ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧ ତାରିଖରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବ। ଏହାଛଡ଼ା ଆସନ୍ତାକାଲି ଦଳ ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ ଓ ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ପ୍ରମିଳା। ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ।

Advertisment

କରୋନା କାଳରେ ଲୋକଙ୍କ ହାତରେ ରୋଜଗାର ନଥିବା ବେଳେ ଏଭଳି ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବେଶ ବାଧୁଛି। ଖାସକରି ପେଟ୍ରୋଲ, ଡିଜେଲ, ଏଲପିଜି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି କାରଣରୁ ସାଧାରଣ ଲୋକେ ବେଶ ହନ୍ତସନ୍ତ ହେଉଛନ୍ତି। ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି। ମହଙ୍ଗା ମାଡ଼ରେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।