାର ମେଟ୍ରିକ୍ ଟନ୍ ଏଭଳି ସମୁଦାୟ ୨୫ ହଜାର ମେଟ୍ରିକ୍ ଟନ୍ ମାଣ୍ଡିଆ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଣ ହୋଇଛି l ଟିଡିସିଏଲ୍ ଏହି ମାଣ୍ଡିଆ ଯୋଗାଣ କରୁଥିବା ବେଳେ ଏଥିରେ ଆମର କୌଣସି ଭୂମିକା ନାହିଁ। ଯଦି ଅଭିଯୋଗ ହୋଇଛି, ତା’ହେଲେ ନିଶ୍ଚିତ ଭାବେ ତଦନ୍ତ ହେବ ବୋଲି ଉଭୟ ଅଧିକାରୀ କହି ନିଜ ମୁଣ୍ଡ ଉପରୁ ଦୋଷ କାଢ଼ିନେଇଛନ୍ତି। ଅନ୍ୟପକ୍ଷରେ ଗତ ୯ ମାସ ହେଲା ପଣ୍ୟାଗାରରେ ମହଜୁଦ ଥିବା ମାଣ୍ଡିଆ ଏବେ ଦିଆଯାଇଥିବାରୁ ଏଥିରେ ଅପମିଶ୍ରିତ ଆଶଙ୍କା କରାଯାଇଛି।