ବାରିପଦା: ଶିମିଳିପାଳରୁ ଉଭାନ ହୋଇଗଲେଣି ଭଦଭଦଳିଆ ପକ୍ଷୀ। ବନାଗ୍ନି, ଜଙ୍ଗଲ ନଷ୍ଟ ଓ ତାପମାତ୍ରା ବୃଦ୍ଧି ଯୋଗୁ ଆଉ ଦୃଶ୍ୟମାନ ହେଉନାହାନ୍ତି ଏହି ପକ୍ଷୀ। ଆଜି ମୟୂରଭଞ୍ଜ ଜିଲ୍ଲାର ୪ଟି ଉପଖଣ୍ଡର ସମସ୍ତ ବୃହତ୍ ଜଳାଶୟରେ ପକ୍ଷୀ ଗଣନା ହୋଇଛି। ହେଲେ କୌଣସି ସ୍ଥାନରେ ଦେଖିବାକୁ ମିଳିନି ଭଦଭଦଳିଆ। ୧୯୯୯ ମହାବାତ୍ୟା ପରଠୁ ଏହି ପକ୍ଷୀଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ବେଳେ ଆଜିର ଗଣନାରେ ଗୋଟିଏ ବି ଭଦଭଦଳିଆ ଦେଖାନଯିବା ପକ୍ଷୀପ୍ରେମୀଙ୍କୁ ନିରାଶ କରିଛି। ଭାରତୀୟଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଅଛି ଭଦଭଦଳିଆ।
ଅନେକ ସ୍ଥାନରେ ଏହାକୁ ନୀଳକଣ୍ଠ ବୋଲି ବି କୁହାଯାଏ। ନୀଳରଙ୍ଗର ଏହି ପକ୍ଷୀକୁ ଭାରତର କିଛି ସ୍ଥାନରେ ଭଗବାନ ଶିବଙ୍କ ସ୍ୱରୂପ ବୋଲି କୁହାଯାଏ। ଦଶହରା ଦିନ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ବୋଲି ବିଶ୍ବାସ ରହିଛି। ପୁରାଣ କୁହେ, ପ୍ରଭୁ ଶ୍ରୀରାମ ନୀଳକଣ୍ଠ ପକ୍ଷୀ ଦେଖିବା ପରେ ହିଁ ରାବଣକୁ ବଧ କରିଥିଲେ। ୨୫ରୁ ୨୭ ସେଣ୍ଟିମିଟର ଆକାରର ଏହି ପକ୍ଷୀଟି କୃଷକଙ୍କ ସାଥୀ ବୋଲି ବି କୁହାଯାଏ। କାରଣ ଫସଲରେ ହେଉଥିବା ପୋକକୁ ଏହା ଖାଇଦିଏ। ହେଲେ ବର୍ତ୍ତମାନ ଏହି ପକ୍ଷୀ ବିଲୁପ୍ତ ହେବାକୁ ବସିଛି। ପରିବେଶ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ ଓ ବ୍ୟାପକ ଜଙ୍ଗଲ ନଷ୍ଟ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଭଦଳଭଦଳିଆ ଭଳି ଘରଚଟିଆ, ବଣି ଭଳି ଦେଶୀୟ ପକ୍ଷୀ ମଧ୍ୟ ଶିମିଳିପାଳରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଲେଣି। ଭଦଭଦଳିଆ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବା ପୂର୍ବରୁ ସେମାନଙ୍କୁ ବିଲୁପ୍ତ ପକ୍ଷୀ ତାଲିକାରେ ସାମିଲ କରି ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ଭାନୁମିତ୍ର ଅଚାର୍ଯ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/19/f80TZYQ9Klj01Y1abvLO.jpg)