୨୫ଲକ୍ଷ ସଭ୍ୟ ସଂଗ୍ରହ କରିବ ବିଜୁ ଯୁବ ଜନତା, ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପଞ୍ଚାୟତ ଓ ୱାର୍ଡ ସ୍ତରୀୟ କମିଟି ଗଠନ ହେବ, ନବୀନ ନିବାସରେ ଯୁବ କର୍ମକର୍ତ୍ତା ନବୀନଙ୍କୁ ଭେଟିଲେ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ୍-୬ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କର୍ମକର୍ତ୍ତାମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଦଳର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍‌ଘାଟନ କରିଥିଲେ। ଏଥିରେ ରାଜନୈତିକ, ସାଂଗଠନିକ, ସଂକଳ୍ପ, ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଜୁ ଯୁବ ଜନତା ଦଳ ରାଜ୍ୟରେ ସମସ୍ତ ପଞ୍ଚାୟତ ଏବଂ ୱାର୍ଡରେ ତା’ର ସଭାପତି ଓ କମିଟି ତିଆରି କରି ସଂଗଠନକୁ ଆହୁରି ମଜବୁତ ଏବଂ କ୍ରିୟାଶୀଳ କରିବ। ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରାଯାଇ ସେମାନଙ୍କୁ ଦଳର ସଭ୍ୟ/ ସଭ୍ୟା କରାଇବାର ପ୍ରୟାସ ଜାରି ରହିବ। ଆସନ୍ତା ୧ ବର୍ଷ ମଧ୍ୟରେ ଅନ୍ୟୁନ ୨୫ ଲକ୍ଷ ଯୁବକ ଯୁବତୀମାନଙ୍କୁ ସଂଗଠନରେ ସାମିଲ କରାଯିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ।

କ୍ରମାଗତ ଭାବେ କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ପ୍ରତିବାଦ କରିଆସୁଛି। କୋଇଲା ରୟାଲଟି, ରେଳପଥର ବିକାଶ, ବିଭିନ୍ନ ଯୋଜନାରେ ଅର୍ଥ କାଟ, ଶିଳ୍ପ କରିଡର ନିର୍ମାଣ ଆଦି କ୍ଷେତ୍ରରେ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। କେନ୍ଦ୍ର ସରକାରଙ୍କ ପ୍ରତିକୂଳ ନୀତି ଓ ପଡ଼ୋଶୀ ରାଜ୍ୟମାନଙ୍କର ଅସହଯୋଗ ମନୋଭାବ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। ପୋଲାଭରମ, ମହାନଦୀ ଓ ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ ନିର୍ମାଣ ବିବାଦରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରାଜ୍ୟ ସ୍ୱାର୍ଥରେ କ୍ଷତି ପହଞ୍ଚାଇଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଓ କେନ୍ଦ୍ର ଅବହେଳା ବିରୋଧରେ ଜୋରଦାର ଲଢ଼େଇ ହେବ ବୋଲି କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା।

କେନ୍ଦ୍ରୀୟ ଅବହେଳା ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟକୁ ବିକାଶ ମାର୍ଗରେ ନେବା ପାଇଁ ନିରବଛିନ୍ନ ଭାବେ ଉଦ୍ୟମ ଜାରି ରହିଛି। ବିଗତ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ରାଜ୍ୟର କୃଷି, ଶିଳ୍ପ, ଗମନା ଗମନ, ଭିତିଭୂମି, ମହିଳା ସଶକ୍ତୀକରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ରାଜ୍ୟ ଯୁବ ନୀତି, ପର୍ଯ୍ୟଟନ ଓ ସଂସ୍କୃତିର ବିକାଶ ଭଳି ଅର୍ଥନୈତିକ ଓ ଲୋକାଭିମୁଖ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ଯେଉଁ ବିକାଶର ଜୟଯାତ୍ରା ଜାରି ରଖିଛନ୍ତି, ତାହାକୁ ଅଧିକ ଶାଣିତ ଓ ମଜବୁତ କରିବା ପାଇଁ ବିଜୁ ଯୁବ ଜନତା ଦଳ ତାର ପୂର୍ବ ପ୍ରୟାସ ଜାରି ରଖିବ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା।

ଆଜିର ଏହି ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ ବଳବନ୍ତରାୟ, ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀ, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହିତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ବୈଠକ ପରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ନବୀନ ନିବାସରେ ଦଳୀୟ ନେତାମାନଙ୍କର ଆଜି ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର