ବିଜେଡି ଖସିଲା, କଂଗ୍ରେସ ବଢିଲା, ଉଧେଇଲାନି ବିଜେପି

୨୦୧୭ ଓ ୨୦୨୨ରେ କୋରାପୁଟ ଜିଲ୍ଲା ପରିଷଦ ଆସନର ତୁଳନାତ୍ମକ ଚିତ୍ର

କୋରାପୁଟ: କୋରାପୁଟ ଜିଲ୍ଲାର ୨୯ଟି ଜିଲ୍ଲା ପରିଷଦ ଆସନରୁ ୧୬ଟିରେ ବିଜୟ ଲାଭ  କରିଛି ବିଜେଡି। କଂଗ୍ରେସ ୧୨ଟି ଆସନ ଦାଖଲ କରିଥିବାବେଳେ ଖାତା ଖୋଲି ପାରିନି ବିଜେପି। କହିବାକୁ ଗଲେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବିଜେପି। ଗତ ୨୦୧୭ ଓ ୨୦୨୨ ତ୍ରିସ୍ତିରୀୟ ପଞ୍ଚାୟତ ନିର୍ବାଚନର ତୁଳନାତ୍ମକ ଚିତ୍ରକୁ ଦେଖିଲେ ବିଜେଡି ଖସିଛି, କଂଗ୍ରେସ ବଢ଼ିଛି ଓ ବିଜେପି ଉଧେଇପାରିନି। ଗତ ୧୨୦୧୭ରେ ବିଜେଡି କୋରାପୁଟ ଜିଲ୍ଲାରେ ୨୯ରୁ ୨୪ଟି ଆସନ ହାସଲ କରିଥିଲା। ମାତ୍ର ୪ଟି ଜିତିଥିଲା କଂଗ୍ରେସ।

ଦୃଢ ମତ ରହିଥିବାରୁ ବିଜେଡି କୋରାପୁଟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ ହାସଲ କରିଥିଲା। ହେଲେ ୨୦୨୨ରେ ପୁଣି ଫର୍ମକୁ ଫେରିଛି କଂଗ୍ରେସ। ବିଜେଡିର ଦବଦବା କମିଛି। କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଦୁଇ ପୂର୍ବତନ ବିଧାୟକଙ୍କ ଦବଦବା କାମ ଦେଇନି। ଲକ୍ଷ୍ମୀପୁର, ଦଶମନ୍ତପୁର, ଲମତାପୁଟ, ସେମିଳିଗୁଡା, ବୈପାରିଗୁଡା ଓ ପଟାଙ୍ଗୀରେ ବିଜେଡି ଅତି ଖରାପ ପ୍ରଦର୍ଶନ କରିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି କୋରାପୁଟ ଜିଲ୍ଲାରେ ୫ଟି ନିର୍ବାଚନ ମଣ୍ଡଳୀରୁ ୪ଟି ଦଖଲକୁ ନେଇଥିଲା। ଏଥିରେ ଥିଲା କୋରାପୁଟ, ଲକ୍ଷ୍ମୀପୁର, କୋଟପାଡ, ପଟାଙ୍ଗୀ। ପୂର୍ବରୁ କୁନ୍ଦୁରା ୧/୨, କୋଟପାଡ-୧ ଓ ପଟାଙ୍ଗୀ-୨ରେ କଂଗ୍ରେସ ପ୍ରାର୍ଥୀ ଜିତି ଥିବାବେଳେ ଜିଲ୍ଲାର ୨୪ଟି ଆସନକୁ ହାତେଇଥିଲେ ବିଜେଡି।

୨୦୨୨ରେ ବିଜେଡି ହାତରେ କୋରାପୁଟ-୧, ବନ୍ଧୁଗାଁ ୧/୨, ପଟାଙ୍ଗୀ-୨, ନନ୍ଦପୁର-୧/୨, ବୈପାରିଗୁଡା-୧, କୁନ୍ଦୁରା ୧/୨, କୋଟପାଡ ୧/୨, ବୋରିଗୁମ୍ମା ୧/୨ ଓ ଜୟପୁର ୧/୨/୩ ଦଖଲ କରିଥିବାବେଳେ କୋରାପୁଟ-୨, ଦଶମନ୍ତପୁର-୧/୨, ଲକ୍ଷ୍ମୀପୁର-୧/୨, ନାରାୟଣପାଟଣା-୧, ସେମିଳିଗୁଡା ୧/୨, ଲମତାପୁଟ-୧/୨, ବୈପାରିଗୁଡା-୨ ଓ ବୋରିଗୁମ୍ମା-୩ କଂଗ୍ରେସ ଦଖଲ କରିଛନ୍ତି। ପୂର୍ବ ନିର୍ବାଚନରେ କୁନ୍ଦୁରା ୧/୨ କଂଗ୍ରେସ ହାତରେ ରହିଥିବାବେଳେ ଏହାକୁ ହରାଇଛି କଂଗ୍ରେସ। ୨୫ ବର୍ଷ ବିଜେଡି ଦଖଲରେ ରହିଥିବା ଲମତାପୁଟ ୧/୨କୁ ଦଖଲ କରିଛି କଂଗ୍ରେସ। ତେବେ ଲକ୍ଷ୍ମୀପୁର, ସେମିଳିଗୁଡା, ବୋରିଗୁମ୍ମା, ଦଶମନ୍ତପୁର, ନାରାୟଣପାଟଣା ଓ କୋରାପୁଟ ଦଖଲ ଦାୟିତ୍ବ ନେଇଥିଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗୀ ବିଧାୟକ ପିତମ ପାଢୀ, ଜିଲ୍ଲା ବିଜେଡିର ସଭାପତି ଈଶ୍ବର ପାଣିଗ୍ରାହୀ ଓ ଉପସଭାପତି ଉତ୍କଳ ରଞ୍ଜନ ନାୟକ।

ଏହାସହ ଦଳର ପର୍ଯ୍ୟବେକ୍ଷକ ଓ ରାଜ୍ୟ ସଂଗଠକ ମଧ୍ୟ ବାରମ୍ବାର ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରୁଥିଲେ। ହେଲେ କିପରି ଓ କେଉଁ ପରିସ୍ଥିତିରେ ୨୦୧୭ରେ ଦଖଲ ହୋଇଥିବା ଜିଲ୍ଲା ପରିଷଦ ହାତରୁ ଗଲା ତାହାକୁ ନେଇ ନାନା ସମୀକ୍ଷା ଆରମ୍ଭ ହୋଇଛି। ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କ ଦବଦବା ମଧ୍ୟ ବୃଦ୍ଧି ପାଇଛି। ୨୦୧୭ ପରି ପୁଣି ବୋରିଗୁମ୍ମା ଓ ଜୟପୁରକୁ ଦଖଲ କରିଛନ୍ତି।  ଈଶ୍ବରଙ୍କ ନିଜ ଘର ଲମତାପୁଟରେ ବିଜେଡିର ଏପରି ପରାଜୟ ଦଳ ସଂଗଠନ ପାଇଁ ଶୁଭଦାୟକ ହୋଇ ନ ଥିବା ଜଣାପଡିଛି।

କଂଗ୍ରେସ ୨୦୧୯ ନିର୍ବାଚନରେ ୫ଟି ବିଧାନସଭା ଆସନରୁ ଗୋଟିଏ ଜିତି ଥିବାବେଳେ ୪ଟିରେ ପରାଜିତ ହୋଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନ ୨୯ଟି ଆସନରୁ ମାତ୍ର ୪ଟି ଜିତି ସମ୍ମାନ ରକ୍ଷା କରିଥିଲା। ହେଲେ ୨୦୨୨ଦଳ ପୁଣି ୧୨ଟି ଆସନ ଦଖଲ କରି ପକେଟ ଭୋଟକୁ ନିଜର କରିଛି। ଠିକ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଦୁଇ ଦୁଇ ପୂର୍ବତନ ବିଧାୟକ ଦଳ ଛାଡିଥିଲେ। ଆଶା କରାଯାଉଥିଲା କୋଟପାଡ ନିର୍ବାଚନ ମଣ୍ଡଳୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ମୁକ୍ତ ହୋଇଯିବ ବୋଲି। ହେଲେ କୋଟପାଡରେ ଏହା କାମ କରିଥିବାବେଳେ ଲକ୍ଷ୍ମୀପୁରରେ କଂଗ୍ରେସ ସପକ୍ଷରେ ଯାଇଛି ଜନମତ। ଲେକେ ବିଜେଡି ଅପେକ୍ଷା କଂଗ୍ରେସକୁ ପସନ୍ଦ କରିଛନ୍ତି।

ଏନେଇ ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ଜନମତକୁ ଆମେ ସ୍ବାଗତ କରୁଛୁ। ଦଳ କାହିଁକି ଓ କେଉଁ ପରିସ୍ଥିତିରେ  ୨୯ରୁ ୧୬କୁ ଖସିଲା ତାହାର ସମୀକ୍ଷା ହେବ। ଆମ‌େ ଆମ ତ୍ରୁଟି ସୁଧାରୀ ୨୦୨୪ରେ ଆମେ ୫ ନିର୍ବାଚନ ମଣ୍ଡଳୀ ଦଖଲ କରିବୁ। ଜିଲ୍ଲା ପରିଷଦ ଆମେ ଗଢିବାକୁ ରହିଥିବାରୁ ଏଥି ପାଇଁ ୪ଟି ବ୍ଲକର ଆଶୟୀ ରହିଛନ୍ତି। ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଏନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି କହିଛନ୍ତି ଯେ ଆମର ପକେଟ ଭୋଟ ରହିଥିଲା। ଶାସକ ଦଳର ଚାପରେ ମଧ୍ୟ କୋରାପୁଟ ବାସୀ କଂଗ୍ରେସକୁ ବାଛି ଥିବାରୁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି।

ଏନେଇ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ ଆମେ କାମ କରୁଛୁ। ଜନତା ଜନାର୍ଦ୍ଦନଙ୍କ ମତକୁ ଆମେ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର