ସମ୍ବଲପୁର: ଧନୁପାଲି ଥାନା ଟାଙ୍ଗରପାଲି ପୋଲ ନିକଟରେ ଏକ ବାଇକକୁ ଏକ ଟ୍ରକ୍ ଧକ୍କା ଦେବାରୁ ଭାଇ-ଭଉଣୀ ଗୁରୁତର ହୋଇଛନ୍ତି। ସମ୍ବଲପୁର ବଡ଼ବଜାର ଅଞ୍ଚଳର ସନ୍ତୋଷ ମେହେର ଓ ଜଗତଜିତା ମେହେର ବାଇକ୍ରେ(ଓଡି ୧୫ଏଫ୍ ୨୯୯୮) ଶୁକ୍ରବାର ସିନ୍ଦୁରପଙ୍କ ପାର୍ଶ୍ବରୁ ଅଇଁଠାପାଲି ଆଡ଼କୁ ଯାଉଥିଲେ। ଟାଙ୍ଗରପାଲି ପୋଲ ନିକଟରେ ଏକ ଟ୍ରକ୍(ଡବ୍ଲୁବି ୬୫ଡି ୬୦୪୬) ଦ୍ରୁତଗତିରେ ତାଙ୍କ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ସନ୍ତୋଷଙ୍କୁ ଏକ ନର୍ସିଂ ହୋମ୍ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଜଗତଜିତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ସନ୍ତୋଷଙ୍କ ବାପା ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ବାଇକ୍କୁ ଜବତ କରିଥିବା ବେଳେ ଟ୍ରକ୍ ଚାଳକ ଫେରାର୍ ରହିଛି।