ବିଜେପି ଗଡ଼ରେ ଧସେଇ ପଶିଲା ବିଜେଡି

୭ ଜୋନରୁ ବିଜେଡି ୬ରେ ଆଗୁଆ, ଚିତ୍ରକୋଣ୍ଡା ଜୋନ -୧ରେ କଂଗ୍ରେସ ଆଗୁଆ

ମାଲକାନଗିରି: ଶନିବାରଠାରୁ ପଞ୍ଚାୟତ ନିର୍ବାଚନର ଫଳାଫଳ ନେଇ ଗଣତି ଆରମ୍ଭ ହୋଇଛି।ଜିଲ୍ଲାର ୭ଟି ବ୍ଲକର ଜୋନ-୧ଗୁଡିକର ପ୍ରାର୍ଥୀମାନଙ୍କର ଗଣନା ଜୋରସୋରରେ ଚାଲିଛି।ମାଲକାନଗିରି ଜିଲ୍ଲାରେ ଗତ ବର୍ଷ ବିଜେପି ଏକତରଫା ବିଜୟ ହାସଲ କରି ଜିଲ୍ଲା ପରିଷଦ ଆସନକୁ ହାତେଇ ନେଇଥିଲା। ତେବେ ବିଜେପି ଗଡରେ ଚଳିତ ନିର୍ବଚନରେ ବିଜେଡି ଧସେଇ ପଶିଛି।ଆଜି ୭ଟି ଜୋନରେ ଗଣତିରେ ୬ଟି ଜୋନରେ ବିଜେଡି ଆଗୁଆ ରହିଥିବା ବେଳେ ଗୋଟିଏ ମାତ୍ର ଚିତ୍ରକୋଣ୍ଡା ଜୋନରେ କଂଗ୍ରେସ ଆଗୁଆ ରହିଛି। ଖବର ଲେଖାଯିବା ବେଳକୁ ଚିତ୍ରକୋଣ୍ଡା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ସୂତ୍ରରୁ ପ୍ରକାଶ। କିନ୍ତୁ କମିଶନ ତରଫରୁ ଘୋଷଣା କରାଯାଇନାହଁ।

ରାତି ୧୦ଟା ସୁଦ୍ଧା କାଲିମେଳା ବ୍ଲକର ଜୋନ-୧ରେ୧୦ମ ରାଉଣ୍ଡ ସମାପ୍ତ ହୋଇଥିବା ବେଳେ ବିଜେଡିର ଅପର୍ଣ୍ଣା ମଣ୍ଡଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁମିତ୍ରା ମଣ୍ଡଳ ଠାରୁ ୩୫୨୨ ଭୋଟରେ ଆଗୁଆ ଚାଲିଛନ୍ତି। ସେହିପରି କୋରକୋଣ୍ଡା ବ୍ଲକର ଜୋନ-୧ରେ  ୧୦ମ ରାଉଣ୍ଡ ସୁଦ୍ଧା ବିଜେଡିର ବିଜେଡିର ବିଜୟଲକ୍ଷ୍ମୀ ପଡିଆମି ତାଂକର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ରାମେ ପଡିଆମିଙ୍କ ଠାରୁ ୧୪୫୫ଟି ଭୋଟରେ ଆଗୁଆ ଚାଲିଛନ୍ତି। ମାଲକାନଗିରି ବ୍ଲକର ଜୋନ-୧ରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର କୁନି ଭୁମିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କନକଲତା କୁରାମୀଙ୍କ ଠାରୁ ୪୧୬୭ ଭୋଟରେ ଆଗୁଆ ଚାଲିଛନ୍ତି।

ପଡିଆ ବ୍ଲକର ଗୋଟିଏ ମାତ୍ର ଜୋନରେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁରଭୀ ଭୌମିକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଲିପସା ରାୟଙ୍କ ଠାରୁ ୨୭୨୨ ଭୋଟରେ ଆଗୁଆ ଚାଲିଛନ୍ତି।ଖଇରପୁଟ ବ୍ଲକର ଗୋଟିଏ ମାତ୍ର ଜୋନରେ ୬ଷ୍ଠ ରାଉଣ୍ଟ ସୁଦ୍ଧା ବିଜେଡିର ପ୍ରାର୍ଥୀ ବଳି ମାଝି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସହଦେବ ଶିଶାଙ୍କ ଠାରୁ ୩୨୧୮ ଭୋଟରେ ଆଗୁଆ ଚାଲିଛନ୍ତି। ମାଥିଲି ବ୍ଲକରେ ୯ମ ରାଉଣ୍ଡ ସୁଦ୍ଧା ଜୋନ-୧ରେ ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ତାଂକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ନିଳାବତୀ ନାୟକଙ୍କ ଠାରୁ ୩୨୧୮ ଭୋଟରେ ଆଗୁଆ ରହିଛନ୍ତି।

ସେହିପରି ଚିତ୍ରକୋଣ୍ଡା ବ୍ଲକରେ ୧୧ ରାଉଣ୍ଡ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ବୀନତି ଖିଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଭେଙ୍କେଟେଶ୍ବର ପୋପୁଲୁଙ୍କ ଠାରୁ ୫୩୭ ଭୋଟରେ ଆଗୁଆ ରହିଛନ୍ତି। ଗୋଟିଏ ଗୋଟିଏ ରାଉଣ୍ଡ ଗଣତିରେ ବିଳମ୍ବ ହେଉଥିବାରୁ ସମସ୍ତ ଗଣତି ସରିବା ବେଳକୁ ରାତି ପାହିଯିବ ବୋଲି ଜଣାପଡିଛି। ତେବେ ଜିଲ୍ଲା ସଦର ମହକୁମାର ବିଇଡି କଲେଜରେ ମାଲକାନଗିରି ବ୍ଲକର ଗଣତି ହେଉଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକରେ ଗଣତି ଚାଲିଛି। ସମସ୍ତ ଗଣତି କେନ୍ଦ୍ର ନିକଟରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଲୋକେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ରାତି ତମାମ ଅପେକ୍ଷା କରିବେ ବୋଲି ଲୋକମାନେ ପ୍ରକାଶ କରିଛନ୍ତି।ତେବେ ଲୋକଙ୍କ ଭିଡକୁ ଦେଖି ଗଣତି କେନ୍ଦ୍ର ନିକଟରେ ଦୋକାନ ବଜାର ଖୋଲିଥିଲା। ରବିବାର ମଧ୍ୟ ଜୋନ-୨ର ଗଣତି ହେବାକୁ ଥିବା ବେଳେ ଭିଡ ଆହୁରି ବଢିବ ବୋଲି କୁହାଯାଇଛି। ତେବେ ଆସନ୍ତା କାଲି ସୁଦ୍ଧା ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର