ଯାଜପୁର/ଚଣ୍ଡିଖୋଲ/ଭୁବନେଶ୍ବର: ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କହିବେ, ତାହା ଉପରେ ଆଜି ସାରା ରାଜ୍ୟର ନଜର ଥିଲା। ବିଜେପି କାର୍ଯ୍ୟକର୍ତ୍ତା ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ସେମାନେ ଆଶା କରିଥିଲେ, ମୋଦୀଙ୍କ ବକ୍ତବ୍ୟକୁ ଧରି ନିର୍ବାଚନମଣ୍ଡଳୀରେ ସରକାରଙ୍କୁ ଘେରିବେ। କଂଗ୍ରେସର ବାଟ ରୋକିବେ। ସେହିଭଳି ବିଜେଡି ଆଶଙ୍କାରେ ଥିଲା, କାଳେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଟାର୍ଗେଟ କରି ଗର୍ଜିବେ କି? ଏମିତି ହେଲେ, ଆଗକୁ ଅଡ଼ୁଆ ବଢ଼ିପାରେ। ଅନ୍ୟପକ୍ଷରେ ସାଧାରଣ ଜନତା ଜାଣିବାକୁ ଚାହୁଥିଲେ, ବିଜେପି ବିଜେଡିଠାରୁ କେତେ ଦୂରରେ ରହିଛି। ଏସବୁ ପଛର ମୂଳ କାରଣ ଥିଲା- ଗତ କିଛି ଦିନ ହେଲା ସାରା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଛି। ଏଭଳି ସମୟରେ ମୋଦୀ ଆସୁଛନ୍ତି ଅର୍ଥ, କିଛି ଗୋଟାଏ ସଙ୍କେତ ମିଳିବ। ହେଲେ ସମସ୍ତେ ନିରାଶ ୋହଇଛନ୍ତି। ଯିଏ ଯାହା ଭାବିଥିଲେ, ସେମିତି କେଉଁଠି କିଛି ବି ହେଲାନି। ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଚର୍ଚ୍ଚା ସାମାଜିକ ଗଣମାଧ୍ୟମରେ ଅଟକିଗଲା। ମୋଦୀ ବିଜେଡି ବିରୋଧରେ ବର୍ଷିଲେନି କି ବିଜେପି କର୍ମକର୍ତ୍ତାଙ୍କ ଜୋସ୍ ବଢ଼ାଇବା ଲାଗି ସୁଯୋଗ ରଖିଲେନି। ସାଧାରଣ ଲୋକ ବି ଏବେ ଉଭୟଙ୍କ ସଂପର୍କ ମାପିବା କାଠିକର ପାଠ।
ମୋଦୀଙ୍କ ଫୋକସ୍ରେ କେବଳ ଥିଲା ‘ଅବ୍ କି ବାର୍ ୪୦୦ ପାର୍’। ଅର୍ଥାତ୍ ଲୋକସଭାରେ ଦଳ ଏହି ରେକର୍ଡ ବିଜୟ ସହିତ କିଭଳି ସରକାରକୁ ଆସିବ, ସେ ନେଇ ସମସ୍ତଙ୍କୁ ଟାର୍ଗେଟ ଦେଇଗଲେ ପ୍ରଧାନମନ୍ତ୍ରୀ। ବିଜେଡି ସହ ମେଣ୍ଟ କଥା କହିଲେନି। ରାଜ୍ୟ ସରକାରଙ୍କ ବିରୋଧରେ ବି ମୁହଁ ଖୋଲିଲେନି। ଓଡ଼ିଶାରେ ବିଜେପି ସରକାର ଗଠନ କରିବ, ଏଭଳି ସ୍ବପ୍ନ ବା ଦାବି ବି ନଥିଲା ତାଙ୍କ ଭାଷଣରେ। ବରଂ ସରକାରୀ ସଭାରେ ଓଡ଼ିଶାର ବିକାଶରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ କହିବା ସହ ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସମ୍ବୋଧନ କଲେ ମୋଦୀ। ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ପ୍ରଶଂସା କଲେ। ସରକାରୀ ସଭାରେ ମୋଦୀ ଯେପରି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କଲେ, ହାତ ଧରି ହସିହସି ଗପୁଥିଲେ, ଦୁହେଁ ପରସ୍ପରକୁ ବାରମ୍ବାର ନମସ୍କାର କରୁଥିଲେ, ପରେ ଦେଖା ହେବା ଏବଂ କଥା ହେବା ନେଇ ହାତରେ ଠାରୁଥିଲେ ଏହା ରାଜ୍ୟ ରାଜନୀତିରେ ଭିନ୍ନ କିଛି ସମୀକରଣର ସଙ୍କେତ ଦେଇଛି।
ସାଂସଦ ଆଶାୟୀ ଉତ୍ସାହିତ, ବିଧାୟକ ଆଶାୟୀ ହତାଶ
ଓଡ଼ିଶାରେ ସରକାର ଗଠନ ନେଇ କିଛି କହିଲେନି
କୌତୂହଳର କଥା ହେଲା- ରାଜ୍ୟରେ କଂଗ୍ରେସ ଦଳର ମାତ୍ର ୯ଜଣ ବିଧାୟକ, ଜଣେ ସାଂସଦ ଅଛନ୍ତି। ସିଂହଭାଗ ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ରହୁଛି। ହେଲେ ସେହି ଦଳ ବିରୋଧରେ ଲଢ଼େଇ କରିବାକୁ ମୋଦୀ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ମୋଦୀଙ୍କ ଅଭିଭାଷଣରେ ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ନେତାମାନେ ବେଶ୍ ଉତ୍ସାହିତ। ହେଲେ ବିଧାନସଭାରେ ଯେଉଁମାନେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି ସେମାନଙ୍କ ମୁହଁ ଶୁଖିଯାଇଛି। ସାଧାରଣ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ବିଜେପିର ଆଶାୟୀ ପ୍ରାର୍ଥୀମାନେ ବିଜେଡି ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବାବେଳେ ଶୀର୍ଷ ନେତୃତ୍ବ ଆରମ୍ଭରୁ ଖାପଛଡ଼ା ଦେବା ଅନେକଙ୍କୁ ବିଚଳିତ କରିଛି। ମାସକ ତଳେ ସମ୍ବଲପୁର ସଭାରେ ମୋଦୀ ନବୀନଙ୍କୁ ‘ମୋର ମିତ୍ର’ ବୋଲି କହି ସମ୍ବୋଧନ କରିଥିବାବେଳେ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିବା କେଉଁ ପ୍ରକାରର ରଣନୀତି ତାହା ଦୂରଦୂରାନ୍ତରୁ ଆସିଥିବା ନେତା ଓ କର୍ମୀ ବୁଝିପାରିନାହାନ୍ତି। ଯେଉଁ କଥାଟି ବେଶୀ ଚର୍ଚ୍ଚାକୁ ଆସିଛି, ତାହା ହେଲା- ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ନବୀନ କହିଥିଲେ, ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂଆ ଦିଗ ସ୍ଥିର କରିଛନ୍ତି। ଭାରତକୁ ଅର୍ଥନୈତିକ ଶକ୍ତି କେନ୍ଦ୍ରରେ ପରିଣତ କରିବା ପାଇଁ ଏହାକୁ ତ୍ବରିତ ବେଗରେ ନେଉଛନ୍ତି। ଭାରତ ଏବେ ବିଶ୍ବର ସର୍ବବୃହତ ୫ମ ଅର୍ଥନୀତି। କିଛି ବର୍ଷ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବ। ଏହାପରେ ନବୀନ କହିଥିଲେ, ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି। ଆଗକୁ ଆହୁରି ଅନେକ କାମ କରିବାକୁ ଅଛି। ଓଡ଼ିଶାର ବିକାଶ ପାଇଁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି। ପ୍ରଧାନମନ୍ତ୍ରୀ ବି ନବୀନଙ୍କ ସହିତ ତାଙ୍କର ନିବିଡ଼ତାର ପ୍ରତିଟି ଝଲକ ଫଟୋରେ ରଖିବା ଲାଗି ଯଥେଷ୍ଟ ସୁଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କର ଯାଜପୁର ଗସ୍ତ କାର୍ଯ୍ୟକ୍ରମ ବହୁ ଦିନରୁ ସ୍ଥିର ହୋଇଥିଲା। ପରେ ସରକାରୀ କାର୍ଯ୍ୟକ୍ରମ ତା’ ସହିତ ଯୋଡ଼ି ଦିଆଯାଇଥିଲା। ଦୁଇଟି ମଞ୍ଚ ମଧ୍ୟ ହେଲା। ସରକାରୀ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଦଳୀୟ ସଭାମଞ୍ଚକୁ ଆସିବା ପୂର୍ବରୁ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ଶାରଦା ପ୍ରସାଦ ଶତପଥୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ବିଜେଡି ସରକାରକୁ ହଟାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ବିଜେପି ରାଜ୍ୟରେ ସରକାର ଗଢ଼ିବ ବୋଲି ଜୋର ଦେଇ ଗର୍ଜନ ତର୍ଜନ କରିଥିଲେ। ହେଲେ ମୋଦୀଙ୍କ ଭାଷଣ ପରେ ସାରା ରାଜ୍ୟକୁ ବାର୍ତ୍ତା ଗଲା ଯେ ବିଜେପିର ଶୀର୍ଷସ୍ତରର ରଣନୀତି ସଂପର୍କରେ ସ୍ଥାନୀୟ ନେତା ସମ୍ଭବତଃ ଅଜ୍ଞ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/ffshsfrrr.jpg)