ଜନ୍ମମାଟି ମୟୂରଭଞ୍ଜରେ ଆନନ୍ଦର ଲହରି, କାଉନ୍‌ସିଲରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ

ଓଡ଼ିଶାରେ ମନ୍ତ୍ରୀ, ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ, ଜାତୀୟ ରାଜନୀତିରେ ଜଣାଶୁଣା ଆଦିବାସୀ ଚେହେରା

ବାରିପଦା/ରାଇରଙ୍ଗପୁର: ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକ। ଛାତ୍ରୀ ଜୀବନରୁ ସେ ବେଶ୍ ନିର୍ଭୀକ ଥିଲେ। ପାଠପଢ଼ା ପରେ କୁସୁମୀ ବ୍ଲକ୍‌ ପାହାଡ଼ପୁର ଗ୍ରାମର ଶ୍ୟାମଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ। ରାଜନୀତିରେ ପାଦ ଥାପିବା ଆଗରୁ ସେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି କାଳ ଶିକ୍ଷକତା କରିଥିଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ। ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ୧୯୯୬ ମସିହାରେ ରାଇରଙ୍ଗପୁର ଏନ୍‌ଏସିର ୨ ନଂ ୱାର୍ଡ‌ରୁ କାଉନ୍‌ସିଲର୍‌ ଭାବେ ବିଜୟୀ ହୋଇଥିଲେ। ପରେ ବିଜେପି ସମର୍ଥନରେ ଏନ୍‌ଏସି ଉପାଧ୍ୟକ୍ଷା ଆସନରେ ବସିଥିଲେ।

ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୨ ମସିହା ଯାଏ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ଯାଏ ମତ୍ସ ଓ ପଶୁପାଳନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ସେ ସମୟରେ ରାଜ୍ୟ ବିଜେପିର ଆଗଧାଡ଼ିର ଚେହେରା ଥିଲେ ଦ୍ରୌପଦୀ। ତେବେ ରାଜନୀତିରେ ସଫଳତାର ଶିଖର ଛୁଇଁଥିଲେ ବି ତାଙ୍କ ପାରିବାରିକ ଜୀବନ ବେଶ୍‌ ଦୁଃଖମୟ ଥିଲା। ସ୍ବାମୀ ଓ ୨ ପୁଅଙ୍କୁ ଅସମୟରେ ହରାଇଥିଲେ ଦ୍ରୌପଦୀ। ତଥାପି ସେ ରାଜନୀତି ଛାଡ଼ିନଥିଲେ କି ବିଜେପିରୁ ଦୂରେଇ ନଥିଲେ। କ୍ଷମତା ରାଜନୀତିରୁ ବେଶ୍‌‌ କିଛି ବର୍ଷ ଦୂରେଇ ରହିବା ପରେ ୨୦୧୫ ମସିହା ମେ ୧୮ ତାରିଖରେ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ପଦରେ ଅଭିଷିକ୍ତ କରିଥିଲା କେନ୍ଦ୍ର ନେତୃତ୍ବାଧୀନ ଏନ୍‌ଡିଏ ସରକାର। ଜଣେ ଆଦିବାସୀ ଚେହେରାଙ୍କୁ ଏତେ ବଡ଼ ସାମ୍ବିଧାନିକ ପଦରେ ବସାଇ ସେତେବେଳେ ସମସ୍ତଙ୍କୁ ଚମ୍‌କାଇ ଦେଇଥିଲା ବିଜେପି। ଏପରିକି ୨୦୨୦ରେ ତାଙ୍କ କାର୍ଯ୍ୟକାଳ ସରୁଥିଲେ ବି ୨୦୨୧, ଜୁଲାଇ ୬ ତାରିଖ ଯାଏ ସେ ରାଜ୍ୟପାଳ ପଦରେ ରହିଥିଲେ।

ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ରାଇରଙ୍ଗପୁରସ୍ଥିତ ବାସଭବନକୁ ଫେରିଥିଲେ ଦ୍ରୌପଦୀ। ବିଜେପି ତାଙ୍କୁ ସବୁକିଛି ଦେଇଛି। ଦଳ ଚାହିଁଲେ ସେ ପୁଣି ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବା ସେତେବେଳେ ‘ସମ୍ବାଦକୁ ଦେଇଥିବା ସାକ୍ଷାତକାରରେ କହିଥିଲେ। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ବିଜେପି କାହାକୁ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ କରିବ, ସେ ନେଇ ସବୁଠି ଚର୍ଚ୍ଚା ଲାଗିରହିଥିଲା। ତେବେ ରାଜନୈତିକ ଅଭିଜ୍ଞତା, ଯୋଗ୍ୟତା ଓ ଭାବମୂର୍ତ୍ତି ଦୃଷ୍ଟି‌ରୁ ଦ୍ରୌପଦୀ ବିଜେପିର ପ୍ରଥମ ପସନ୍ଦ ହୋଇପାରନ୍ତି ବୋଲି ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଦ୍ରୌପଦୀ ବିଜେପିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସେ ଓଡ଼ିଶାର ହୋଇଥିବାରୁ ବିଜେଡି ତାଙ୍କୁ ସମର୍ଥନ କରିବାକୁ ବାଧ୍ୟ‌ ହେବ। ଏଥିସହ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ନିଜର କାର୍ଯ୍ୟଦକ୍ଷତା ପାଇଁ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ହୋଇ ପାରିଥିଲେ। ଝାଡ଼ଖଣ୍ଡରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର ସୁପ୍ରିମୋ ଶିବୁ ସୋରେନ୍‌ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ବି ଦ୍ରୌପଦୀଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା। ତେଣୁ ଦ୍ରୌପଦୀଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କଲେ ବିଜେଡି, ଜେଏମ୍‌ଏମ୍‌ ସମେତ କ୍ଷମତାସୀନ ଅନ୍ୟାନ୍ୟ ଆଞ୍ଚଳିକ ଦଳଗୁଡ଼ିକରୁ ସମର୍ଥନ ମିଳିବ ବୋଲି କୁହାଯାଉଥିଲା। ସେହି ଆଧାରରେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ନିର୍ବାଚନରେ ଯଦି ସେ ବିଜୟୀ ହୁଅନ୍ତି, ତେବେ ସେ ହେବେ ଭାରତର ଦ୍ବିତୀୟ ମହିଳା ତଥା ପ୍ରଥମ ଆଦିବାସୀ ରାଷ୍ଟ୍ରପତି।

ସମ୍ବନ୍ଧିତ ଖବର