ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

କୋରେଇ: ମିଥ୍ୟା ଟ୍ରାକ୍ଟର ଚୋରି ମାମଲାରେ ଗୌରପୁର ପଞ୍ଚାୟତ ଛଞ୍ଚାଣିଆ ଗାଁ’ର ଦଳିତ ଯୁବକ ବଳରାମ ଜେନା ଓ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେବା ଘଟଣାରେ କୋରେଇ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।

ଶାସକ ଦଳ ନେତାଙ୍କ ସାହାଯ୍ୟରେ ବଳରାମଙ୍କୁ ଘରୁ ଉଠାଇ ନେଇ କୋରେଇ ଥାନାଧିକରୀ ୫ ଦିନ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରି ପ୍ରୟୋଗ କରିଥିଲେ। ଏନେଇ ତାଙ୍କ ପତ୍ନୀ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଥାନାଧିକାରୀ ଶ୍ରବଣ କୁମାର ମହାରଣାଙ୍କ ସମେତ ୧୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି।

ଆଜି କୋରେଇ ବିଜେପି ନେତା ବିଶ୍ୱଜିତ ନାୟକଙ୍କ ନେତୃତ୍ବରେ ଏକ ପ୍ରତନିଧି ମଣ୍ଡଳୀ ଯାଜପୁର ଏସପିଙ୍କ ଅନୁପସ୍ଥିତିରେ ଏଏସପି ନାରାୟଣ ବାରିକଙ୍କୁ ଭେଟି କୋରେଇ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କୌଣସି ଗରିବ ଲୋକ ଥାନାକୁ ଗଲେ ଥାନା ଅଧିକାରୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଘଣ୍ଟାଘଣ୍ଟା ଧରି ଅଟକ ରଖୁଛନ୍ତି। କୌଣସି ମକଦ୍ଦମା ହେଲେ ଶାସକ ଦଳ ନେତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡ଼ି ଦେଉଥିବା ବେଳେ ସାଧାରଣ ଲୋକଙ୍କୁ ବିଭିନ୍ନ ସଙ୍ଗିନ ଦଫାରେ ହାଜତକୁ ପଠାଉଛନ୍ତି। କୌଣସି ଅଭିଯୁକ୍ତକୁ ରାତିରେ ଚଢ଼ଉ ସମୟରେ ଶାସକ ଦଳର ନେତାଙ୍କ ସହଯୋଗରେ ଲୋକଙ୍କ ଘରେ ପଶି ହଇରାଣ ହରକତ କରୁଛନ୍ତି। ତେଣୁ ଥାନା ଅଧିକାରୀଙ୍କ ବିରୋଧରେ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ୧୦ଦିନ ମଧ୍ୟରେ ଦଳ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ନେତା ବିଶ୍ୱଜିତ ନାୟକ ପ୍ରକାଶ କରିଛନ୍ତି।

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ, ସରପଞ୍ଚ ରବୀନ୍ଦ୍ର ବେହେରା, ବିଷ୍ଣୁ ଚରଣ ରଥ, ମମତା ମଞ୍ଜରୀ ମହାପାତ୍ର, ଉଦୟ ପରିଡ଼ା, ପ୍ରତାପ ସାହୁ, ପ୍ରମୋଦ ସାହୁ, ବିଜୟ ଘଡେ଼ଇ, ଶଶୀଭୂଷଣ ସେନାପତି, ଆଲୋକ କୁମାର ମଲ୍ଲିକ, ଟୁଲୁ ସାହୁ, ସଞ୍ଜୟ ବାରିକ, ଲଲାଟେନ୍ଦୁ ନାୟକ, ନୀଳମାଧବ ଚକ୍ର, ସୀତାକାନ୍ତ କୁଅଁର, ଉମାକାନ୍ତ ମାଝୀ, ଆଶିଷ ଦାସ,ଗୋପାଳକୃଷ୍ଣ ପାଢ଼ୀ, ଆହ୍ଲା ମହାପାତ୍ର, ଶୁଭଞ୍ଜନ ଦାସ, ସୁରେଶ ବେହେରା  ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର