ପ୍ରଦୀପଙ୍କ ବିରୋଧରେ ପୁଣି ଅସନ୍ତୋଷ ଝାଡ଼ିଲା ବିଜେଡି

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଆଜି ପୁଣି ସଙ୍ଗିନ୍ ଅଭିଯୋଗ ଆଣିଛି। ଦଳର ଗଣମାଧ୍ୟମ ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଶ୍ରୀ ପାଣିଗ୍ରାହୀ ସମ୍ଭବତଃ ଓଡ଼ିଶାବାସୀଙ୍କୁ ବୋକା ଭାବିଛନ୍ତି। ତାଙ୍କ ଭାବି ଜ୍ବାଇଁ ଟାଟା କଂପାନିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ, ଯିଏ ସବୁଠାରୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ବୋଲି କହୁଛନ୍ତି। କିନ୍ତୁ ଟାଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଆକାଶ ପାଠକଙ୍କ ସହିତ ଏହି କଂପାନିର କୌଣସି ସଂପର୍କ ନାହିଁ। ଖୋଦ୍ ଟାଟା ଏ ସଂକ୍ରାନ୍ତରେ ଏତଲା ଦେଇଛି। ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାମରେ ଜାଲ୍ ନିଯୁକ୍ତି ପତ୍ର ଦେବା ସହିତ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି। ଏତେ ସତ୍ତ୍ବେ ଶ୍ରୀ ପାଣିଗ୍ରାହୀ ରାଜ୍ୟବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାଉଛନ୍ତି ଓ ଏହା ଧୋକା ନୁହେଁ ତ ଆଉ କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି।

ବିଜେଡି ଦୋହରାଇଛି ଯେ ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ। ହେଲେ ଏ ଟଙ୍କା କାହାର ଥିଲା ଓ ଏତେ ଟଙ୍କା ସେ କେଉଁଠୁ ଆଣିଲେ? ଯେଉଁମାନେ ଦିନରାତି ଏକ କରି ଅର୍ଥ ଉପାର୍ଜନ କରିଥିଲେ, ଟାଟାରେ ଚାକିରି ପାଇବା ଆଶାରେ ସେମାନେ ଟେକିଦେଇଥିଲେ। ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକାଯାଇଛି। ଏସବୁ ଜନ ବିରୋଧୀ କାର୍ଯ୍ୟ ନୁହେଁ ତ ଆଉ କଣ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି।

ବିଜେଡି ଆହୁରି କହିଛି ଯେ ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ। ହେଲେ ଏଠି ନିଜର ସ୍ବାର୍ଥ ପାଇଁ ଆରାମ ଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତି ଭିତରକୁ ଠେଲି ଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। କେବଳ ସେତିକି ନୁହେଁ, ଯେଉଁମାନ ଶ୍ରୀ ପାଣିଗ୍ରାହୀଙ୍କୁ ଭରସା କରି ନିଜର ସୁରକ୍ଷା ପାଇଁ ଭୋଟ୍ ଦେଇଥିଲେ, ଶେଷରେ ସେଇମାନଙ୍କ ସହ ବିଶ୍ବାସଘାତକ କରିବାକୁ ପଛେଇଲେନି। ଯିଏ ନିଜ ସ୍ବାର୍ଥ ପାଇଁ ଜ୍ବାଇଁକୁ ବ୍ୟବହାର କରିପାରେ, ନିଜର ନିର୍ବାଚନମଣ୍ଡଳୀକୁ ଧୋକା ଦେଇପାରେ, ଓଡ଼ିଶାବାସୀଙ୍କୁ ମିଛ କହିପାରେ, ସେଭଳି ଲୋକଙ୍କର ଦଳରେ ସ୍ଥାନ ନାହିଁ ବୋଲି ବିଜେଡି ଦର୍ଶାଇଛି।

ସମ୍ବନ୍ଧିତ ଖବର