ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତିଙ୍କ ବିୟୋଗକୁ ଇତିମଧ୍ୟରେ ଏକ ବର୍ଷ ପୂରିବ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲା ରାଜନୀତିରେ ଅନେକ ପରିବର୍ତ୍ତନ ହୋଇ ସାରିଛି। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବ୍ରଜରାଜନଗର  ଉପନିର୍ବାଚନରେ ବିପୁଳ ଭୋଟ ପାଇ ବିଧାୟିକା ହୋଇ ସାରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ମଧ୍ୟ ବିଜେଡିର ଦବଦବା ରହିଛି। ମାତ୍ର ଜିଲ୍ଲା ବିଜେଡିରେ ସଭାପତି ପଦବି ପୂରଣ ହୋଇପାରିନାହିଁ। ସ୍ବର୍ଗତ ମହାନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ତେବେ ତାଙ୍କ ଅବର୍ତ୍ତମାନରେ ଜିଲ୍ଲା ବିଜେଡି ଦଳକୁ କିଏ ନେତୃତ୍ବ ଦେବ ତାହା ନିଷ୍ପତ୍ତି ନେବା ସେତେଟା ସହଜ ନୁହେଁ ଏହା ପ୍ରମାଣ ହୋଇଯାଇଛି। ଏକ ବର୍ଷ ହେଲା ବିନା ସଭାପତିରେ ଜିଲ୍ଲା ବିଜେଡି ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି, କାଉନସିଲର, ନଗରପାଳ, ଉପନଗରପାଳ ନିର୍ବାଚନ ସହିତ ବ୍ରଜରାଜନଗର ଉପନିର୍ବାଚନ ମଧ୍ୟ ସମ୍ପନ୍ନ ହୋଇସାରିଛି। ମାତ୍ର ସଭାପତି ଆସନରେ ଦଳ କାହାକୁ ଗାଦିସୀନ କରିବ ଦଳ ନିଷ୍ପତ୍ତି ନେଇ ପାରି ନାହିଁ। ନିର୍ବାଚନ ପରେ ଜିଲ୍ଲା ରାଜନୀତି ମଧ୍ୟ ଥଣ୍ଡା ପଡ଼ି ଯାଇଛି।

Advertisment

ଏକଦା ବିଜୁବାବୁଙ୍କ ଆସ୍ଥା ଜିତିଥିବା ସ୍ବର୍ଗତ ମହାନ୍ତି ତାଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ହୋଇପାରିଥିଲେ। ବିଜେଡି ଗଠନ ହେବା ଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ସେ ଦଳରେ ନିଜକୁ ନିବିଡ଼ ଭାବରେ ସାମିଲ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ସଭାପତି ଭାବରେ ଦଳର ମଙ୍ଗ ସବୁବେଳେ ଧରି ରଖିଥିଲେ ସ୍ବର୍ଗତ ମହାନ୍ତି। ନବୀନଙ୍କ ଗୁଡ୍‌ବୁକ୍‌ରେ ଥିବାରୁ କିଶୋର ବିଧାନସଭାର ବାଚସ୍ପତି ପଦବିଠାରୁ ରାଜ୍ୟସଭା ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭଳି ଆସନ ଅଳଙ୍କୃତ କରି ପାରିଥିଲେ। ନିର୍ବାଚନରେ ପରାଜୟ ବରଣ ପରେ ମଧ୍ୟ ବିଜେଡି ତାଙ୍କୁ ବିଭିନ୍ନ ପଦବିରେ ରଖି ଦୀର୍ଘ ବର୍ଷ ଧରି କ୍ଷମତା ଓ ଦଳର ସାଂଗଠନିକ ଦାୟିତ୍ବ ଦେଇ ଆସୁଥିଲା। କିଶୋରଙ୍କ ବିୟୋଗ ପରେ ଦଳରେ ତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ହୋଇପଡ଼ିଛି ବୋଲି ବହୁ ବିଜେଡି କର୍ମୀ କହୁଛନ୍ତି।

publive-image

ଯେଉଁ ସମୟରେ କିଶୋରଙ୍କ ହଠାତ୍‌ ବିୟୋଗ ହୋଇଥିଲା ସେହି ସମୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଥିଲା। କିଶୋରଙ୍କ ଅନୁପସ୍ଥିତିରେ ଝାରସୁଗୁଡ଼ା ବିଜେଡିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦଳର ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରି ଦଳକୁ ବିଜୟ ମୁକୁଟ ପିନ୍ଧାଇବାରେ ସହାୟକ ହୋଇ ପାରିଥିଲେ ମଧ୍ୟ ଦଳରେ ଏବିବି ଅସନ୍ତୁଷ୍ଟ ଗୋଷ୍ଠୀ ମୁଣ୍ଡ ଟେକିଛନ୍ତି। ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦରେ ବିଜେଡି କାଉନସିଲରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଦଳରେ ଥିବା ଗୋଷ୍ଠୀକନ୍ଦଳକୁ ପଦାରେ ପକାଇ ଦେଉଛି। ବିଧାୟିକା ଅଳକା ମହାନ୍ତିଙ୍କ ଉପସ୍ଥିତି ସତ୍ତ୍ବେ ବିଜେଡିର କାଉନସିଲରମାନେ ବୈଠକ ବର୍ଜନ କରିବା ପଛରେ ଅନେକ ରହସ୍ୟ ଥିବା କୁହାଯାଉଛି। ଏହି ବିବାଦ ସମାଧାନ ପାଇଁ ଦଳ ସଫଳ ହୋଇପାରୁନାହିଁ। ପୌର ନିର୍ବାଚନ ବେଳେ ବିଜେଡି ବହୁ ପରିଶ୍ରମ କରି ମଧ୍ୟ ବେଲପାହାଡ଼ ନଗରପାଳ ପଦବି ହରାଇବା ପଛରେ ଗୋଷ୍ଠୀ କନ୍ଦଳ ଓ ଷଡ୍‌ଯନ୍ତ୍ର ଥିବା ସେତେବେଳେ କୁହାଯାଇଥିଲା। ଏକଦା ରାଜନୈତିକ ଶତ୍ରୁତା ମଧ୍ୟରେ ନବ ଓ କିଶୋରଙ୍କ ସମୟ ବିତିଥିଲା। ନବ ବିଜେଡିକୁ ଆସିବା ପରେ ମନ୍ତ୍ରୀ ହୋଇ କ୍ଷମତାଶାଳୀ ହୋଇ ଉଠିବା ଯୋଗୁଁ କିଶୋର ବ୍ରଜରାଜନଗର ବିଧାୟକ ପଦରେ ସୀମିତ ରହିଥିଲେ। ଉଭୟ ନେତା ନିଜ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ନିର୍ବାଚନ ମଣ୍ଡଳୀ କଥାରେ ମୁଣ୍ଡ ନପୂରାଇବା ପାଇଁ ଅଲିଖିତ ଚୁକ୍ତି କରିଥିଲେ। ଫଳରେ କିଶୋର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଉପରେ ଏବଂ ନବ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଉପରେ କୌଣସି ହସ୍ତକ୍ଷେପ କରୁନଥିବା ଦେଖା ଯାଇଥିଲା।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ନିଜର ରାଜନୈତିକ କ୍ୟାରିଅର ସୃଷ୍ଟି କରିଥିବା କିଶୋର ବ୍ରଜରାଜନଗର ବିଧାୟକ ଭାବରେ ସେହି ନିର୍ବାଚନମଣ୍ଡଳୀକୁ ଗଲାପରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର କର୍ମୀମାନେ ଏକ ପ୍ରକାର ଅସହାୟ ଅନୁଭବ କରିଥିଲେ। ନବ ଦାସଙ୍କ ଶିବିରରେ କିଶୋରଙ୍କ କିଛି ମୁଷ୍ଟିମେୟ କର୍ମକର୍ତ୍ତାଙ୍କୁ ଛାଡ଼ି ଦେଲେ ଅନ୍ୟମାନଙ୍କ ପ୍ରବେଶ ଅତି ନଗଣ୍ୟ ଥିଲା। କିଶୋରଙ୍କ ବିୟୋଗ ପରେ ଜିଲ୍ଲା ବିଜେଡିର ନେତୃତ୍ବ କିଏ ନେବ ତାକୁ ନେଇ ସେତେବେଳେ ଚର୍ଚ୍ଚା ଯୋର୍‌ ଧରିଥିଲେ ମଧ୍ୟ ପରେ ସମସ୍ତ‌େ ନିରବ ହୋଇ ଯାଇଥିଲେ। କାହାକୁ କରାଯିବ ସଭାପତି ନବ ଶିବିରରୁ ଜଣକୁ କରାଯିବ ନା କିଶୋରଙ୍କ ଅନୁଗତ ଥିବା କାହାକୁ କରାଯିବ ତାକୁ ନେଇ ଆଜି ବି ଦ୍ବନ୍ଦ୍ବ ରହିଥିବା ଜଣାଯାଇଛି। ଫଳରେ ବର୍ଷେ ହେଲା ଜିଲ୍ଲା ସଭାପତି ପଦବି ଶୂନ୍ୟ ପଡ଼ିଥିବା କୁହାଯାଉଛି।