ଆଦିବାସୀଙ୍କ ଭାବାବେଗ ସହ ଖେଳୁଛନ୍ତି ବିଜେପି,ବିଜେଡି

୪ବର୍ଷ ହେଲା ଆଦିବାସୀ ଉପଦେଷ୍ଟା ସମିତି ଗଠନ କରୁନାହାନ୍ତି ନବୀନ
୨ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଛନ୍ତି ମୋଦୀ ସରକାର

ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ‘ମାଟି ନା ପାର୍ଟି’ ବିତର୍କ ଆରମ୍ଭ ହୋଇଛି। ଉଭୟ ବିଜେପି ଓ ବିଜେଡିର ଏହି ଆଭିମୁଖ୍ୟକୁ ନାପସନ୍ଦ କରିଛି ରାଜ୍ୟ କଂଗ୍ରେସ। ସରଳ ଆଦିବାସୀଙ୍କର ଭାବାବେଗ ସହିତ ନ ଖେଳି ସେମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବୁଧବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ କହିଲେ ଯେ ଉଭୟ ବିଜେପି ଏବଂ ବିଜେଡି ହେଉଛନ୍ତି ଆଦିବାସୀ ସ୍ୱାର୍ଥ ବିରୋଧୀ ଦଳ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆଦିବାସୀ ଉପଦେଷ୍ଟା ସମିତିର ଅଧ୍ୟକ୍ଷ। ହେଲେ ଗତ ୪ ବର୍ଷ ଭିତରେ ଥରୁଟିଏ ଏହାର ବୈଠକ ଡାକି ନାହାନ୍ତି। ଓଡ଼ିଶାରେ ୨୦୧୯ ମସିହା ପରଠାରୁ ଆଦିବାସୀ ଉପଦେଷ୍ଟା ସମିତି ଗଠନ କରାଯାଇ ନାହିଁ। ରାଜ୍ୟରେ ଏସ୍‌ଡିସି ବା ସ୍ପେଶାଲ ଡେଭଲପମେଂଟ କାଉନ୍‌ସିଲ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଏହାର ଗଠନ ଓ ପରିଚାଳନା ନେଇ ଟିଏସିର କୌଣସି ଅନୁମୋଦନ ନ ଥିବା ଅତ୍ୟନ୍ତ ପରିତାପର ବିଷୟ। ବିଗତ ୨୨ ବର୍ଷ ଭିତରେ ଓଡ଼ିଶାରେ ୪୪ଥର ଟିଏସିର ବୈଠକ ବସିବା କଥା, ମାତ୍ର ୧୭ଥର ବୈଠକ ବସିଛି। ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ନେଇ କଂଗ୍ରେସକୁ ଉପଦେଶ ଦେଉଥିବା ବିଜେପି ରାଜ୍ୟର ଏକ କୋଟିରୁ ଅଧିକ ଆଦିବାସୀଙ୍କର କଲ୍ୟାଣ ପାଇଁ ଟିଏସିର ବିନା ଅନୁମତିରେ କୋଟି କୋଟି ଟଙ୍କା ବେଆଇନ ଖର୍ଚକୁ ନେଇ କାହିଁକି ପ୍ରଶ୍ନ ଉଠାଇ ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ଆହୁରି କହିଛି ଯେ ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୨ ପ୍ରତିଶତ ଓ ସର୍ବଭାରତୀୟ ସ୍ତରରେ ତୃତୀୟ ବୃହତମ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଭଳି ଅନେକ କ୍ଷେତ୍ରରେ ସେମାନେ ପଛୁଆ ହୋଇ ରହିଛନ୍ତି। ଖୋଦ୍ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁକୁ ୨୨ ବର୍ଷ ଧରି ବିଜୁଳି ସଂଯୋଗ ନ ଥିବା ଉଭୟ ବିଜେପି ଓ ବିଜେଡି ଆଦିବାସୀଙ୍କ ସ୍ୱାର୍ଥକୁ ନେଇ କେତେ ଗମ୍ଭୀର ତାହା ପ୍ରମାଣିତ କରୁଛି। ଗତ ଦୁଇବର୍ଷ ଧରି କେନ୍ଦ୍ର ମୋଦୀ ସରକାର ଆଦିବାସୀମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରିଦେଇଛନ୍ତି। କଳିଙ୍ଗ ନଗର ଆଦିବାସୀ ନରସଂହାର ଘଟଣା ସମୟରେ ରାଜ୍ୟରେ ବିଜେପି-ବିଜେଡିର ମିଳିତ ସରକାର ଥିଲା। ଏହି ସମୟରେ ମନ୍ତ୍ରୀ ଥିବା ଶ୍ରୀମତୀ ମୁର୍ମୁ ବିଧାନସଭାରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ କି ଏ ସଂପର୍କରେ ପାଟି ଖୋଲି ନ ଥିଲେ। ବାସ୍ତବରେ ପାର୍ଟିର ଦ୍ୱାହି ଦେଇ ମାଟିକୁ ମାରା କରିଛନ୍ତି ଉଭୟ କ୍ଷମତାରେ ଥିବା ବିଜେପି ଓ ବିଜେଡି।

ଶ୍ରୀ ନାୟକ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ଏକ ରାଜନୈତିକ ପ୍ରକ୍ରିୟା। ଚଳିତ ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଛି। କିନ୍ତୁ ପାର୍ଟି ଓ ମାଟିର ନାରା ଦେଇ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷାକୁ ଅଗ୍ରାଧିକାର ଦେବା ପରିବର୍ତେ କଂଗ୍ରେସ ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ। ଆଦିବାସୀଙ୍କ ନାର୍ଯ୍ୟ ଦାବି ଓ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥୀ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର