ଆରମ୍ଭ ହେଲା ବାୟୋ‌ଫ୍ଲକ୍‌ ମାଛ ଚାଷ ପ୍ରଦର୍ଶନୀ, କୃଷକଙ୍କୁ ସମ୍ଭାବନା ସହ ଯୋଡ଼ିବା ଆମ ଉଦ୍ଦେଶ୍ୟ

ରେଡିଓ ଚକ୍‌ଲେଟ୍‌ରେ ପ୍ରସାରିତ ହେବ ‘ଜୟ କିଷାନ’

ଭୁବନେଶ୍ବର: ଜାତୀୟ କୃଷି ଦିବସ ଅବସରରେ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ସମ୍ବାଦ ଭବନ ପରିସରରେ ଉଦ୍‌ଘାଟିତ ହୋଇଛି ଦୁଇଦିନିଆ ‘କିଷାନ ଫ୍ଲେକ୍ସ ବାୟୋଫ୍ଲକ୍‌ ମାଛ ଚାଷ’ ପ୍ରଦର୍ଶନୀ। ଏହି ଅବସରରେ ରାଜ୍ୟର ୧ ନମ୍ବର ଏଫ୍‌ଏମ୍‌ ‘ରେଡିଓ ଚକ୍‌ଲେଟ୍‌’ରେ ‘ଜୟ କିଷାନ’ ଶୀର୍ଷକ କାର୍ଯ୍ୟକ୍ରମ ପ୍ରତି ବୁଧବାର ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ପରିବେଷଣ କରାଯିବ। ଆଜି ଏହି କାର୍ଯ୍ୟକ୍ରମର ଲୋଗୋ ଓ ଥିମ୍‌ ସଂଗୀତ ଉନ୍ମୋଚିତ ହୋଇଛି। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ, ଗଣମାଧ୍ୟମର କାମ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା। ଏହି କାର୍ଯ୍ୟକ୍ରମ, କୃଷକମାନଙ୍କୁ ନୂଆ ସମ୍ଭାବନା ସହ ଯୋଡ଼ିବାର ଏକ ଅବସର ବୋଲି ସେ କହିଥିଲେ। ଓୟୁଏଟିର କୁଳପତି ଡ.ପୱନ କୁମାର ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ କହିଲେ, ପୋଷଣ, ଆୟ ଓ ଜୀବିକା ଦୃଷ୍ଟିରୁ ଭାରତୀୟ କୃଷି ସମୃଦ୍ଧ ହୋଇଛି। ଶସ୍ୟ ଉତ୍ପାଦନ ୬ଗୁଣ ବୃଦ୍ଧି ପାଇବା ସହ ଖାଦ୍ୟ ବଳକା ରହୁଛି। ସମାଜ ଆଗକୁ ବଢ଼ିବାରେ ସମସ୍ତ କ୍ଷେତ୍ରର ସହଭାଗିତାର ଆବଶ୍ୟକତା ରହିଥିବା ବେଳେ କୃଷକଙ୍କର ସବୁଠୁ ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି। ନାବାର୍ଡର ସହକାରୀ ମହାପ୍ରବନ୍ଧକ ସୁଧାଂଶୁ ଶେଖର ଚାଉଳିଆ କହିଛନ୍ତି, ‘ସମ୍ବାଦ’ର ଏକ ଖବର ପ୍ରସାରଣ ପରେ ଦୈତାରୀ ନାୟକଙ୍କ ଭଳି ବ୍ୟକ୍ତିତ୍ବ ଲୋକଲୋଚନକୁ ଆସିଲେ ଏବଂ ସେ ପଦ୍ମଶ୍ରୀ ଭଳି ସମ୍ମାନର ଅଧିକାରୀ ହୋଇପାରିଲେ। ତେଣୁ ‘ସମ୍ବାଦ’ କୃଷକମାନଙ୍କ ପାଇଁ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରି କୃଷକଙ୍କୁ ପ୍ରୋତ୍ସାହନ ଦେବା ପ୍ରଶଂସନୀୟ। କିଷାନ ଫ୍ଲେକ୍ସର ନିର୍ଦେଶକ ଅନିଲ କେ.ଝୱର ବାୟୋଫ୍ଲକ ମାଛ ଚାଷ କିଭଳି ଅନେକଙ୍କୁ ଆତ୍ମନିର୍ଭର ହେବା‌ରେ ସହାୟକ ହେଉଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ସମ୍ବାଦର ପରିଚାଳନା ନ‌ିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ବକ୍ତବ୍ୟ ରଖିଥିବା ବେଳେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ରେଡିଓ ଚକ୍‌ଲେଟ୍‌ରେ ପ୍ରସାରଣ ହେବାକୁ ଯାଉଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ କହିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଲେ, ରେଡିଓ ଚକ୍‌ଲେଟ୍‌ ପ୍ରଥମ ଏଫ୍‌ଏମ୍‌ ଭାବେ ଚାଷ ଓ ଚାଷୀଙ୍କ ନିମନ୍ତେ ଏକ କାର୍ଯ୍ୟକ୍ରମ ପ୍ରସାରଣର ପରିକଳ୍ପନା କରିଛି। କାର୍ଯ୍ୟକ୍ରମରେ କୃଷି ପ୍ରଣାଳୀ ସମତେ ସରକାରୀ ଯୋଜନା, ଯନ୍ତ୍ରପାତି, ଜ୍ଞାନକୌଶଳ, ସଫଳ ଚାଷୀଙ୍କ ଅନୁଭବ ଓ ଅଭିଜ୍ଞତା ଭଳି କାର୍ଯ୍ୟକ୍ରମ ୫୨ଟି ଏପିସୋଡ୍‌ରେ ପ୍ରସାରଣ ହେବ। କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସପ୍ତାହରେ ଏହାକୁ ଅଧିକ ପ୍ରସାରଣ ପାଇଁ ଯୋଜନା କରାଯିବ। ସଫଳତା ଆଧାରରେ ଆସନ୍ତା ବର୍ଷ କୃଷି ଦିବସକୁ ବଡ଼ ଆକାରରେ ପାଳନ ସହ ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି। ସମ୍ବାଦ ଡିଜିଟାଲ୍‌ ଓ ରେଡିଓ ଚକ୍‌ଲେଟ୍‌ର ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରସାରଣ ହେବାକୁ ଯାଉଥିବା ‘ଜୟ କିଷାନ’ କାର୍ଯ୍ୟକ୍ରମର ସଞ୍ଚାଳକ ଅବକାଶ, ଗୀତ ପ୍ରସ୍ତୁତ କରିଥିବା ସୌମିତ୍ରୀ ପଲାଇ, ଗୀତିକାର ଗୁରୁ ଶତପଥୀଙ୍କୁ ସମ୍ବର୍ଧିତ କରାଯାଇଛି। ରେଡିଓ ଚକ୍‌ଲେଟ୍‌ କାର୍ଯ୍ୟକ୍ରମ ମୁଖ୍ୟ ସଂଗ୍ରାମ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍‌ଜେ ଅନିଲ ଓ ନିଭି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଆଜି ପ୍ରଦର୍ଶନୀର ଦ୍ବିତୀୟ ଦିନ
ଭୁବନେଶ୍ବର: ଜାତୀୟ କୃଷକ ଦିବସ ଉପଲକ୍ଷେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ସମ୍ବାଦ ଭବନ ପରିସରରେ ଆୟୋଜିତ କିଷାନଫ୍ଲେକ୍ସ ବାୟୋଫ୍ଲକ୍‌ ମାଛ ଚାଷ ପ୍ରଦର୍ଶନୀ ଗୁରୁବାର ମଧ୍ୟ ପ୍ରଦର୍ଶିତ ହେବ। ଇଚ୍ଛୁକ ଚାଷୀ କିମ୍ବା ମାଛଚାଷ ପାଇଁ ଇଚ୍ଛୁକ ଚାଷୀମାନେ ରସୁଲଗଡ଼ସ୍ଥିତ ସମ୍ବାଦ ଭବନ ପରିସରକୁ ଆସି ଦିନ ସାଢ଼େ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ବୁଲି ଦେଖିପାରିବେ। ମାଗଣାରେ ପ୍ରବେଶ ଓ ପରାମର୍ଶ ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ ମୋବାଇଲ୍‌ ନମ୍ବର ୮୯୦୮୦୨୦୧୦୪ରେ ହ୍ବାଟ୍‌ସଆପ୍‌ କରିପାରିବେ।

କମ୍‌ ଜାଗାରେ ମାଛ ଚାଷର ସୁଯୋଗ
ବିନା ପୋଖରୀରେ କମ୍‌ ଜାଗାରେ ମାଛ ଚାଷର ସୁଯୋଗ ଦେଉଛି ‘କିଷାନ ଫ୍ଲେକ୍ସ’। ‘ବାୟୋଫ୍ଲକ୍‌ ମାଛ ଚାଷ’ ପାଇଁ ବଡ଼ ଜାଗାର ଆବଶ୍ୟକତା ପଡ଼ୁନାହିଁ। ବରଂ ଛାତ ଉପରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ। କିଷାନ ଫ୍ଲେକ୍ସର ଟ୍ରେନର ପବିତ୍ର କୁମାର ମୁଦୁଲି କହିଛନ୍ତି, ୧୦ ହଜାର ଲିଟର ବାୟୋଫ୍ଲକ୍‌ ମାଛ ଚାଷର ସରଞ୍ଜାମ ୨୨ ହଜାର ଟଙ୍କା ପଡ଼ୁଥିବା ବ‌େଳେ ରୋହି, କଉ, ମାଗୁର ଭଳି ବହୁ ପୋଖରୀ ମାଛର ଚାଷ ଏଥିରେ ହୋଇପାରିବ। ମାଛ ୧ କେଜି ପର୍ଯ୍ୟନ୍ତ ବଢ଼ିପାରିବ। ଜଣେ ପୋଖରୀରେ ମାଛ ଚାଷର ବର୍ଷକ ପରେ ଉତ୍ପାଦନ କରୁଥିବା ବ‌େଳେ ବାୟୋଫ୍ଲକ୍‌ ମାଧ୍ୟମରେ ଜଣେ ବର୍ଷକୁ ଦୁଇଥର ମାଛ ଉତ୍ପାଦନ କରିପାରିବ। ୧୦ହଜାର ଲିଟର କ୍ଷମତା ବାୟୋଫ୍ଲକ୍‌ରୁ ୬ମାସରେ ୩କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ। ୮ହଜାର ଲିଟରରୁ ୫୦ ହଜାର ଲିଟର ପର୍ଯ୍ୟନ୍ତ ବାୟୋଫ୍ଲକ୍‌ ଉପଲବ୍ଧ ହେଉଥିବା ଶ୍ରୀ ମୁଦୁଲି କହିଛନ୍ତି।

ସମ୍ବନ୍ଧିତ ଖବର