ଆଦିବାସୀଙ୍କ ହକ୍‌କୁ ନେଇ ଦୋଷ ଲଦାଲଦି; ରାଜ୍ୟ ସରକାର ଆଦିବାସୀଙ୍କ ହକ୍‌ ଲୁଟୁଛନ୍ତି: ବିଜେପି

ଆଦିବାସୀଙ୍କ କଲ୍ୟାଣ କଥା କହିବାକୁ ବିଜେପିର ନୈତିକ ଅଧିକାର ନାହିଁ: ବିଜେଡି

ଭୁବନେଶ୍ବର: ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ରାଜ୍ୟ ସରକାର ଅହେତୁକ ଅବହେଳା କରୁଛନ୍ତି, ନ୍ୟାୟ ଦେଉନାହାନ୍ତି। ରାଜ୍ୟ ସରକାର ଆଦିବାସୀଙ୍କ ହକ୍‌ ଲୁଟୁଛନ୍ତି ବୋଲି ଆଜି ବିଜେପି ଅଭିଯୋଗ କରିଛି। ଏହାର ଜବାବ୍ ଦେଇ ବିଜେଡି କହିଛି, ଆଦିବାସୀଙ୍କ ପାଇଁ ଆସୁଥିବା ଅନୁଦାନକୁ କେନ୍ଦ୍ର ସରକାର କମାଇବା ସହ ଆଦିବାସୀ ଛାତ୍ର ବୃତ୍ତି ବନ୍ଦ କରିଦେଇଛନ୍ତି। ଆଦିବାସୀଙ୍କ ବିକାଶରେ ବିଜେପି ଶାସିତ କେନ୍ଦ୍ର ସରକାର ବାଧକ ସାଜିଥିବାରୁ ଆଦିବାସୀଙ୍କ କଲ୍ୟାଣ କଥା କହିବାକୁ ରାଜ୍ୟ ବିଜେପିର ନୈତିକ ଅଧିକାର ନାହିଁ। ଆଦିବାସୀଙ୍କୁ ହକ୍ ପ୍ରଦାନ ପ୍ରସଙ୍ଗରେ ଆଜି ଦୁଇ ଦଳ ପରସ୍ପରକୁ ଏମିତି ଦୋଷ ଲଦାଲଦି ହୋଇଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ସର୍ବାଧିକ ଜନଜାତି ଓଡ଼ିଶାରେ ବାସ କରୁଛନ୍ତି। ଓଡ଼ିଶାର ୨୪% ହେଉଛନ୍ତି ଆଦିବାସୀ। ପ୍ରାୟ ୬୨ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ରାଜ୍ୟରେ ଏତେ ସଂଖ୍ୟାରେ ଆଦିବାସୀ ବାସ କରୁଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କରାଯାଇଛି। ଏପରିକି ବହୁ ଆଦିବାସୀ ବହୁଳ ଅଞ୍ଚଳକୁ ବିକାଶ ଛୁଇଁ ପାରିନାହିଁ। ସେହିପରି ରାଜ୍ୟ ସରକାର ୨୧ଟି ଜନଜାତି ଭାଷାର ପ୍ରଚାର ପ୍ରସାର ନିମନ୍ତେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିଏ) ଗଠନ କରିଥିଲେ। ମାତ୍ର ନିର୍ବାଚନ ପରେ ଏହି ପରିଷଦ ସ୍ଥାଣୁ ହୋଇଯାଇଛି। ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଏହାକୁ ଭୁଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି (ଟିଏସି) ବୈଠକ ନହେବା କାରଣରୁ ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବାରେ ବିରାଟ ବାଧା ସୃଷ୍ଟି ହେଉଛି।

ସେହିପରି ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯାଉନି, ପେସା ଆଇନକୁ କାର୍ଯ୍ୟକାରୀ କରାଯାଉନି। ରାଜ୍ୟରେ ୯୫% ଆଦିବାସୀ ମହିଳା ଓ ୬୫% ଆଦିବାସୀ ଶିଶୁ ରକ୍ତହୀନତାର ଓ ଅପପୁଷ୍ଟିର ଶିକାର। ୨୪୭୬ଟି ଗାଁ ଅପହଞ୍ଚ ହୋଇଥିବାବେଳେ ଏଥିରୁ ୧୩୨୬ଟି ଗାଁ ଆଦିବାବସୀ ବସବାସ କରୁଥିବା ୯ଟି ଜିଲ୍ଲାରେ ଅବସ୍ଥିତ। ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ବ୍ୟାପକ ଅର୍ଥ ପ୍ରଦାନ କରୁଛନ୍ତି କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଏହି ଅର୍ଥ ରାଜ୍ୟର ଆଦିବାସୀଙ୍କ କଲ୍ୟାଣ ପାଇଁ ବ୍ୟବହାର ହୋଇପାରୁନାହିଁ। ରାଜ୍ୟ ସରକାର ଆଦିବାସୀଙ୍କ ହକ୍‌କୁ ଲୁଟିବା ସହ ବେଇଜ୍ଜତ କରୁଛନ୍ତି। ତେଣୁ ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ଆଦିବାସୀ ସମାଜ ପାଖକୁ ଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅବସରରେ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅନୁସୂଚିତ ଜନଜାତି ବର୍ଗର ହୋଇଥିବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଓ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସେହିପରି ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ସରକାରୀ ବାବୁମାନେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସରକାରୀ ବୈଠକ ସମୟରେ ଉପସ୍ଥିତ ନରହିବା, କେନ୍ଦ୍ର ମନ୍ତ୍ରୀଙ୍କ କଥାକୁ ଗୁରୁତ୍ବ ନଦେବା ଏବଂ ପରବର୍ତ୍ତୀ ସମୟରେ କଳାବ୍ୟାଚ୍‌ ପିନ୍ଧି ଶ୍ରୀ ଟୁଡୁଙ୍କୁ ଅପମାନିତ ଓ ବେଇଜ୍ଜତ କରାଗଲା। ଆଦିବାସୀଙ୍କ ସ୍ବାର୍ଥ ପାଇଁ ମୁହଁ ଖୋଲିଲେ ରାଜ୍ୟ ସରକାର ବେଇଜ୍ଜତ କରୁଛନ୍ତି।

ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀରେ କରିଥିବା ଅଭିଯୋଗର ଉତ୍ତର ଦେଇ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ଯେ ଶ୍ରୀ ମହାନ୍ତି କେବଳ ଓଡ଼ିଶାର ନିରୀହ ଆଦିବାସୀମାନଙ୍କ ଉପରେ ରାଜନୀତି କରିବାକୁ ଆଗ୍ରହୀ ଥିବାବେଳେ ଆଦିବାସୀଙ୍କ କଲ୍ୟାଣ ପ୍ରତି ତାଙ୍କର ଆଗ୍ରହ ନାହିଁ। ଓଡ଼ିଶା ବିଜେପି ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଏବଂ ଜାତିର ଅନ୍ତର୍ଭୁକ୍ତି ସେମାନଙ୍କ ଦଳ ପରିଚାଳିତ କେନ୍ଦ୍ର ସରକାର ବହୁ ବର୍ଷ ଧରି ପକାଇ ରଖିଛନ୍ତି। ସମ୍ବିଧାନର ସପ୍ତମ ଧାରାରେ ଆଦିବାସୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ବି କେନ୍ଦ୍ର ସରକାରଙ୍କର ବିଚାରାଧୀନ ଅଛି ଯଦିଓ ଓଡ଼ିଶା ସରକାର ସେମାନଙ୍କ ଅନ୍ତର୍ଭୁକ୍ତ ପାଇଁ ଜୋର୍‌ ଦେଇ ଆସୁଛନ୍ତି। ବି‌େ‌ଜଡି ସାଂସଦମାନେ ବି ଏନେଇ ସଂସଦରେ ବାରମ୍ବାର ସ୍ବର ଉଠାଇଛନ୍ତି। ଓଡ଼ିଶା ସରକାର ଆଦିବାସୀଙ୍କ ପାଇଁ ଜମିଜମା ରେକର୍ଡ ସୁନିଶ୍ଚିତ କରିଛନ୍ତି। ସମଗ୍ର ଦେଶରେ ଓଡ଼ିଶା ସର୍ବାଧିକ ପରିମାଣର ଛାତ୍ରବୃତ୍ତି ପ୍ରଦାନ କରୁଛି। ଆଦିବାସୀ ହଷ୍ଟେଲଗୁଡ଼ିକରେ ଓଡ଼ିଶାରେ ସର୍ବାଧିକ ଝିଅ ଅଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଆଦିବାସୀ ସଂସ୍କୃତି ରକ୍ଷା ପାଇଁ ଏସ୍‌ଡିସି ଅଛି। ତେଣୁ ବିଜେପି ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ ଦିଲ୍ଲୀ ଦରବାରରେ ପଡ଼ିରହିଥିବା ଆଦିବାସୀଙ୍କ ଦାବିଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେନେଇ ପଦକ୍ଷେପ ନେଉ।

ସମ୍ବନ୍ଧିତ ଖବର