ଭୁବନେଶ୍ବର : ଆସନ୍ତ ୨୬ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଓଡ଼ିଶା ବିଜେପି ବିରୋଧ କରିବା ପାଇଁ କୌଣସି ପ୍ରସଙ୍ଗ ଖୋଜି ନପାଇବାରୁ ପୁଣି ଥରେ ୪/୫ଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ଚଳାଇଛି ବୋଲି ବିଜେଡି ଅଭିଯୋଗ କରିଛି।

Advertisment

ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ ଓଡ଼ିଶା ବିଜେପି କେବଳ ମିଥ୍ୟା ଅଭିଯୋଗ ଆଣିପାରେ। କିନ୍ତୁ ସେମାନଙ୍କର ଅଭିଯୋଗକୁ ଅଦାଲତଙ୍କ ସମ୍ମୁଖରେ ପ୍ରମାଣ ଆକାରରେ ଉପସ୍ଥାପନ କରିବାର ସତ୍‌ସାହାସ ନାହିଁ। ଯେତେବେଳେ ବି ନିର୍ବାଚନ ଆସେ ଓଡ଼ିଶା ବିଜେପି ଏପରି ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରେ। ନିର୍ବାଚନ ସରିଲେ ସବୁ ଭୁଲିଯାଏ। ଏହିପ୍ରକାରର ନକରାତ୍ମକ ତଥା ଭିତ୍ତିହୀନ ଅଭିଯୋଗ ପାଇଁ ଓଡ଼ିଶାବାସୀ ବାରମ୍ବାର ଓଡ଼ିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ। ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି ନକରିବା ଏବଂ ଏହି ଘଟଣାରେ ପୀଡ଼ିତ ତଥା ସେମାନଙ୍କ ପରିବାର ପ୍ରତି କିଛି ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ମାନସମ୍ମାନ ଉପରେ ଯେଭଳି ଖରାପ ପ୍ରଭାବ ନପଡ଼ିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।