ନବରଙ୍ଗପୁର : ୫-ଟି ସଚିବଙ୍କ ଭୂମିକା ଉପରେ ପୁଣି ପ୍ରଶ୍ନ ଉଠାଇଛି ବିଜେପି। ଆଜି ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ସିଧାସଳଖ ୫-ଟି ସଚିବ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କୁ କୁରୁବଂଶ ସହ ତୁଳନା କରି ୫-ଟି ସଚିବଙ୍କୁ ଦୁର୍ଯ୍ୟୋଧନ ବୋଲି କଟାକ୍ଷ କରିଛନ୍ତି। ଏହି ମହାଭାରତ ଉପାଖ୍ୟାନରେ ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟ୍ର ବୋଲି କହିବାକୁ ପଛାଇ ନାହାନ୍ତି। ମହାଭାରତ ନିଶ୍ଚିତ ହେବ ଓ କୁରୁ ଶାସନର ଅନ୍ତ ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ପିତାମହ ଭୀଷ୍ମ ବୋଲି ଦର୍ଶାଇ ସେ ଚୁପ୍ ହୋଇ ବସିଥିବା କହିଛନ୍ତି।
ଶ୍ରୀ ମାଝୀ କହିଥିଲେ, ରାଜ୍ୟରେ ୫-ଟି ସଚିବ ଦୁର୍ଯ୍ୟୋଧନ ସାଜି କୁଶାସନ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ଶାସନର ନାରା ଦେଇ ଧୃତରାଷ୍ଟ୍ର ଭାବେ ସବୁ ସହି ଚାଲିଛନ୍ତି। ପାଣ୍ଡବମାନେ ୧୨ବର୍ଷର ଅଜ୍ଞାତବାସରୁ ଫେରିଲେଣି। ଭୋଟର କୃଷ୍ଣ ସାଜି ଖୁବ୍ଶୀଘ୍ର କୁରୁବଂଶକୁ ବିତାଡ଼ିତ କରିବେ। ପାଣ୍ଡବଙ୍କ ନିଶ୍ଚିତ ବିଜୟ ହେବ ଏବଂ ଓଡ଼ିଶାରେ ଖୁବ୍ଶୀଘ୍ର ସୁଶାସନ ଫେରିବ। କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍ କରି ରାଜ୍ୟ ସରକାର ସବୁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଉଛନ୍ତି। ରାଜ୍ୟରେ ସବୁକିଛି ୫-ଟି ସଚିବ କରୁଛନ୍ତି। ସଚିବ ଏତେ ଶକ୍ତିଶାଳୀ ଯେ ନିର୍ବାଚିତ ବିଧାୟକ ଓ ସାଂସଦ ନତମସ୍ତକ ହେଉଛନ୍ତି। ନିକଟରେ ଦିଶା ବୈଠକ ହୋଇଥିଲା। କେନ୍ଦ୍ର ସରକାରଙ୍କ ଯୋଜନା ସଂକ୍ରାନ୍ତରେ ସମୀକ୍ଷା ନକରି ସାଂସଦ ଓ ବିଧାୟକ ଅକ୍ସିଜେନ୍ ପ୍ଲାଣ୍ଟରୁ ୫-ଟି ବୋର୍ଡ ହଟାଇବାକୁ ନେଇ ତମ୍ବିତୋଫାନ କରିଥିଲେ। ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ବୈଠକରୁ ବାହାର କରିଦେଲେ। ବିଜେଡିରେ ଅନେକ ପୁରୁଖା ମହାରଥୀ ଥିଲେ ସୁଦ୍ଧା ସମସ୍ତେ ନିରବ। ଦୁର୍ଯ୍ୟୋଧନଙ୍କ ପାଖରେ ସମସ୍ତେ ଅଣନିଶ୍ବାସୀ।
ରାଜ୍ୟରେ ଗଣତନ୍ତ୍ର ବୋଲି କିଛି ନାହିଁ। ଲୋକପ୍ରତିନିଧିଙ୍କୁ କେହି ଗୁରୁତ୍ବ ଦେଉନାହାନ୍ତି। ୧୦୮ଉପଦେଷ୍ଟା ମନୋନୀତ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୁରୁଖା ନେତା ଥିବା ସତ୍ତ୍ବେ ୨୩ବର୍ଷର ଶାସନରେ ଏତେ ସଂଖ୍ୟକ ଉପଦେଷ୍ଟା କାହିଁକି ଲୋଡ଼ାପଡୁଛନ୍ତି। ୫-ଟିରେ ଟେକ୍ନୋଲୋଜି କଥା କୁହାଯାଉଛି। କିନ୍ତୁ ଏଥିରେ ନିମ୍ନମାନର କାମ ହେଉଛି। ସ୍ବଚ୍ଛତା କଥା କୁହାଯାଉଛି, ଅଥଚ ଅଫିସରଙ୍କ ପାଖରୁ କୋଟିକୋଟି ଟଙ୍କା ବାହାରୁଛି। ୫-ଟି କଥା କହି ଭିଜିଲାନ୍ସକୁ ସ୍ଥାଣୁ କରି ଦେଇଛନ୍ତି। ଯଦି ରାଜ୍ୟ ପାଇଁ ଜଣେ ସଚିବ ସବୁ କାମ କରିଦେବେ ତେବେ ନିର୍ବାଚିତ ପ୍ରତିନିଧିଙ୍କ ଆବଶ୍ୟକତା କଣ। ୫-ଟି ସଚିବ ବିଜେଡିକୁ ଲୋପ କରିଦେବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ନଗର ସଭାପତି ଶ୍ରୀଧର ପାତ୍ର, ରାଜେନ୍ଦ୍ର ବିଷୋୟୀ, ମହିଳା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଶୁଭମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।