ଭୁବନେଶ୍ବର : ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଲା। କିନ୍ତୁ ଏ ସରକାରଙ୍କ ଭୁଲ୍ ପରିଚାଳନା ନୀତି ଯୋଗୁ ଉପଭୋକ୍ତା ତାହାର ସୁଫଳ ଏ ଯାଏ ପାଇପାରୁନାହାନ୍ତି। ଦିଲ୍ଲୀ ପରି ଏଠାରେ ମାଗଣା ବିଜୁଳି ଦିଆଯାଇପାରୁନି। ଏବେ ବି ଗ୍ରାମାଞ୍ଚଳରେ ଅଘୋଷିତ ପାୱାର୍ କଟ୍ ଚାଲିଛି। ଘରୋଇ କମ୍ପାନି ଆଗରେ ସରକାର ଅସହାୟ ହୋଇପଡ଼ିଛନ୍ତି। ଆଜି ବିଧାନସଭାରେ ଏମିତି ଭାବେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ।
ବିଧାନସଭାରେ ‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର୍ ମାଲେମାଲ୍, ରାଜ୍ୟବାସୀ ବେହାଲ୍’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କମ୍ପାନିକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀ ଉତ୍ତର ଦେଉଛନ୍ତି। ଉପଭୋକ୍ତାଙ୍କ ସ୍ବାର୍ଥକୁ ବଳି ଦିଆଯାଉଛି। ବିଦ୍ୟୁତ ସଂସ୍କାରରେ ଓଡ଼ିଶା ଦେଶରେ ପ୍ରଥମ। କିନ୍ତୁ ଗତ ୨୩ ବର୍ଷ ହେଲା ଯେମିତି ସଂସ୍କାର ଚାଲିଛି, ସେଥିରେ ଉପଭୋକ୍ତା କିଛି ସୁଫଳ ପାଉନାହାନ୍ତି। ସୁଲଭ ମୂଲ୍ୟରେ ଏବେ ବି ବିଜୁଳି ମିଳୁନି। ଦିଲ୍ଲୀରେ ବିଜୁଳି ଉତ୍ପାଦନ ନହୋଇ ବି ସେଠି ମାଗଣା ବିଜୁଳି ଦିଆଯାଉଛି। ତେଲେଙ୍ଗାନା, ଆନ୍ଧ୍ର, ଗୋଆରେ ବିଜୁଳି ଦର କମ୍ ରହିଛି। ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ବୋଲି କୁହାଯାଉଥିଲେ ବି ଚଢ଼ା ଦରରେ ଉପଭୋକ୍ତା ବିଜୁଳି କିଣୁଛନ୍ତି।
ଏବେ ବି ଗ୍ରାମାଞ୍ଚଳରେ ଅଘୋଷିତ ପାୱାର୍ କଟ୍ ଚାଲିଛି
୩/୪ ମାସରେ ଥରେ ବିଲ୍ ଦିଆଯାଉଛି
ଉନ୍ନତମାନର ବିଜୁଳି ଯୋଗାଣ ଜାରି ରହିଛି: ଶାସକ ଦଳ
ବିଜୁଳି ଦରର ଜାତୀୟ ହାର ୟୁନିଟ୍ ପିଛା ୫ ଟଙ୍କା ୧୧ ପଇସା ଥିଲା ବେଳେ ଓଡ଼ିଶାରେ ତାହା ୫ ଟଙ୍କା ୨୨ ପଇସା। ଜଳସମ୍ପଦକୁ ଉପଯୋଗ କରି ବିଜୁଳି ଉତ୍ପାଦନ କରାଯାଉନି। କେବଳ ତାପଜ ବିଦ୍ୟୁତ ଉପରେ ଆମେ ନିର୍ଭର କରୁଛୁ। ଟାଟା ପାୱାର ଅଧିକ ବିଲ୍ ଚଞ୍ଚକତା କରି ବଢ଼ାଇ ଦେଉଛି। ସରକାରଙ୍କର କିଛି ନିୟନ୍ତ୍ରଣ ନାହିଁ। ମୁକେଶ ମହାଲିଙ୍ଗ କହିଥିଲେ, ବିଜୁଳି କାରବାରରେ ବଡ଼ ଘୋଟାଲା ହେଉଛି। ଉପଭୋକ୍ତାଙ୍କ ଠାରୁ ୨୭୦୦ କୋଟି ଟଙ୍କା ଅଧିକ ଆଦାୟ ସତ କି? ଏହାର ଭିଜିଲାନ୍ସ ତଦନ୍ତ ହେଉ। ଓଡ଼ିଶାର ଉପଭୋକ୍ତା କାହିଁକି ଅଧିକ ଦର ଦେଇ ବିଜୁଳି କିଣିବେ? ବିତରଣ କମ୍ପାନିକୁ ସରକାର ଅନୁକମ୍ପା ଦେଖାଉଛନ୍ତି। ନାଉରୀ ନାୟକ କହିଥିଲେ, କ୍ଷେତ୍ର ସ୍ତରରେ ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କ ପାଖରେ ଖବର ନାହିଁ। ଉପଭୋକ୍ତାମାନେ ହଇରାଣ ହେଉଛନ୍ତି। ଅଧିକାରୀମାନେ ଯାହା ଲେଖୁଛନ୍ତି, ମନ୍ତ୍ରୀ ଏଠାରେ ପଢ଼ି ଦେଉଛନ୍ତି। ୨୩ ବର୍ଷର ଶାସନ ଭିତରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ଆମେ ନିଶ୍ଚିତ କରିପାରିଲୁନି। ବିଭିନ୍ନ ଜାଗାରେ ତାର ଝୁଲି ରହୁଛି। ଟ୍ରାନ୍ସଫର୍ମର୍ ପୋଡ଼ିଗଲେ ବହୁଦିନ ଅପେକ୍ଷା କରିବାକୁ ପଡ଼ୁଛି। ଟାଟା ପାୱାର୍ର କର୍ମଚାରୀମାନେ ଇଂରେଜମାନଙ୍କ ପରି ଜୁଲମ କରୁଛନ୍ତି।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଚିନ୍ତା କରିଥିଲେ। କିନ୍ତୁ ଏବେ ଦିଲ୍ଲୀରେ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦିଆଯାଉଥିଲା ବେଳେ ଓଡ଼ିଶାରେ କାହିଁକି ସମ୍ଭବ ହେବନି? ଟାଟା ପାୱାର୍ ପାଖରେ ସରକାର ହାତ ଟେକି ଦେଇଛନ୍ତି। ଦୁଇ ବର୍ଷ ଭିତରେ କେତେ କ୍ଷତି ଭରଣା ହୋଇଛି? ଟାଟା ପାୱାର୍ ବିଜୁଳିର ଗୁଣାତ୍ମକ ମାନ ବଢ଼ାଇଛି। କିଛି ଅଭିଯୋଗ ଗଲେ ସେମାନେ ସଙ୍ଗେ ସଙ୍ଗେ ପହଞ୍ଚି ସମାଧାନ କରୁଛନ୍ତି। କିନ୍ତୁ ମାସକୁ ମାସ ନିୟମିତ ଭାବେ ବିଲ୍ ଦେବା ପାଇଁ କମ୍ପାନିକୁ ତାଗିଦ୍ କରାଯାଉ। ତାରାପ୍ରସାଦ ବାହିନୀପତି କହିଥିଲେ, ଉପଭୋକ୍ତାଙ୍କ ତଣ୍ଟି ଚିପି ଦିଆଯାଉଛି। ଗ୍ରାମାଞ୍ଚଳରେ ୧୮ ଘଣ୍ଟା ଲାଇନ୍ କାଟିଦିଆଯାଉଛି। ୩/୪ ମାସରେ ଥରେ ବିଲ୍ ଦିଆଯାଉଛି। ୪୮ ଘଣ୍ଟା ଭିତରେ ଟ୍ରାନ୍ସଫର୍ମର୍ ସଜାଡ଼ିବା କଥା, କିନ୍ତୁ ହେଉ ନାହିଁ। ମନ୍ତ୍ରୀ, ସଚିବ ଅସହାୟ ହୋଇପଡ଼ୁଛନ୍ତି। ଟାଟାକୁ ୫୧% ଅଂଶ ଦେବାର କାରଣ କ’ଣ? ଏଥିରେ କେତେ ଅର୍ଥ କାରବାର ହୋଇଛି?
ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଗୋଟିଏ ବି ଟଙ୍କା ସରକାର କମ୍ପାନିକୁ ଦେଇ ନାହାନ୍ତି। କମ୍ପାନି ୫ ବର୍ଷରେ ବିଜୁଳି ବିତରଣ ଭିତ୍ତିଭୂମି ବଢ଼ାଇବାକୁ ୫,୬୪୦ କୋଟି ଟଙ୍କା ବିନିଯୋଗ କରିବ। ପୁଣି କମ୍ପାନି ୭୫୨ କୋଟି ଟଙ୍କାର ଇକ୍ୟୁଟି ଓ ୫୫୦ କୋଟି ଟଙ୍କାର ପରଫର୍ମନାନ୍ସ ଗ୍ୟାରେଣ୍ଟି ଦେଇଛି। ରାଜ୍ୟ ସରକାର ଉନ୍ନତମାନର ବିଜୁଳି ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଦିଲ୍ଲୀ ସହରାଞ୍ଚଳ ହୋଇଥିବାରୁ ସେଠାରେ ବିତରଣ ସହଜ। କିନ୍ତୁ ଓଡ଼ିଶାରେ ସେପରି ସ୍ଥିତି ନାହିଁ। ପୁଣି ରାଜ୍ୟରେ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ବେଳେ ତତ୍କାଳ ଭିତ୍ତିଭୂମି ସଜାଡ଼ିବାକୁ ପଦକ୍ଷେପ ନିଆଯାଉଛି। ବିରୋଧୀ ଦଳ କୌଣସି ତଥ୍ୟ ନଥାଇ ଅଭିଯୋଗ କରୁଛନ୍ତି। ଶାସକ ଦଳର ବିଧାୟକ ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ ଓ ରାଜକିଶୋର ଦାସ ଆଲୋଚନାରେ ଭାଗ ନେଇଥିଲେ।