ଯଥା ସମୟରେ ଶେଷହେବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ: ଖର୍ଚ୍ଚ ହେବ ୧୫୦ କୋଟି, ରାସ୍ତା ଓ ପାର୍କିଂ ପାଇଁ ଆଉ ୫୦ କୋଟି

ଖେଳାଳିଙ୍କ ପାଇଁ ବିପିୟୁଟି ପରିସରରେ ‌ନୂଆ ଭବନ

ରାଉରକେଲା: ଆଜିଠାରୁ ପ୍ରାୟ ୧୫ ମାସ ପରେ ୨୦୨୩ ଜାନୁଆରିରେ ଭୁବନେଶ୍ୱର ଓ ରାଉରକେଲାରେ ସିନିୟର ପୁରୁଷ ବିଶ୍ବ କପ୍‌ ହକି ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ବରରେ ଉଚ୍ଚମାନର କଳିଙ୍ଗ ଷ୍ଟାଡିୟମ ଥିବାବେଳେ ରାଉରକେଲାରେ ଏକ ଆଧୁନିକ ସୁବିଧାରେ ସଜ୍ଜିତ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି। ଭାରତର ଏହି ସର୍ବବୃହତ୍‌ ହକି ଷ୍ଟାଡିୟମ ବିପିୟୁଟି ପରିସରରେ ହେଉଛି। ଗତବର୍ଷ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ଘୋଷଣା କରିବା ପରେ ଫେବ୍ରୁଆରିରେ ଏହାର ଶିଳାନ୍ୟାସ କରିଥିଲେ ଓ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ଏହାକୁ ନାମିତ କରିଥିଲେ।
ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆୟୋଜନ ତାରିଖର ପ୍ରାୟ ୫-୬ ମାସ ଆଗରୁ ସମ୍ପୂର୍ଣ୍ଣ ହେବା କଥା।

ଏହି ଦୃଷ୍ଟିରୁ ମାତ୍ର ୧୬ ମାସରେ ୨୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ବସିବା ଭଳି ଅତ୍ୟାଧୁନିକ ଷ୍ଟାଡିୟମର ଡିଜାଇନ ପ୍ରସ୍ତୁତିରୁ ଆରମ୍ଭ କରି ନିର୍ମାଣକାରୀ ସଂସ୍ଥାର ମନୋନୟନ ଓ ଠିକ୍ ସମୟରେ କାର୍ଯ୍ୟ ସାରିବା ଏକ ବଡ଼ ଆହ୍ବାନ ଥିଲା। ଷ୍ଟାଡିୟମ ନିର୍ମାଣର ଦାୟିତ୍ୱ ଇଡ୍‌କୋକୁ ଦିଆ ଯାଇଛି। ଷ୍ଟାଡିୟମ ନିର୍ମାଣ ପାଇଁ ଇଡ୍‌କୋ ମେ ମାସରେ ଏକ ଚୁକ୍ତିନାମା ସ୍ଵାକ୍ଷର କରିଥିଲା। ଚୁକ୍ତିନାମା ଅନୁଯାୟୀ, ନିର୍ମାଣକାରୀ ଠିକାଦାର ସଂସ୍ଥାକୁ ୨୦୨୧ ଜୁନ ୧ରୁ କାମ ଆରମ୍ଭ କରି ୨୦୨୨ ମେ ୩୧ରେ କାମ ଶେଷ କରିବା କଥା। ଏଥିପାଇଁ ୧୧୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମୁମ୍ବାଇର ପ୍ରଖ୍ୟାତ ଆର୍କିଟେକ୍‌ଚର୍ କଂପାନି- କଲେଜ ଡିଜାଇନ ପ୍ରା.ଲି. ଷ୍ଟାଡିୟମର ଡିଜାଇନ ତିଆରି କରିଥିବାବେଳେ ପ୍ରଖ୍ୟାତ ନିର୍ମାଣ ସଂସ୍ଥା ଲାର୍ସନ ଆଣ୍ଡ ଟର୍ବୋକୁ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦିଆ ଯାଇଛି।

ଷ୍ଟାଡିୟମ ନିର୍ମାଣ ଅନ୍ତର୍ଗତ ୫,୦୦୦ ବର୍ଗ ମିଟର ଜମିରେ ମୁଖ୍ୟ ପଡ଼ିଆ, ଅନ୍ୟ ୫,୦୦୦ ବର୍ଗ ମିଟରରେ ଅଭ୍ୟାସ ପଡ଼ିଆ ସହ ଗୋଟିଏ ରିକଭରି ବିଲ୍‌ଡିଂ, ସାଉନା ବାଥ୍, ଷ୍ଟିମ୍ ବାଥ୍, ଫିଟନେସ୍ ସେଣ୍ଟର୍, ୧୨ଟି ମାସ୍ତ ଲାଇଟ୍‌ ଓ ୫ଟି ଲିଫ୍ଟ ଲଗାଯିବ। ଷ୍ଟାଡିୟମରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବରେ ୬ଟି ଦର୍ଶକ ଷ୍ଟାଣ୍ଡ ତିଆରି ହେବ, ଯେଉଁଠି ୨୦ ହଜାରରୁ ଅଧିକ ଦର୍ଶକ ବସି ମ୍ୟାଚ୍‌ ଦେଖି ପାରିବେ। ତେବେ ବାସ୍ତବରେ ଷ୍ଟାଡିୟମ ନିର୍ମାଣ କାମ କାମ ଅଗଷ୍ଟ ମାସରୁ ହିଁ ଆରମ୍ଭ ହୋଇଛି। ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଇତିମଧ୍ୟରେ ଷ୍ଟାଡିୟମ ଡିଜାଇନରେ କିଛି କିଛି ପରିବର୍ତ୍ତନ ହୋଇ ବର୍ତ୍ତମାନ ବ୍ୟୟବରାଦ ପ୍ରାୟ ୧୫୦ କୋଟିରେ ପହଞ୍ଚି ଯାଇଛି। ଏହାସହିତ ଷ୍ଟାଡିୟମରେ ପହଞ୍ଚିବା ଲାଗି ୪ ଲେନ୍‌ ରାସ୍ତା ନିର୍ମାଣ ଓ ପାର୍କିଂ ଏରିଆ ନିର୍ମାଣ କରାଯିବ। ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରିବ। ଏଥିରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଉରକେଲା ଇଡ୍‌କୋର ମୁଖ୍ୟ ବିଜୟ ମହାନ୍ତି ‘ସମ୍ବାଦ’ ସହ କଥା ହେବା ବେଳେ ଆତ୍ମବିଶ୍ବାସ ସହ କହିଲେ, ‘ ନିର୍ମାଣ କାର୍ଯ୍ୟ ଯୋଜନା ଅନୁସାରେ ଚାଲିଛି। ଆମେ ଜୁଲାଇ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବୁ।’ ଖେଳାଳି ଓ ଅଧିକାରୀମାନଙ୍କ ରହିବା ବ୍ୟବସ୍ଥା ପ୍ରସଙ୍ଗରେ ଶ୍ରୀ ମହାନ୍ତି କହିଲେ ଯେ ସେମାନଙ୍କ ପାଇଁ ହୋଟେଲ ପରିବର୍ତ୍ତେ ବିପିୟୁଟି ପରିସରରେ ହିଁ ଏକ ଭବନ ନିର୍ମାଣ କରା ଯିବାର ଯୋଜନା ଅଛି। ପ୍ରାୟ ୧୬ ଏକର ଜମି ଉପରେ ତିଆରି ହେଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କେବଳ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ହେବନାହିଁ, ଏହା ଅତ୍ୟନ୍ତ ସୁନ୍ଦର ଓ ଇକୋ-ଫ୍ରେଣ୍ଡଲି ଷ୍ଟାଡିୟମ ମଧ୍ୟ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର