ସମ୍ବଲପୁର : ବିଶ୍ବକପ୍ ପାଇଁ ଚଳଚଞ୍ଚଳ ହୋଇଉଠିଛି ବେଟିଂ ବଜାର। ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ବେଟିଂ ବଜାର ଖୋଲି ସାରିଥିବା ବେଳେ ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ମଧ୍ୟ ହୋଇସାରିଲାଣି। ଅତ୍ୟାଧୁନିକ ଜ୍ଞାନ କୌଶଳ ସହାୟତାରେ ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ଅନ୍ଲାଇନ୍ ବେଟିଂ ପାଇଁ ସର୍ବୋକୃଷ୍ଟ ମାଧ୍ୟମ ପାଲଟିଛି। ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ବେଟିଂ ବଜାର ଖୋଲି ସାରିଥିବା ବେଳେ ଖୋଲା ଖୋଲି ବେଟିଂ ଚାଲିଛି। ହ୍ବାଟ୍ସଆପ୍ଠାରୁ ଆରମ୍ଭ କରି ସାଧାରଣ ଟେକ୍ଷ୍ଟ ମେସେଜ୍ ମାଧ୍ୟମରେ ବେଟଂ ପାଇଁ ଲିଙ୍କ୍ ଦିଆଯାଉଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ବେଟିଂ ହବ୍ କହାଯାଉଥିବା ସମ୍ବଲପୁରରେ ଅଫ୍ଲାଇନ୍ରେ ମଧ୍ୟ ବିଭିନ୍ନ ହୋଟେଲ୍ ଓ ଘରେ ବେଟିଂ ଆରମ୍ଭ ହୋଇସାରିଛି। ଗୋଟିଏପଟେ ଦୀପାବଳି ପାଇଁ ପୁଲିସ ବିଭାଗ ବ୍ୟସ୍ତ ରହିଥିବା ବେଳେ ବେଟିଂ ରାକେଟ୍ ଗୁଡ଼ିକ ଜାଲ ବିଛାଇବା ଆରମ୍ଭ କରିସାରିଲେଣି।
/sambad/media/post_attachments/wp-content/uploads/2020/09/ipl-betting.jpg)
ସୂଚନା ଅନୁସାରେ, ଦୀର୍ଘବର୍ଷରୁ କିଛି ପ୍ରମୁଖ ରାଜନେତାଙ୍କ ସମ୍ପର୍କୀୟମାନେ ଏହି ବେଟିଂ କାରବାରର ମଙ୍ଗ ଧରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଧରିବାରେ ପୁଲିସ ବିଫଳ ରହିଛି। ଏହା ସତ ଯେ, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ଜୋର୍ଦାର ବେଟିଂ ଚାଲିଥିବା ବେଳେ ପୁଲିସ ଏକାଧିକ ବେଟିଂ ରାକେଟ୍ ଠାବ କରିବାରେ ପୂର୍ବରୁ ସଫଳ ମଧ୍ୟ ହୋଇଛି। ପୁଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ବେଟିଂ ଲଗାଉଥିବା କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ, ମଙ୍ଗ ଧରୁଥିବା ମୁଖ୍ୟମାନଙ୍କୁ ଧରିବାରେ ପୁଲିସ ବିଫଳ ହେଉଥିବାରୁ ସବୁ ବର୍ଷ ଏହି ବେଟିଂ କମିବା ବଦଳରେ ବଢ଼ି ଚାଲିଛି।
ଚଳିତବର୍ଷ କେଉଁ ଦଳ କାହା ଉପରେ ଭାରି ପଡ଼ିବ ତାହା କହିବା ସମ୍ଭବ ହୋଇ ନଥିବାବେଳେ ଭାରତର ଜିତିବାର ସମ୍ଭାବନ ଅଧିକ ରହିଛି। ଯେଉଁ କାରଣରୁ ଅନ୍ଲାଇନ୍ରେ ଶହ ଶହ ୱେବ୍ସାଇଟ୍ ଓ ଆପ୍ଲିକେସନ୍ ମାଧ୍ୟମରେ ବେଟିଂ ପାଇଁ ଲିଙ୍କ୍ ଦିଆଯାଇଛି। ଟେଲିଗ୍ରାମ୍ରେ ମାଳମାଳ ବେଟିଂ ଗ୍ରୁପ୍ ଏବେ ବିଶ୍ବକପ୍ ପାଇଁ ଚଳଚଞ୍ଚଳ ହୋଇସାରିଲାଣି। ଏହି ବେଟିଂ ଗ୍ରୁପ୍ ମାଧ୍ୟମରେ ସାଇବର୍ ଠକେଇର ସମ୍ଭାବନା ମଧ୍ୟ ରହୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏ ନେଇ ନିଷ୍କ୍ରିୟ ପୁଲିସ ବିଭାଗ ପକ୍ଷରୁ ମଧ୍ୟ କାହାକୁ ସଚେତନ କରାଯାଉନାହିଁ। ପଶ୍ଚିମ ଓଡ଼ିଶାରେ ପୂର୍ବରୁ ଆଇପିଏଲ୍ ସମୟରେ ବେଟିଂ ଜୋର୍ଦାର ଚାଲିଥିବା ବେଳେ ଚାଲିଥିବା ବିଶ୍ବକପ ସମୟରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି।
/sambad/media/post_attachments/wp-content/uploads/2020/10/ipl-betting-aa.jpeg)
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପୁଲିସ ଆଇପିଏଲ୍ ବେଟିଂ ବେଳେ ଚଢ଼ଉ କରି ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଗତବର୍ଷ ଆଇପିଏଲ୍ ବେଟିଂ କରୁଥିବା ବେଳେ ଦେବଗଡ଼ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ସେଭଳି ଝାରସୁଗୁଡ଼ା ପୁଲିସ ମଧ୍ୟ ୨ ଜଣଙ୍କୁ ଗିରଫ କରିବା ସହ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଏହି ବେଟିଂ ଘଟଣାରେ ଦେଶ ବାହାରର ଲିଙ୍କ୍ ଥିବା ସୂଚନା ମିଳିଥିଲା। ଦୁବାଇରୁ ଭାୟା କୋଲକାତା ଦେଇ ପଶ୍ଚିମ ଓଡ଼ିଶାରେ ବେଟିଂ ଚାଲିଥିବା କୁହାଯାଉଛି।