ଧାନକିଣା ପ୍ରସଙ୍ଗରେ ୧ରୁ ରାସ୍ତାକୁ ଓହ୍ଲାଇବ ବିଜେପି

ଭୁବନେଶ୍ବର: ଚାଷୀଙ୍କ ଠାରୁ ଧାନ କିଣିବା ପ୍ରସଙ୍ଗରେ ବିଜେପି ଜୁଲାଇ ୧ ଓ ୨ରେ ସାରାରାଜ୍ୟରେ ପ୍ରତିବାଦ କରିବ। ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସମସ୍ତ ସିଏସ୍‌ଓ ଅଫିସ୍‌ ସମ୍ମୁଖରେ ପ୍ରତିବାଦ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ସାରା ରାଜ୍ୟରେ ହଜାର ହଜାର ଚାଷୀଙ୍କ ଧାନ ବିକ୍ରି ନହୋଇ ମଣ୍ଡିରେ ପଡ଼ିରହିଛି। ଟୋକନ୍‌ ବ୍ୟବସ୍ଥାରେ ଧାନ ବିକ୍ରି କରିବାକୁ ନିୟମ କରାଯାଇଥିବା ବେଳେ ଟୋକନ୍ ଅବଧି ମାତ୍ର ୧୨ଦିନ ଦେଇଥିବାରୁ ହଜାର ହଜାର ଟୋକନ୍ ଲାପ୍‌ସ ହୋଇଗଲା। ଯିଏ ବିକିଲେ ମିଲର୍ସମାନେ ମନଇଚ୍ଛା କ୍ବିଣ୍ଟାଲ ପିଛା ୮ରୁ ୧୦କେଜି କଟନି ଛଟନି କରି ଚାଷୀଙ୍କୁ ଶେ‌ାଷଣ କରୁଛନ୍ତି। ବହୁ ଚାଷୀଙ୍କୁ ଟୋକନ୍ ନମିଳିବାରୁ ସେମାନେ ବାଧ୍ୟ ହୋଇ ଖୋଲା ବଜାରରେ ୯୦୦ରୁ ୧୧୦୦ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ୨୫ତାରିଖରେ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦେବା ପରେ ୩୦ତାରିଖ ସୁଦ୍ଧା ସବୁ ଧାନ କିଣାଯିବ ବୋଲି ଯୋଗାଣ ନିଗମ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଗଲାନି।

ସେହିପରି ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ରାଜ୍ୟ ସରକାର ପାତରଅନ୍ତର କରି ଦଳୀୟ କର୍ମୀଙ୍କୁ ଘର ଦେଉଛନ୍ତି। ଯଦି ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ନମିଳେ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଜୁଲାଇ ୭ରୁ ୯ ସମସ୍ତ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର