ଭୁବନେଶ୍ୱର : ଗତ ୩ତାରିଖରେ ଲାଇକେରା ଥାନା ଅନ୍ତର୍ଗତ ନୀକତିମାଲ ଗାଁରେ ବିଧାୟିକା କୁସୁମ ଟେଟେ ପ୍ରଚାର କରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏନେଇ ଶ୍ରୀମତୀ ଟେଟେ ମାମଲା ରୁଜୁ କରିବାକୁ ଥାନାକୁ ଯାଇଥିବାବେଳେ ବିଜେଡିର ସଶସ୍ତ୍ର ଗୁଣ୍ଡାବାହିନୀ ଥାନା ପରିସରରେ ତାଙ୍କୁ ଅଟକାଇଥିଲେ। ପୁଲିସ ଏହା ଦେଖି ବି ଚୁପ୍ ରହିଥିଲା। ଯାହା ପୁଲିସର ଅସହାୟତାକୁ ପଦାରେ ପକାଇଛି। ତେଣୁ ସମସ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହାସହ କହିଛନ୍ତି ଯେ, ପରାଜୟ ଭୟରେ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନକୁ ହିଂସାଭିମୁଖୀ କରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଛି।

Advertisment

ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳ କହିଛି ଯେ, ଝାରସୁଗୁଡ଼ା ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ବିଧାୟିକାଙ୍କ ଏତଲାରେ ଦିଆଯାଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ। ଏହାସହ ଏହି ଉପନିର୍ବାଚନକୁ ଶାନ୍ତି, ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଯଥେଷ୍ଟ ସଶସ୍ତ୍ର କେନ୍ଦ୍ରୀୟ ବାହିନୀଙ୍କୁ ମୁତୟନ କରିବାକୁ ବିଜେପି ଅନୁରୋଧ କରିଛି। ଏହି ପ୍ରତିନିଧି ଦଳରେ ମୁଖପାତ୍ର ସୋନାଲି ସାହୁ, ଅନିଲ ବିଶ୍ୱାଳ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।