ରାଇରଙ୍ଗପୁର/ଗୋରୁମହିଷାଣୀ: ପାହାଡ଼ିଆ ରାସ୍ତାରେ ଭାରସାମ୍ୟ ହରାଇବାରୁ ୨୦୦ ଫୁଟ୍ ତଳକୁ ଖସିପଡ଼ିଲା ବାଇକ୍। ଏଥିରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଚଢ଼େଇପାହାଡ଼ି ତଥା ଝାଡ଼ଖଣ୍ତ ଡୁମୁରିଆ ଥାନା ସୀମାନ୍ତ ବାରୁଣିଆ ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡ଼ାଦର ଗ୍ରାମର ମଙ୍ଗଲ ସର୍ଦ୍ଦାର (୬୦) ଓ ରବି ମହାନ୍ତ (୩୫) ଆଜି ପୂର୍ବାହ୍ନରେ ଝାଡ଼ଖଣ୍ଡ ଡୁମୁରିଆ ଥାନା ଅନ୍ତର୍ଗତ ବାରୁଣିଆ ଗାଁ’କୁ ଏକ ବାଇକ୍ ଯୋଗେ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟିରୁ ୨୦୦ ଫୁଟ୍ ତଳକୁ ଖସିପଡ଼ିଥିଲେ। ଖବର ପାଇବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲେ। ବହୁ ସମୟ ଧରି ଖୋଜିବା ପରେ ମଙ୍ଗଲଙ୍କ ମୃତଦେହ ଏକ ଗଛରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।
ସେହି ପାଖରୁ ରବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋରୁମହିଷାଣୀ ଏବଂ ପରେ ରାଇରଙ୍ଗପୁର ଉପଖଣ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପରିବାର ଲୋକ ମଙ୍ଗଲଙ୍କ ଶବ ନେଇ ପଳାଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଡୁମୁରିଆ ଥାନା ଅଧିକାରୀ ବିନୋଦ ଟୁଡୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/prayagraj-news-accident-in-prayagraj_1607961537.jpeg)