କନିକା ନାଳରେ ଏମ୍‌ସିଏଲ୍‌ର କଳା ଜହର, ସଫେଇ ନାମକୁ ମାତ୍ର

ସୁନ୍ଦରଗଡ଼: ହେମଗିର ବ୍ଲକ୍‌ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି। ଏମ୍‌ସିଏଲ୍‌ କୋଇଲା ସାଇଡିଂର ସବୁ କୋଇଲା ଗୁଣ୍ଡ ଓ ମଇଳା ପାଣି ସିଧା ନାଳରେ ଛାଡ଼ିବା ଦ୍ବାରା କନିକା ନାଳରେ ଭରିଯାଇଛି କଳା ଜହର। ଲୋକେ ଏଥିରେ ସ୍ନାନ କରିବା ତ ଦୂରର କଥା, ଶୌଚ ପାଇଁ ବି ନାକ ଟେକିବାକୁ ବାଧ୍ୟ ହେଉଛନ୍ତି। କୋଇଲା କଳାପାଣିର ପ୍ରକ୍ରିୟାକରଣ କରି ନାଳରେ ଛାଡ଼ିବାକୁ ଲୋକେ ବର୍ଷ ବର୍ଷ ଧରି ଦାବି କରିବା ପରେ ଚଳିତ ବର୍ଷ ଏମ୍‌ସିଏଲ୍‌ ନାଳ ସଫେଇ ପାଇଁ ପଦକ୍ଷେପ ନେଇଛି। କିନ୍ତୁ ଧର୍ମକୁ ଆଖି ଠାର। ନାଳ ସଫେଇ ପାଇଁ ଏମ୍‌ସିଏଲ୍‌ ୧୩ ଲକ୍ଷ ଟଙ୍କା ଯୋଗାଇଦେଇଛି। କିନ୍ତୁ ସଫେଇ କାମ ନାମକୁ ମାତ୍ର। ନାଳରେ ଭରିଥିବା କୋଇଲା ଗୁଣ୍ଡ ଠିକ୍‌ ଭାବେ ଉଠାଯାଉଛି କି ନାହିଁ, ମଇଳା ପାଣି ସଫ‌ା ହେଉଛି କି ନାହିଁ, ତା’ର ତଦାରଖ ପାଇଁ କେହି ନାହିଁ। ଏମ୍‌ସିଏଲ୍‌ ଅର୍ଥ ଯୋଗାଇଦେଇ ହାତ ଝାଡ଼ିଦେଇଛି। ୧୩ ଲକ୍ଷ ଟଙ୍କାରେ ଏମ୍‌ସିଏଲ୍‌ ସାଇଡିଂ ନିକଟ ରେଲୱେ ପୋଲଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଅଂଶରୁ ୨ ହଜାର କ୍ୟୁବିକ୍‌ ମିଟର କୋଇଲାଗୁଣ୍ଡ ଉଠାଇବାକୁ ବୈଷୟିକ ନିର୍ଦ୍ଦେଶ ରହିଛି। ନାଳରୁ ୫-୬ ଫୁଟ୍‌ କୋଇଲା ଆସ୍ତରଣ ଉଠାଇ ସମ୍ପୂର୍ଣ୍ଣ ସଫେଇ କରିବା କଥା। କିନ୍ତୁ ଠିକାଦାର କେବଳ ଗାଧୁଆ ଘାଟ ଓ ଜନବସତି ନିକଟ ସ୍ଥାନରୁ ନିର୍ଦ୍ଦେଶ ମୁତାବକ ଉଠାଇ ବାକି ଅଂଶରୁ ମାତ୍ର ୧-୨ ଫୁଟ୍‌ କୋଇଲା ଗୁଣ୍ଡ ଉଠାଇ ‌ଯେନତେନ ପ୍ରକାରେ କାମ ଶେଷ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ପ୍ରକାଶଯୋଗ୍ୟ, ଚିରସ୍ରୋତା କନିକା ନାଳ ଉପରେ କାହିଁ କେଉଁ କାଳରୁ ନିର୍ଭର କରି ଆସୁଥିଲେ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ାର ଲୋକେ। ହଜାରେ ଜନସଂଖ୍ୟା ବିଶିଷ୍ଟ ଏହି ପଡ଼ା ପାଇଁ ଏହା ହିଁ ଥିଲା ଏକମାତ୍ର ଉପାଦେୟ ଜଳଉତ୍ସ। ଟାଇଁଟାଇଁ ଖରାରେ ମଧ୍ୟ ନାଳରେ ଜଳ ଊଣା ପଡ଼ୁ ନଥିଲା। ୨୦୦୫ରେ ଏମ୍‌ସିଏଲ୍‌ କୋଇଲା ଖଣିର କନିକା ରେଲୱେ ସାଇଡିଂ ହେବା ପରଠୁ ସେଥିର କୋଇଲା ମିଶ୍ରିତ ପାଣି କନିକା ନାଳରେ ସିଧା ମିଶିଲା। ୧୬ ବର୍ଷ ହେଲା ଏହି ସାଇଡିଂରୁ ଅନବରତ ନିର୍ଗତ କୋଇଲା ପାଣିକୁ ପ୍ରକ୍ରିୟାକରଣ ମାଧ୍ୟମରେ ଛାଣି ସ୍ବଚ୍ଛ ପାଣି ନାଳରେ ଛାଡ଼ିବାକୁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏମ୍‌ସିଏଲ୍‌ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିଲା। ‌ଏପଟେ କୋଇଲାର କଳା ଦୂଷିତ ପାଣି ନିର୍ଗତ କରି ଚାଲିଥିବାରୁ ନାଳଟି କୋଇଲା ପାଣିର ଏକ ଡ୍ରେନ୍‌ରେ ପରିଣତ ହୋଇଛି। କିଛିବର୍ଷ ପୂର୍ବରୁ ସାଇଡିଂ ପାର୍ଶ୍ବବର୍ତ୍ତୀ ଦୁଇଫସଲ ଉତ୍ପାଦନକ୍ଷମ ଅତି ଉର୍ବର ଚାଷଜମିରେ ଦୁଇ ଫୁଟ୍‌ର କୋଇଲାଗୁଣ୍ଡ ଜମିଯିବା ଫଳରେ ସେ ଜମି ସବୁ ଆଉ ଚାଷପୋଯୋଗୀ ହୋଇ ରହିନାହିଁ। ତା’ ସହ ନାଳ ସଂଲଗ୍ନ ଆହୁରି ଅନେକ ଉର୍ବର ଜମି ମଧ୍ୟ ସେପରି ଅବସ୍ଥାକୁ ଚାଲିଗଲାଣି। ତେବେ କେବଳ ଖଲିଆବାହାଲ କି ଝୁପୁଡ଼ିପଡ଼ା ନୁହେଁ, ଏହି ନାଳ ଉପରେ ନିର୍ଭରଶୀଳ ଥିବା ତଳମୁଣ୍ଡର ଆହୁରି ଅନେକ ଗାଁ ମଧ୍ୟ ଏ ଜଳଜହରର ଯନ୍ତ୍ରଣା ଭୋଗି ଚାଲିଛନ୍ତି। ଏମ୍‌ସିଏଲ୍‌ ନିଜ ତଦାରଖରେ କନିକା ନାଳର ସମ୍ପୂର୍ଣ୍ଣ ସଫେଇ କରି ଲୋକଙ୍କୁ ବିପଦମୁକ୍ତ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର