ଭୁବନେଶ୍ବର: ଅର୍ପଣ ରଥ ପ୍ରସଙ୍ଗରେ ବିଜେପି ବୁଧବାର ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ଆଜି ଶୂନ୍ୟକାଳରେ ପୁଣି ଏହି ପ୍ରସଙ୍ଗ ଉଠାଇଛି। ଅର୍ପଣ ରଥ ବୁଲାଇବାକୁ, ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ସେନେଇ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବା ନେଇ ବାଚସ୍ପତି ରୁଲିଂ ଦେବାକୁ ବିଜେପି ବିଧାୟକ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ ଦା‌ବି କରିଛନ୍ତି।

Advertisment

ଶ୍ରୀ ମାଝୀ କହିଛନ୍ତି ଯେ ଅର୍ପଣ ରଥ ନାଁରେ ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୋଲ ପ୍ରତିମା, ଡାଲା ଅଟୋ, ମିନି ଟ୍ରକରେ ବୁଲାଗଲା ତାହା ମହାପ୍ରଭୁ ଓ ରାଜ୍ୟବାସୀଙ୍କ ପାଇଁ ଅପମାନ। ଏହା ମହାପ୍ରଭୁଙ୍କ ସଂସ୍କୃତି ଆଧାରିତ କୌଣସି କାର୍ଯ୍ୟକ୍ରମ ନୁହେଁ। ହେଲେ ମହାପ୍ରଭୁଙ୍କୁ ବୁଲାଇ ବାରମିଶା (ଅରୁଆ/ଉଷୁନା) ଚାଉଳ ରନ୍ଧାଗଲା। ଦାନ ଅର୍ଥକୁ ଶ୍ରୀମନ୍ଦିରକୁ ନଆଣି ବିଜେଡି ନେତା ଭୋଜି ଭାତ କରି ଖାଇଲେ। ଆମେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ମାଗିଲୁ ହେଲେ ଜାଣିଶୁଣି ଗୃହକୁ ବାରମ୍ବାର ମୁଲତବୀ କରାଗଲା। ନିୟମ କହୁଛି ଦାନ ଅର୍ଥର ରସିଦ୍ ଦେବା କଥା। ହେଲେ ଲୋକଙ୍କୁ ରସିଦ୍ ଦେଲେନି, କାମିଆ ଜାନି ଭଳି ମହିଳାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ମହାପ୍ରସାଦର ପ୍ରଚାର ପ୍ରସାର କରାଯାଉଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ଜବାବ ରଖିବା ଦରକାର।

ଏହାର ଜବାବ ଦେବାକୁ ଯାଇ ଶାସକ ଦଳ ବିଧାୟକ ଅରୁଣ ସାହୁ କହିଥିଲେ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁକ୍ତି ଉପସ୍ଥାପନ କରିବା ବେଳେ ବିକାଶକୁ ବିରୋଧ କରିବା କେତେ ଯୁକ୍ତିଯୁକ୍ତ? ବିକାଶକୁ ବିରୋଧ କରିବାକୁ ବିରୋଧୀ ନୂଆନୂଆ ଖିଅ କାଢ଼ିବାରେ ଅଭ୍ୟସ୍ତ ହେ‌ାଇଗଲେଣି। ଶ୍ରୀମନ୍ଦିର ବିକାଶ କଥା ଯେତେବେଳେ ଉଠିଲା ସେତେବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଳାଇଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଲୋକ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଥିବାରୁ ବିଫଳତା କାଢ଼ିବାକୁ ବିରୋଧୀ ଏବେ ନୂଆ ଚାଲ୍ ଖେଳୁଛନ୍ତି। ଗାଁ ଲୋକଙ୍କର ବିକାଶ ହେଲେ ଏମାନଙ୍କୁ ବାଧୁଛି କାହିଁକି?ବିରୋଧୀଙ୍କୁ କଟାକ୍ଷ କରି ଶ୍ରୀ ସାହୁ କହିଥିଲେ, ଏହି ପାଳି ଭିତରେ ଅନ୍ତତଃ ଟିକେ ପଶ୍ଚାତାପ, ଅନୁତାପ କର ନହେଲେ ଓଡ଼ିଶାବାସୀ କ୍ଷମା କରିବେନି।