ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲା ବିଜେପି

ଚଣ୍ଡିଖୋଲ/ବଡ଼ଚଣା: ରାଧାଦେଇପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ଗତ ୧୯ ତାରିଖ ଦିନ ମାରପିଟ ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ଆଶିଷ ରଞ୍ଜନ ଚୌଧୁରୀଙ୍କୁ ପୁଲିସ ଗିରଫ କରୁ ନଥିବାରୁ ଆଜି ବ୍ଲକ ବିଜେପି ପକ୍ଷରୁ ବଡ଼ଚଣା ଥାନା ଘେରାଉ କରାଯାଇଛି।

ଛତିଆ ମଣ୍ଡଳ ସଭାପତି ବିକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭାରେ ରାଜ୍ୟ ବିଜେପି ନେତା ଅମର ନାୟକ ଯୋଗଦେଇ ଅଭିଯୁକ୍ତ ଆଶିଷଙ୍କ ନାମରେ ପୁଲିସ ୩୦୭ ଦଫା ଲଗାଇଥିଲେ ମଧ୍ୟ କାହିଁକି ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଏଥିରେ ଆକ୍ରମଣର ଶିକାର ହୋଇଥିବା ଚିନ୍ମୟ ସାମଲଙ୍କ ପିତା ସୁଦର୍ଶନ ସାମଲ, ଜିଲ୍ଲା ବିଜେପି ସମ୍ପାଦକ ପ୍ରୀତମ ନାୟକ, ସାଉଡ଼ିଆ ସମିତି ସଭ୍ୟ ସୁରେନ୍ଦ୍ର ସେନାପତି, ସମିଆଁ ସରପଞ୍ଚ ବିଶ୍ୱ ବିଜୟୀ ସାହୁ, ଶାଳାପଡ଼ା ସରପଞ୍ଚ ନମିତା ରାଉତ, ସମିତି ସଭ୍ୟା ରୀତାଞ୍ଜଳି ମହାନ୍ତି, ବନ୍ତଳା ସରପଞ୍ଚ ସମୀର ରାଉତ, ସମିତି ସଭ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ, ଜିଲ୍ଲା ଆଇଟି ସେଲ୍‌ର ଚିନ୍ମୟୀ ସାହୁ, ଦେବରଂଜନ ସ୍ୱାଇଁ, ତରୁଣ ସାମଲ, ଅଜୟ ଜେନା, ହରିଶଙ୍କର ପଣ୍ଡା, ଦୀପକ ସାମଲ ଓ ସନ୍ତୋଷ ନାୟକ ସାମିଲ ହୋଇଥିଲେ। ଏସପିଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀ ସୁଶୀଲ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ ଓ ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ସମେତ ବହୁ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ଗତ ୧୯ ତାରିଖ ହୋଲି ଦିନ ବିଦ୍ୟାଧରପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ଆଶିଷ ରଞ୍ଜନ ଚୌଧୁରୀଙ୍କ ଆକ୍ରମଣରେ ସେହି ଗ୍ରାମର ବିଜେପି କର୍ମୀ ଚିନ୍ମୟ ସାମଲଙ୍କର ମୁଣ୍ଡ ଫାଟିଥିଲା ଏବଂ‌ ସେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର