ସମ୍ବଲପୁର: ଗତ ୧୨ ତାରିଖରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସମ୍ବଲପୁରରେ ସେଭଳି କେବେ ଘଟିନଥିଲା। ଜଣେ ବିଚାରପତିଙ୍କ ଦ୍ବାରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମଗ୍ର ଘଟଣାର ତଦନ୍ତର ଆବଶ୍ୟକତା ରହିଛି। କେଉଁ ପରିସ୍ଥିତିରେ ଓ ଏଥିପାଇଁ କେଉଁମାନଙ୍କର ଭୂମିକା ରହିଥିଲା, ଏଥିରୁ ତାହା ସ୍ପଷ୍ଟ ହୋଇଯିବ। ଏବେ ବି ସମ୍ବଲପୁରରେ ଭୟର ବାତାବରଣ ଲାଗିରହିଛି। ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ସକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଆଜି ଏଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି।
ଆଇନଜୀବୀଙ୍କ ଆନ୍ଦୋଳନକୁ କେନ୍ଦ୍ରକରି ସୃଷ୍ଟ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ସାଂସଦ ଓ ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ପକ୍ଷରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସାଂସଦ ଶ୍ରୀ ପୂଜାରୀ କହିଥିଲେ, ଗତ ୧୨ ତାରିଖର ଘଟଣା ପରେ ପୁଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ କରୁଛି, ତାହାକୁ ନେଇ ୫୦ବର୍ଷ ଧରି ବେଞ୍ଚ୍ ଆନ୍ଦୋଳନରେ ସାମିଲ୍ ଥିବା ପୁରୋଧାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସମଗ୍ର କଚେରି ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। କୋର୍ଟକୁ ଓକିଲ ଓ ମହକିଲ ନିର୍ଭୟରେ ଯାତାୟାତ ନିମନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏଥିସହିତ, ବିଚାରପତିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ୧୪୪ଧାରା ହଟାଇବାକୁ ଦାବି କରିଥିଲେ। ବିଜେପିର ପ୍ରତିନିଧି ଦଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ ଏବଂ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସାମିଲ୍ ଥିଲେ।