ଦେଶଭକ୍ତି ନାଁରେ ବିଜେପି କୁତ୍ସିତ ଖେଳ ଖେଳୁଛି : କଂଗ୍ରେସ

ଭୁବନେଶ୍ବର : ଆତଙ୍କବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ଭାରତୀୟ ଜନତା ପାର୍ଟି ଏବେ ରେକର୍ଡ ଭାଙ୍ଗିଛି। ଗତ କିଛିବର୍ଷ ଭିତରେ ଦେଶରେ ଘଟିଥିବା ୮ଟି ଘଟଣାରେ ବିଜେପି ଦଳର ମୁଖା ଖୋଲିଛି। ଦେଶଭକ୍ତି ନାଁରେ ବିଜେପି ଘୃଣିତ ଓ କୁତ୍ସିତ ଖେଳ ଖେଳୁଛି। ଏଥିପାଇଁ ଲୋକମାନେ ସତର୍କ ଓ ସଚେତନ ରହିବା ଉଚିତ୍ ବୋଲି କହିଛନ୍ତି ଏଆଇସିସି ନେତ୍ରୀ ଅନୁମା ଆଚାର୍ଯ୍ୟ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ, ଆତଙ୍କବାଦୀ ଓ ଅପରାଧୀଙ୍କ ସହିତ ବିଜେପି ଦଳର ଘନିଷ୍ଠ ଓ ନିବିଡ଼ ସଂପର୍କର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ଉଦୟପୁରର କ‌ହ୍ନେୟାଲାଲଙ୍କ ମୁଖ୍ୟ ହତ୍ୟାକାରୀ, ଜମ୍ମୁକଶ୍ମୀରରେ ଧରା ପଡ଼ିଥିବା ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଭାଜପାର କର୍ମକର୍ତା ରହିଥିଲା। ଏପରିକି ଦେଶର ଗୃହମନ୍ତ୍ରୀଙ୍କ ଅମିତ ଶାହଙ୍କ ସହିତ ସଂପୃକ୍ତ ଆତଙ୍କବାଦୀର ଫଟୋ ରହିଛି। ମହାରାଷ୍ଟ୍ରର ଅମରାବତୀର ଔଷଧ ବ୍ୟବସାୟୀ ଉମେଶ କୋଲହେ ହତ୍ୟାର ମାଷ୍ଟରମାଇଣ୍ଡର ବିଜେପି ସମର୍ଥିତ ସ୍ବାଧୀନ ସାଂସଦଙ୍କ ସହିତ ସଂପର୍କ ରହିଛି।

୨୦୨୦ ମସିହାରେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଘଟଣାରେ ଭାଜପାର ନେତାଙ୍କୁ ଗିରଫ କରାଯାଇଥିଲା। ୨୦୧୭ ମସିହାରେ ମଧ୍ୟପ୍ରଦେଶର ବେଆଇନ ଟେଲିଫୋନ୍ ଏକ୍ସଚେଞ୍ଜରେ ହୋଇଥିବା ଚଢ଼ାଉରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ୧୧ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପି ଆଇଟି ସେଲର ଜଣେ ସଦସ୍ୟ ଧରା ପଡ଼ିଥିଲା। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହିତ ତାଙ୍କର ଫଟୋ ରହିଥିଲା। ୨୦୧୯ରେ ମଧ୍ୟପ୍ରଦେଶର ବଜରଙ୍ଗ ଦଳର ଜଣେ ସଦସ୍ୟଙ୍କ ନାଁରେ ଟେଣ୍ଡର ଫଣ୍ଡିଂ ଅଭିଯୋଗ ଆସିଥିଲା। ପୁଲୱାମାରେ ଚଢ଼େଇ ଉଡ଼ିବା ଅସମ୍ଭବ ଥିବା ବେଳେ ସେଠାରେ ୩ଶହ କେଜି ଆରଡିଏକ୍ସ କିଭଳି ମିଳିଲା? ଦେଶବାସୀ ଏ ପର୍ଯ୍ୟନ୍ତ ଏହାର ଜବାବ ପାଇପାରୁ ନାହାନ୍ତି। ଏହାର ଉଚ୍ଚସ୍ତରୀୟ କାହିଁକି ଯାଞ୍ଚ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା, ସତ୍ୟପ୍ରକାଶ ନାୟକ, ଅଭିଶେଷକ ମହାନନ୍ଦ, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ଚିନ୍ମୟସୁନ୍ଦର ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର