ସମ୍ବଲପୁର : ବିଜେପି ବ୍ୟାନର୍‌ରୁ ବାଦ୍‌ ପଡ଼ିଛନ୍ତି ସମ୍ବଲପୁରର ଦଳୀୟ ସାଂସଦ ନିତେଶ ଗଙ୍ଗଦେବ। କରୋନା ହେଉ କି ବନ୍ୟା ବିଭୀଷିକା, ଏମିତି ସମୟରେ ସେ ଲୋକମାନଙ୍କ ସହିତ ଠିଆ ହେଉନାହାନ୍ତି। ଲମ୍ବା ସମୟ ଧରି ଅନୁପସ୍ଥିତ ରହୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦଳୀୟ ବ୍ୟାନର୍‌ରୁ ବାଦ୍‌ ଦିଆଯାଇଥିବା କୁହାଯାଉଛି। ଯାହାକୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହାପଛରେ କି କାରଣ ନିହିତ ରହିଛି, ତାହାକୁ ନେଇ ପ୍ରଶ୍ନଉଠିଛି।

Advertisment

ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଏହି ନୂଆ ବ୍ୟାନର୍‌ ଲାଗିଛି। ଏହି ବ୍ୟାନର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶାର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ଦଳର ଜାତୀୟ ସଭାପତି ଜେପି ନଡ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ଫଟୋ ରହିଛି। କେବଳ ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଫଟୋ ନାହିଁ। କିଛିଦିନ ତଳେ ଦଳ ପକ୍ଷରୁ ଆୟୋଜିତ ‘ହର ଘର ତିରଙ୍ଗା ’ କାର୍ଯ୍ୟକ୍ରମ ଅବସରରେ ଲାଗିଥିବା ବ୍ୟାନର୍‌ରେ ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଫଟୋ ଥିଲା। ମାତ୍ର କେଇଦିନର ବ୍ୟବଧାନ ମଧ୍ୟରେ କେଉଁ କାରଣ ପାଇଁ ଫଟୋକୁ ହଟାଇ ଦିଆଯାଇଛି, ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ମହଲରେ ବି ଚର୍ଚ୍ଚା ପାଇଁ ଖୋରାକ୍‌ ଯୋଗାଇଛି।

ରାଜ‌ନୈତିକ ମହଲରେ ଏହାକୁ ନେଇ ବି ଭିନ୍ନଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି। କେତେକଙ୍କ ମତରେ, ଲୋକଙ୍କ ଆସ୍ଥା ହରାଉଥିବାରୁ ସାଂସଦଙ୍କ ଉପରୁ ଦଳ କ୍ରମଶଃ ଆଖି ଫେରାଇ ନେଉଛି। ଏହା ହେଉଛି ତାହାର ଏକ ପ୍ରାକ୍‌-ଆଭାସ।

ସାଂସଦ ଶ୍ରୀଗଙ୍ଗଦେବଙ୍କ ରାଜନୈତିକ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଥିବା କିଛି ବ୍ୟକ୍ତିବିଶେଷଙ୍କ ମତରେ, ୨୦୧୯ ମସିହା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ପ୍ରଚଣ୍ଡ ଲହର କାରଣରୁ ଶ୍ରୀଗଙ୍ଗଦେବ ପ୍ରଥମଥର ପାଇଁ ସାଂସଦ ପଦରେ ନିର୍ବାଚିତ ହୋଇଥିଲେ। ତେବେ, ଏହାପରେ ନିର୍ବାଚନୀମଣ୍ଡଳୀରେ ସେ ଯେତିକି ସକ୍ରିୟ ରହିବା କଥା ରହିପାରି ନାହାନ୍ତି। ୨ ବର୍ଷର କରୋନା ବିପତ୍ତି ସମୟରେ ସେ କ୍ବଚିତ୍‌ ନିଜ ନିର୍ବାଚନମଣ୍ଡଳୀକୁ ଆସିଥିଲେ। ଏହାର ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ରାଣୀ ଅରୁନ୍ଧତି ଦେବୀ ଏବଂ ତାଙ୍କ ବିଶ୍ବସ୍ତ ରାଜନୈତିକ ସହଯୋଗୀ ମାନଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା। ଏହି ବିବାଦରେ ସାଂସଦ ଅସ୍ବାଭାବିକ ନିରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ସେତିକି ନୁହେଁ, ଏହାପରଠୁ ସାଂସଦ ଶ୍ରୀ ଗଙ୍ଗଦେବଙ୍କୁ ଆଉ ଦେଖିବାକୁ ମିଳିନଥିଲା। ସମ୍ବଲପୁର କି ଦେବଗଡ଼ କେଉଁଠି ବି ଦେଖିବାକୁ ମିଳିନଥିଲା। ଯେଉଁଥିପାଇଁ ଦଳ ପକ୍ଷରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଇଥିବା ମତ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ ଓଲଟି ପ୍ରଶ୍ନ କରିଛନ୍ତି, ଉଭୟ ବ୍ୟାନର୍‌ରେ ତାଙ୍କ ଫଟୋ ନାହିଁ କି? ଗୋଟିଏରେ ନାହିଁ ଅର୍ଥ, ଭୁଲ୍‌ କ୍ରମେ ଛାଡ଼ି ହୋଇ ଯାଇଥିବ ବୋଲି ସେ କହିଥିଲେ।